www.samajalive.in
Friday, December 12, 2025
15.1 C
Bhubaneswar

ଆମାଜନ ଅରଣ୍ୟ କାହାର?

ମାନବ ସଭ୍ୟତାର ଇତିହାସରେ ସବୁବେଳେ ଜଙ୍ଗଲର ଏକ ସ୍ୱତନ୍ତ୍ର ସ୍ଥାନ ରହିଆସିଛି। ସବୁ ସମୟରେ ଜୀବିକା, ଜାଳେଣି, ଖାଦ୍ୟ, ଗୃହନିର୍ମାଣ ଓ କୃଷି କାର୍ଯ୍ୟ ଇତ୍ୟାଦି ପାଇଁ ମଣିଷ ଜଙ୍ଗଲ ଉପରେ ନିର୍ଭର କରି ଆସିଛି। କୃଷିଭିତ୍ତିକ ସମାଜ ଗଠନ ହେବା ପୂର୍ବରୁ ମଣିଷର ବାସସ୍ଥାନ ଥିଲା ଜଙ୍ଗଲ। ଏହି କାରଣରୁ ସେ ସମୟର ଜନଗୋଷ୍ଠୀଗୁଡ଼ିକୁ କୁହାଯାଉଥିଲା ‘ଶିକାରୀ ଓ ସଂଗ୍ରହକାରୀ’ ଜନଗୋଷ୍ଠୀ। କୃଷି ଓ ଶିଳ୍ପଭିତ୍ତିକ ସମାଜ ସୃଷ୍ଟି ହେବା ପରେ ମଧ୍ୟ ଜଙ୍ଗଲ ଉପରେ ନିର୍ଭରଶୀଳତା ଅବ୍ୟାହତ ରହିଛି ଏ ପର୍ଯ୍ୟନ୍ତ। ବର୍ଣ୍ଣାଶ୍ରମ ଭାରତୀୟ ପରମ୍ପରାର ଏକ ବିଶେଷ ଅଙ୍ଗ। ଏହି ପରମ୍ପରା ଅନୁସାରେ ଗାର୍ହସ୍ଥ୍ୟ ଧର୍ମ ପରେ ବାନପ୍ରସ୍ଥ ଓ ସନ୍ନ୍ୟାସର ବ୍ୟବସ୍ଥା ଥିଲା ଏବଂ ସାଂସାରିକ ଦାୟିତ୍ୱ ସମାପ୍ତ ହେବା ପରେ ଜଙ୍ଗଲକୁ ଯାଇ ଈଶ୍ୱର ପ୍ରଣିଧାନ କରିବା ସମସ୍ତଙ୍କର କାମ୍ୟ ଥିଲା। ଏବେ ମଧ୍ୟ ପୃଥିବୀର ପ୍ରାୟ ଦେଢ ଶହ କୋଟି ଲୋକଙ୍କର ଜୀବିକାରେ ଜଙ୍ଗଲର ଏକ ପ୍ରମୁଖ ଭୂମିକା ରହିଛି; କିନ୍ତୁ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ସମୁଦାୟ ମାନବ ସମାଜ ପାଇଁ ପ୍ରାକୃତିକ ଜଙ୍ଗଲର ଭୂମିକା ବହୁଗୁଣିତ ହୋଇଯାଇଛି, ଯାହା ସୃଷ୍ଟି ହୋଇଥାଏ ଶହଶହ ବର୍ଷର ପ୍ରାକୃତିକ ପ୍ରକ୍ରିୟା ଯୋଗୁ। ଜଙ୍ଗଲ ପୃଥିବୀର ଯେ କୌଣସି ଅଞ୍ଚଳ ବା ଦେଶରେ ଥାଉ ନା କାହିଁକି ଏହାକୁ ଏକ ସ୍ଥାନୀୟ ପ୍ରାକୃତିକ ସଂପଦ ବୋଲି କୁହାଯିବ ନାହିଁ, ବରଂ ସମଗ୍ର ପୃଥିବୀର ପରିବେଶ ସନ୍ତୁଳନରେ ଓ ଜଳବାୟୁ ପରିବର୍ତ୍ତନ ପ୍ରକ୍ରିୟାର ମୁକାବିଲା ପାଇଁ ଏହାକୁ ଏକ ସୁରକ୍ଷା କବଚ ବୋଲି କୁହାଯାଇ ପାରିବ।

ଜଙ୍ଗଲ ମୁଖ୍ୟତଃ ଦୁଇ ପ୍ରକାରର : ପ୍ରାକୃତିକ ଜଙ୍ଗଲ ଓ ଚାରାରୋପଣ ଦ୍ୱାରା ମନୁଷ୍ୟକୃତ ଜଙ୍ଗଲ। ଏହି ଦୁଇ ପ୍ରକାର ଜଙ୍ଗଲ ମଧ୍ୟରୁ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ପ୍ରାକୃତିକ ଜଙ୍ଗଲର ଭୂମିକା ବେଶୀ। ପୃଥିବୀରେ ଯେଉଁସବୁ ଦେଶରେ ବେଶୀ ପ୍ରାକୃତିକ ଜଙ୍ଗଲ ରହିଛି ସେଗୁଡିକ ହେଲା ରୁଷିଆ, ଇଣ୍ଡୋନେସିଆ, କାନାଡା, ବ୍ରାଜିଲ ଇତ୍ୟାଦି। ପୃଥିବୀରେ ଥିବା ଜଙ୍ଗଲ ‘ବାୟୋମାସ୍‍’ର ଅର୍ଦ୍ଧାଧିକ ରହିଛି ଗ୍ରୀଷ୍ମମଣ୍ଡଳୀୟ ଅଞ୍ଚଳରେ (କର୍କଟ କ୍ରାନ୍ତି ଓ ବିଷୁବ କ୍ରାନ୍ତି ମଧ୍ୟରେ ଥିବା ଅଞ୍ଚଳ)। ଗତ କେତେବର୍ଷ ହେବ ଏହି ଅଞ୍ଚଳରେ ଜଙ୍ଗଲର ଆୟତନ କ୍ଷିପ୍ର ବେଗରେ କମିବାରେ ଲାଗିଛି। ଗ୍ରୀଷ୍ମମଣ୍ଡଳୀୟ ଜଙ୍ଗଲର (ରେନ୍‍ ଫରେଷ୍ଟ) ଯେତିକି ଅଂଶ ନଷ୍ଟ ହୋଇଛି, ତାହାକୁ ଯଦି ଗୋଟିଏ ଦେଶ ବୋଲି କଳ୍ପନା କରାଯାଆନ୍ତା ସେହି ଦେଶଟି ଚୀନ ଓ ଆମେରିକା ପରେ ଅଙ୍ଗାରକାମ୍ଳ ସୃଷ୍ଟି କରୁଥିବା ତୃତୀୟ ବୃହତ୍ତମ ଦେଶ ହୋଇଥାନ୍ତା।

- Advertisement -

ଏବେ ଆମେ ଆସିବା ଆମାଜନ ଉପତ୍ୟକାର ବିଷୁବ ମଣ୍ଡଳୀୟ ଅରଣ୍ୟକୁ। ଏହି ଅରଣ୍ୟ ପୃଥିବୀର ବିଷୁବ ମଣ୍ଡଳୀୟ ଅଞ୍ଚଳରେ ଥିବା ସମୁଦାୟ ଅରଣ୍ୟ ଆୟତନର ଶତକଡା ୪୦ ଭାଗ ହେବ। ପୃଥିବୀର ସ୍ଥଳ ଭାଗରେ ଦେଖାଯାଉଥିବା ସବୁ ପ୍ରକାର ଜୀବଙ୍କ ମଧ୍ୟରୁ ଶତକଡା ୧୦ରୁ ୧୫ ଜୀବଜନ୍ତୁ ଏହି ଜଙ୍ଗଲ ଅଞ୍ଚଳରେ ଦେଖାଯାନ୍ତି। ଏହିସବୁ କାରଣରୁ ସମଗ୍ର ବିଶ୍ୱ ପାଇଁ ଆମାଜନ ଅରଣ୍ୟର ଏକ ସ୍ୱତନ୍ତ୍ର ବୈଶିଷ୍ଟ୍ୟ ରହିଛି। ଦଶ ହଜାର ବର୍ଷ ପୂର୍ବେ, ମଣିଷ ଆମାଜନ ଜଙ୍ଗଲ ଅଞ୍ଚଳରେ ବସବାସ କରି ରହିବା ଦିନଠାରୁ ଏହି ଜଙ୍ଗଲ କ୍ରମାଗତ ଭାବରେ କ୍ଷୟ ପାଇ ଚାଲିଛି; କିନ୍ତୁ ୧୯୭୦ ମସିହା ପରେ ଏହି ପ୍ରକ୍ରିୟାଟି ତ୍ୱରାନ୍ୱିତ ହୋଇଛି।

ଆମାଜନ ଉପତ୍ୟକାର ଶତକଡା ୮୦ ଭାଗ ରହିଛି ବ୍ରାଜିଲ ଦେଶ ସୀମା ମଧ୍ୟରେ। ଉପତ୍ୟକାର କିଛି ଦେଶ ଆର୍ଜେଣ୍ଟିନା, ପେରୁ ଇତ୍ୟାଦି ଦେଶରେ ମଧ୍ୟ ରହିଛି; କିନ୍ତୁ ବ୍ରାଜିଲରେ ଉପତ୍ୟକା ଓ ଜଙ୍ଗଲର ବୃହତ୍‍ ଅଂଶଟି ରହିଥିବାରୁ ଏହି ଦେଶର ଶାସନ ନୀତି ଓ ଲୋକଙ୍କ ବ୍ୟବହାର ଉପରେ ଆମାଜନ ଜଙ୍ଗଲର ଭବିଷ୍ୟତ ଅଧିକ ନିର୍ଭର କରେ। ବ୍ରାଜିଲର ଶାସନ ଦାୟିତ୍ୱରେ ଥିବା ବର୍ତ୍ତମାନର ସରକାର ଆମାଜନ ଜଙ୍ଗଲର କ୍ଷୟକୁ ରୋକିବା ତ ଦୂରର କଥା, ବରଂ ଏହାର ଦ୍ରୁତ ଅବକ୍ଷୟକୁ ଉତ୍ସାହିତ କରୁଛନ୍ତି ବୋଲି ଏକ ଧାରଣା ସମଗ୍ର ବିଶ୍ୱର ଅଧିକାଂଶ ଦେଶରେ ଦୃଢୀଭୂତ ହେବାରେ ଲାଗିଛି।

ସାଂପ୍ରତିକ ପୃଥିବୀରେ ଯେଉଁ କେତେଜଣ ରାଷ୍ଟ୍ର ବା ସରକାର ମୁଖ୍ୟଙ୍କର ଉଗ୍ର ରାଷ୍ଟ୍ରବାଦୀ ଭାବରେ ପରିଚିତି ରହିଛି ସେମାନଙ୍କ ମଧ୍ୟରେ ବ୍ରାଜିଲର ରାଷ୍ଟ୍ରପତି ଜେୟାର ବଲ୍‍ସୋନାରୋ ଅନ୍ୟତମ। ତାଙ୍କ ମତରେ ବ୍ରାଜିଲର ବିକାଶ ପାଇଁ ଯଦି ଆମାଜନ ଜଙ୍ଗଲର କିଛି ଅଂଶ ହରାଇବାକୁ ପଡେ ତାହା ଯୁକ୍ତିଯୁକ୍ତ। ବ୍ରାଜିଲ ଏକ ସାର୍ବଭୌମ ରାଷ୍ଟ୍ର ଏବଂ ସେ ଦେଶରେ ବିକାଶ ପ୍ରକ୍ରିୟା କିପରି ପରିଚାଳିତ ହେବ ଏବଂ ସେଥିପାଇଁ ପରିବେଶର କେତେ କ୍ଷତି କରାଯାଇ ପାରିବ, ତାହା ସଂପୃକ୍ତ ରାଷ୍ଟ୍ର ଉପରେ ନିର୍ଭର କରେ ବୋଲି ବଲ୍‍ସୋନାରୋ ଦୃଢତାର ସହିତ କହିଛନ୍ତି। ଏ ବିଷୟରେ ପୃଥିବୀର ଅନ୍ୟ ଦେଶଗୁଡ଼ିକର କୌଣସି ଟିପ୍‍ପଣୀ ଦେବା ବା ସମାଲୋଚନା କରିବାର ଅଧିକାର ନାହିଁ ବୋଲି ତାଙ୍କର ମତ; କିନ୍ତୁ ଏହା ହିଁ ହେଉଛି ବିତର୍କର ବିଷୟ। ସାର୍ବଭୌମତ୍ୱର ଦ୍ୱାହି ଦେଇ ଗୋଟିଏ ଦେଶ ମନମୁଖି ଭାବରେ ଆମାଜନ ଜଙ୍ଗଲକୁ ବ୍ୟବହାର କରିପାରିବ କି ? ଅନେକଙ୍କ ମତରେ ସମଗ୍ର ବିଶ୍ୱ ପାଇଁ ଗୁରୁତ୍ୱ ଥିବା ପ୍ରାକୃତିକ ସଂପଦର ଭବିଷ୍ୟତକୁ ଏକଚାଟିଆ ଭାବରେ ବିପର୍ଯ୍ୟସ୍ତ କରିବାର ଅଧିକାର କୌଣସି ଦେଶର ନାହିଁ, ବିଶେଷ ଭାବରେ ଯେତେବେଳେ ସଂପୃକ୍ତ ପ୍ରାକୃତିକ ସଂପଦଟିର ସୁରକ୍ଷା ମାନବ ସମାଜର ଭବିଷ୍ୟତ ପାଇଁ ଅନିବାର୍ଯ୍ୟ।

ଆମାଜନ ଜଙ୍ଗଲ ଓ ତା’ର ଜଳବାୟୁ ପ୍ରକୃତରେ ଅସାଧାରଣ। ଏହାର ମୁଖ୍ୟ କାରଣ ହେଉଛି ଏହି ଜଙ୍ଗଲ ନିଜ ପାଇଁ ନିଜେ ବର୍ଷା ଓ ଜଳ ସୃଷ୍ଟି କରେ। ଆଟଲାଣ୍ଟିକ ମହାସାଗରରୁ ଆର୍ଦ୍ରତା ପେରୁ ପର୍ଯ୍ୟନ୍ତ ଯିବା ରାସ୍ତାରେ ଆମାଜନ ଜଙ୍ଗଲ ସେଥିରୁ କିଛି ଆର୍ଦ୍ରତାକୁ ଜଳରେ ପରିଣତ କରେ। ଜଙ୍ଗଲ ଅଞ୍ଚଳରେ ହେଉଥିବା ବର୍ଷାର ଅର୍ଦ୍ଧାଧିକ ପରିମାଣ ଏହି ଉପାୟରେ ହିଁ ହୋଇଥାଏ। ଭୂତଳ ଜଳ ଗଛର ଚେରଗୁଡ଼ିକରୁ ମଥା ପର୍ଯ୍ୟନ୍ତ ଉଠେ ଓ ଉପର ବାୟୁମଣ୍ଡଳରେ ମିଶି ବର୍ଷାଜଳରେ ରୂପାନ୍ତରିତ ହୁଏ। ଏହାଦ୍ୱାରା ସମଗ୍ର ଅଞ୍ଚଳଟିରେ ଆର୍ଦ୍ରତାର ପରିମାଣ ଥାଏ ଅଧିକ। ପତ୍ର ଜରିଆରେ ହେଉଥିବା ବାଷ୍ପୀକରଣ ପ୍ରକ୍ରିୟା ଦ୍ୱାରା ଅଞ୍ଚଳଟି ଶୀତଳ ମଧ୍ୟ ରହେ। ଆମାଜନ ଜଙ୍ଗଲ ଅବକ୍ଷୟର ମୁଖ୍ୟ କାରଣଗୁଡିକ ହେଲା ରାସ୍ତା ଓ ବନ୍ଧ ନିର୍ମାଣ, ଖଣିଜ ଦ୍ରବ୍ୟ ଉତ୍ତୋଳନ, ସୋୟାବିନ୍‍ ଚାଷ ଓ ବୃହତ୍‍ ଆକାରର ଗୋ-ପାଳନ। ୧୯୭୦ ମସିହା ପରେ ଏସବୁ କାର୍ଯ୍ୟକଳାପ ଯୋଗୁ ଆଠ ଲକ୍ଷ ବର୍ଗ କିଲୋମିଟର ଜଙ୍ଗଲ ନଷ୍ଟ ହୋଇଛି ବୋଲି ହିସାବ କରାଯାଇଛି। ଏହାଦ୍ୱାରା ଉପତ୍ୟକାର ଉତ୍ତାପ ୦.୬ ଡିଗ୍ରୀ ସେଣ୍ଟିଗ୍ରେଡ ମଧ୍ୟ ବଢିଛି।

ମରୁଡି କେବେ ଦେଖାଯାଇ ନଥିବା ଏହି ଅଞ୍ଚଳଟିରେ ବାରମ୍ବାର ମରୁଡିର ପଦଧ୍ୱନି ଶୁଣାଯାଇଛି। ୨୦୦୪ରୁ ୨୦୧୨ ମଧ୍ୟରେ ଆମାଜନ ଜଙ୍ଗଲର ଅବକ୍ଷୟ ସାମାନ୍ୟ ଧିମା ହୋଇଥିଲା। ଏଥିପାଇଁ ବିଶେଷ ଭୂମିକା ଥିଲା ବ୍ରାଜିଲର ପରିବେଶ ସୁରକ୍ଷା କର୍ତ୍ତୃପକ୍ଷଙ୍କର। ଏହାଛଡା ପୃଥିବୀର ଅନ୍ୟ ଦେଶ ଓ ବିଶ୍ୱସ୍ତରୀୟ ବେସରକାରୀ ଅନୁଷ୍ଠାନଗୁଡ଼ିକର ମଧ୍ୟ ଏ ଦିଗରେ ଭୂମିକା ଥିଲା। ୨୦୦୮ ମସିହାରେ ଆମାଜନର ସୁରକ୍ଷା ପାଇଁ ଏକ ଆନ୍ତର୍ଜାତିକ ପାଣ୍ଠି ଗଢାଗଲା। ବୈଜ୍ଞାନିକମାନଙ୍କର ଆଶଙ୍କା ଯେ ଆମାଜନର ଅବକ୍ଷୟ ଯଦି ଅବାରିତ ଲାଗି ରହେ, ଏପରି ଏକ ସମୟ ପହଞ୍ଚିବ ଯେତେବେଳେ ଆପେ ଆପେ ଜଙ୍ଗଲଟି ବୃକ୍ଷଶୂନ୍ୟ ହୋଇଯିବ। ପରିବର୍ତ୍ତନର ଏଇ ଅଫେରା ବିନ୍ଦୁରେ ଥରେ ପହଞ୍ଚିଲେ ମଣିଷ ଯେତେପ୍ରକାର ଚେଷ୍ଟାକଲେ ମଧ୍ୟ ଜଙ୍ଗଲକୁ ବଞ୍ଚାଇ ପାରିବ ନାହିଁ। ସମୟକ୍ରମେ ଆମାଜନ ଉପତ୍ୟକା ଏକ ଶୁଷ୍କ ତୃଣଭୂମିରେ ପରିଣତ ହେବ ଯାହାକୁ ଦକ୍ଷିଣ ଆମେରିକାରେ ‘ସେରାଡୋ’ ବୋଲି କୁହାଯାଏ। ଏହା ହେଲେ ଆମାଜନ ଉପତ୍ୟକାର ଜୈବ ବିବିଧତା ଦ୍ରୁତ ଗତିରେ କମିବା ଆରମ୍ଭ ହେବ ଓ ହଜାର ହଜାର ସଂଖ୍ୟାରେ ଜୀବ ବିଲୁପ୍ତ ହୋଇଯିବେ। ସମଗ୍ର ଦକ୍ଷିଣ ଆମେରିକାର ଜଳବାୟୁରେ ଦ୍ରୁତ ପରିବର୍ତ୍ତନ ହେବ ଏବଂ କୋଟିକୋଟି ଟନ୍‍ର ଅଙ୍ଗାରକାମ୍ଲ ବାଷ୍ପ ନିର୍ଗତ ହେବ ପରିବେଶ ମଧ୍ୟକୁ।

ଉପରୋକ୍ତ କାରଣରୁ ଆମାଜନ ଉପତ୍ୟକାରେ ଯାହା ହେଉଛି, ତାହା କେବଳ ବ୍ରାଜିଲ ବା ଦକ୍ଷିଣ ଆମେରିକା ନୁହେଁ, ଏହାର ଗୁରୁତ୍ୱ ରହିଛି ସମଗ୍ର ପୃଥିବୀ ପାଇଁ ଓ ମାନବ ସମାଜ ପାଇଁ। ଏହାକୁ ନିଜ ସଂପତ୍ତି କହି ନଷ୍ଟ କରିବାର ଅଧିକାର କୌଣସି ଦେଶର ନାହିଁ ବୋଲି କହିବାର ଦାୟିତ୍ୱ ଓ ଅଧିକାର ବିଶ୍ୱବାସୀଙ୍କର ରହିଛି।
ଜଳବାୟୁ ପରିବର୍ତ୍ତନର ଗତିକୁ କମାଇବା ମାନବ ସମାଜର ସୁରକ୍ଷା ପାଇଁ ଅତ୍ୟନ୍ତ ଜରୁରୀ ହୋଇପଡିଥିବା ବେଳେ କେବଳ ଆମାଜନ ଜଙ୍ଗଲ ନୁହେଁ, ପୃଥିବୀର ଅନ୍ୟ ଦେଶଗୁଡିକରୁ ସୀମା ମଧ୍ୟରେ ଥିବା ଜୈବ ବିବିଧତାରେ ସମୃଦ୍ଧ ସମସ୍ତ ପ୍ରକାର ପ୍ରାକୃତିକ ସଂପଦ କେବଳ ସଂପୃକ୍ତ ଦେଶର ନୁହେଁ, ବରଂ ସମଗ୍ର ପୃଥିବୀର ବୋଲି ବିବେଚନା କରିବାକୁ ପଡିବ ଏବଂ କୌଣସି ରାଷ୍ଟ୍ର ତା’ର ସୁରକ୍ଷାରେ ଖିଲାପ କଲେ ବିଶ୍ୱବାସୀଙ୍କର ତାକୁ ତାଗିଦା କରିବାର ଅଧିକାର ରହିବା ଉଚିତ ହେବ। ଅନେକ ସମୟରେ ଦେଖାଯାଏ ଅର୍ଥନୈତିକ ବିକାଶ ଓ ସାଧାରଣ ଲୋକଙ୍କର ଜୀବନଧାରଣ ମାନରେ ଉନ୍ନତି ଆଳରେ ବିଭିନ୍ନ ଦେଶ ଓ ରାଜ୍ୟର ସରକାର ପ୍ରାକୃତିକ ପରିବେଶ ଓ ଜୈବ ବିବିଧତାର ସୁରକ୍ଷାକୁ ଅବହେଳା କରିଥାନ୍ତି; କିନ୍ତୁ ପ୍ରକୃତରେ ତଥାକଥିତ ବିକାଶର ଏହି କୃତ୍ରିମ ନକ୍ସାଟି ସ୍ଥାନୀୟ ମାନବଗୋଷ୍ଠୀ ପାଇଁ ବିନାଶର ରାସ୍ତା ଖୋଲିଥାଏ ଓ ବିଶ୍ୱ ପାଇଁ ମଧ୍ୟ ହାନିକାରକ ହୋଇଥାଏ। ଏହି ବିଷୟ ଉତ୍‍ଥାପନ କରୁଥିବା ନାଗରିକ ସମାଜ ଅନୁଷ୍ଠାନଗୁଡିକୁ ଗୁରୁତ୍ୱ ଦେବା ପରିବର୍ତ୍ତେ ସଂପୃକ୍ତ ଶାସକମାନେ ସେମାନଙ୍କ ପ୍ରତି ଶତ୍ରୁତା ଆଚରଣ କରିବା ଏକ ସାଧାରଣ ଘଟଣା, ଏପରି କି ଗଣତାନ୍ତ୍ରିକ ରାଷ୍ଟ୍ରମାନଙ୍କରେ।
ନିୟୁତ ନିୟୁତ ବର୍ଷ ପୂର୍ବେ ମହାଜାଗତିକ ପ୍ରକ୍ରିୟାରେ ଯେତେବେଳେ ପୃଥିବୀ ନାମକ ଗ୍ରହଟିଏ ସୃଷ୍ଟି ହେଲା, ସେଥିରେ ପ୍ରାକୃତିକ ବିବିଧତା ଥିଲା, କିନ୍ତୁ ମନୁଷ୍ୟକୃତ ସୀମା ସରହଦ ନଥିଲା; ଆଜି ଯେତେବେଳେ ସେଇ ଗ୍ରହଟିରେ ଜୀବନର ସ୍ଥିତି ବିପନ୍ନ ପ୍ରାୟ, ମନୁଷ୍ୟ କଳ୍ପନା-ପ୍ରସୂତ ରାଷ୍ଟ୍ରଭିତ୍ତିକ ସାର୍ବଭୌମତ୍ୱ କେତେ ଅଳୀକ, ତାହା ବିଶ୍ୱବାସୀଙ୍କୁ ହୃଦୟଙ୍ଗମ କରିବାକୁ ପଡିବ। ଶାସକମାନେ ନିଜକୁ ଅପରାଜେୟ ଓ ଅପରିବର୍ତ୍ତନୀୟ ବୋଲି ମନେ କରୁଥିଲେ ମଧ୍ୟ ବିଶ୍ୱ ଓ ମାନବ ସମାଜର ଭବିଷ୍ୟତକୁ ବିପନ୍ନ କରିବାର ଅଧିକାର ସେମାନଙ୍କର ନାହିଁ, ସେମାନେ ଉପଲବ୍ଧି କରିବେ- ଏହା ହିଁ ଆଜିର କାମନା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories