mission shakti banner

ଦେଶରେ ଜଳକୃଷି ଉତ୍ପାଦନ ବୃଦ୍ଧିରେ ସିଫାର ଭୂମିକା ଗୁରୁତ୍ୱପୂର୍ଣ୍ଣ

ସିଫାର ୩୭ତମ ସ୍ୱନକ୍ଷତ୍ର ଦିବସ ପାଳିତ

BSKY banner  750×100

ପିପିଲି:ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା)ର ୩୭ତମ ସ୍ୱନକ୍ଷତ୍ର ଦିବସ ସିଫା ପରିସରରେ ସୋମବାର ଦିନ ସମାରୋହରେ ପାଳିତ ହୋଇଯାଇଛି । ସମଗ୍ର ଦେଶରେ ମତ୍ସ୍ୟ ଗବେଷଣା କ୍ଷେତ୍ରରେ ସିଫା ଉଲ୍ଲେଖନୀୟ ସ୍ଥାନ ହାସଲ କରିଥିବା ବେଳେ ଦେଶରେ ଜଳକୃଷି ଉତ୍ପାଦନ ବୃଦ୍ଧିରେ ସିଫାର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି ।

ଏହି ଅବସରରେ ସିଫାର ନିର୍ଦ୍ଦେଶକ ଡଃ ପ୍ରମୋଦ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ କୋଲକାତା ସ୍ଥିତ ଜୁଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆର ନିର୍ଦ୍ଦେଶକ ଡଃ ଧ୍ରୀତି ବାନାର୍ଜୀ ଯୋଗଦେଇ ନିଜର ଅଭିଭାଷଣରେ କହିଥିଲେ ଯେ ପ୍ରକୃତିକୁ ରକ୍ଷା କଲେ ମାନବ ସମାଜ ଦୀର୍ଘଜୀବି ହେବ। ଜୁଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରତିବର୍ଷ ପ୍ରାୟ ୩ଶହ ପ୍ରଜାତିର ନୂତନ ପ୍ରାଣୀକୁ ଚିହ୍ନଟ କରାଯାଉଥିବା ବେଳେ ନିକଟ ଅତୀତରେ ଦୀଘାରୁ ଏକ ନୂଆ ପ୍ରଜାତିର ମାଛ ଆବିଷୃତ ହୋଇଥିବା ସଂପର୍କରେ ସେ ସୂଚନା ଦେଇଥିଲେ।

ଏହି ଅବସରରେ ଜୁଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ଏବଂ ସିଫା ମଧ୍ୟରେ ମିଳିତ ଗବେଷଣା ପାଇଁ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିବା ଡଃ ବାନାର୍ଜୀ ପ୍ରକାଶ କରିଥିଲେ। ସମ୍ମାନୀତ ଅତିଥି ଭାବେ କଟକ ସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଡଃ ଅମରେଶ କୁମାର ନାୟକ ଯୋଗଦେଇ ନିଜ ବକ୍ତବ୍ୟରେ ମତ୍ସ୍ୟ ବିଜ୍ଞାନ କ୍ଷେତ୍ରକୁ ସିଫାର ଅବଦାନ ସଂପର୍କରେ ଆଲୋକପାତ କରିବା ସହ ସମାଜର ନିମ୍ନସ୍ତରରେ ଥିବା ମତ୍ସ୍ୟଚାଷୀ ଏବଂ ମହିଳା କୃଷିଜୀବିଙ୍କୁ ସଶକ୍ତିକରଣ କରିବାରେ ସିଫାର ଅବଦାନ ସଂପର୍କରେ ପ୍ରକାଶ କରିଥିଲେ।

ଅନ୍ୟତମ ଅତିଥି ଭାବେ ଭୁବନେଶ୍ୱର ସ୍ଥିତ ଜୀବ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡଃ ଦେବାଶିଷ ଦାଶ ଯୋଗଦେଇ ସିଫା ଓ ଆଇଏଲ୍ଏସ୍ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଗବେଷଣା ସହଯୋଗ ଚାଲୁ ରହିଥିବା ସଂପର୍କରେ ଆଲୋକପାତ କରିଥିଲେ।

ସିଫାର ସଫଳତାର କାହାଣୀ ଉପରେ ନିର୍ଦ୍ଦେଶକ ଡଃ ସାହୁ ସମ୍ୟକ ସୂଚନା ଦେବା ଅବସରରେ କ୍ୟାଟ୍ଫିସ୍ ର ସଫଳ ପ୍ରଜନନ, ବିଭିନ୍ନ ଜୀନ୍ ଏଡିଟିଂ ଟେକ୍ନୋଲୋଜିରେ ସଫଳତା, ଅଟୋମେଟିକ୍ ଫିସ୍ ଫିଡର୍, ଆର୍ଏଏସ୍, ରଙ୍ଗୀନ ମାଛପୋଖରୀ, ଆଞ୍ଚଳିକ ଭାଷାରେ ମତ୍ସ୍ୟସେତୁ ଆପ୍, ଇଂରାଜୀ ଏବଂ ୧୧ଟି ଆଞ୍ଚଳିକ ଭାଷାରେ ସିଫାର ୱେବ୍ପୋର୍ଟାଲ ପ୍ରସ୍ତୁତି କରାଯାଇ ଜନସାଧାରଣଙ୍କୁ ମତ୍ସ୍ୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ପ୍ରଦାନ କରାଯାଉଥିବା ସଂପର୍କରେ ପ୍ରକାଶ କରିଥିଲେ। ବର୍ତ୍ତମାନ ସୁଦ୍ଧା ୧୨ଗୋଟି ବୈଷୟିକ, ଉତ୍ପାଦନ ଓ ମେଥୋଡୋଲୋଜିରେ ସିଫା ଆଇସିଏଆର୍ ଠାରୁ ପ୍ରମାଣପତ୍ର ପାଇସାରିଥିବା ବେଳେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଗବେଷଣା ପ୍ରତିଷ୍ଠାନ ସହିତ ସିଫାର ୧୩ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିବା ଏବଂ ୩ଟି ପ୍ୟାଟେଂଟ ହାସଲ କରିଥିବା ସଂପର୍କରେ ଡଃ ସାହୁ ସୂଚନା ଦେଇଥିଲେ।

ଏହି ଅବସରରେ ସିଫା ପକ୍ଷରୁ ପ୍ରକାଶିତ ୯ଟି ପ୍ରକାଶନକୁ ଅତିଥିଙ୍କ ଦ୍ୱାରା ଉନ୍ମାଚନ କରାଯାଇଥିଲା। ଏହି ଅବସରରେ ଅତିଥିମାନଙ୍କୁ ସଂବର୍ଦ୍ଧିତ କରାଯାଇଥିବା ବେଳେ କେତେକ କୃତି ମତ୍ସ୍ୟ ବୈଜ୍ଞାନିକ, କର୍ମଚାରୀଙ୍କୁ ଓ ଗବେଷଣାରତ ଛାତ୍ରଛାତ୍ରୀଙ୍କୁ ଏସ୍. ସୁଶିଲାମା ସ୍ମୃତି ପୁରସ୍କାର, ଡଃ ଗିରିଶ ଚନ୍ଦ୍ର ଚୌଧୁରୀ ସ୍ମୃତି ପୁରସ୍କାର, ଡଃ ଟି. ରାମପ୍ରଭୁ ସ୍ମୃତି ପୁରସ୍କାର, ଡଃ ବି. ଆର୍. ମହାନ୍ତି ସ୍ମୃତି ପୁରସ୍କାର ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଓ ଆଖପାଖରେ ଥିବା ଆଇସିଏଆର୍ ସଂସ୍ଥା ଯଥା ଏନ୍ଆର୍ଆର୍ଆଇ ଓ ସିୱାର ନିର୍ଦ୍ଦେଶକ, ଏନ୍ଏଫ୍ଡିବି ପ୍ରତିନିଧିଙ୍କ ସମେତ ସିଫାର ଅନେକ ପ୍ରାକ୍ତନ ବୈଜ୍ଞାନିକ ଓ କର୍ମଚାରୀମାନେ ଯୋଗଦେଇଥିଲେ । ସିଫାର ମତ୍ସ୍ୟ ଅନୁବଂଶୀୟ ବିଭାଗୀୟ ମୁଖ୍ୟ ଡଃ ଜେ. କେ. ସୁନ୍ଦରାୟ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ସଂନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

Comments are closed.