ଚୁଡ଼ା, ମୁଢ଼ିରେ ଟିକସ ପ୍ରସଙ୍ଗ ଗଣ ଆନ୍ଦୋଳନର ମୁଣ୍ଡ ଟେକୁଛି

ଭୁବନେଶ୍ବର : ସ୍ବାଧୀନତାର ୭୫ ବର୍ଷ ଭିତରେ ଯେଉଁ ଖାଦ୍ୟ ସାମଗ୍ରୀଗୁଡ଼ିକ ଉପରେ ସରକାର ଟିକସ ଧାର୍ଯ୍ୟ କରି ନ ଥିଲେ, ତାହା ଏବେ କରିବାକୁ ଯାଉଛନ୍ତି। ଏହାଫଳରେ କେବଳ ବ୍ୟବସାୟୀ ନୁହନ୍ତି ବରଂ ସାଧାରଣ ଗରିବ ଲୋକ ଆର୍ଥିକ, ପାରିବାରିକ ଏବଂ ସାମାଜିକ ସମସ୍ୟାର ସମ୍ମୁଖୀନ ହେବେ। ତେଣୁ ଦେଶବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଖାଦ୍ୟ ପଦାର୍ଥ ଉପରେ କେନ୍ଦ୍ର ସରକାର ଯେଉଁ ୫ ପ୍ରତିଶତ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଲଗାଇବାକୁ ଯାଉଛନ୍ତି, ସେଥିରୁ ବିରତ ରୁହନ୍ତୁ। ଏ ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରାଯାଉ। ନଚେତ୍ ଆଗାମୀ ଦିନରେ ଏଥିପାଇଁ ଆମେ ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେବୁ। ଖାଦ୍ୟ ସାମଗ୍ରୀ ଉପରେ ଟିକସ ଆଦାୟକୁ ଦୃଢ଼ ବିରୋଧ କରି ସରକାରଙ୍କୁ ଏଭଳି ଚେତାବନୀ ଶୁଣାଇଛି ଓଡ଼ିଶା ବ୍ୟବସାୟୀ ମହାସଂଘ।
ଭୁବନେଶ୍ବରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମହାସଂଘର ମହାସଚିବ ସୁଧାକର ପଣ୍ଡା କହିଛନ୍ତି, ଜିଏସଟି ପ୍ରଚଳନ ସମୟରେ ଏହା ସରଳ ଟିକସ ବ୍ୟବସ୍ଥା ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ହେଲେ ଏହା କ୍ରମଶଃ ଅଧିକ ଜଟିଳ ହେବାରେ ଲାଗିଛି। ଜିଏସଟି ନେଇ ସରକାର କୌଣସି ସ୍ପଷ୍ଟତା ପ୍ରକାଶ କରୁନାହାନ୍ତି। ଯାହାଫଳରେ ବ୍ୟବସାୟୀଙ୍କ ସମେତ ସରକାରୀ ଅଧିକାରୀ ମଧ୍ୟ ଅନ୍ଧାରରେ ରହୁଛନ୍ତି। କୋଭିଡ୍ ମହାମାରୀ କାରଣରୁ ଲୋକଙ୍କ କ୍ରୟଶକ୍ତି ହ୍ରାସ ପାଇଥିବାବେଳେ ଖାଦ୍ୟ ସାମଗ୍ରୀ ଯଥା-ମୁଢ଼ି, ଚୁଡ଼ା, ଖଇ, ଉଖୁଡ଼ା ଆଦିରେ ସରକାର ଟିକସ ଧାର୍ଯ୍ୟ କରିଛନ୍ତି। ଯାହା ବୋଝ ଉପରେ ନଳିତା ବିଡ଼ା ସଦୃଶ। ଏହାଦ୍ବାରା ଦେଶର ପ୍ରାୟ ୬୫୦୦ କୃଷି ମଣ୍ଡି, ୧୨ ହଜାର ଡାଲି ମିଲ, ୯ ହଜାର ଚାଉଳ ମିଲ ଏବଂ ୮ ହଜାର ଅଟା ମିଲ ପ୍ରଭାବିତ ହେବ। ଦେଶର ପ୍ରାୟ ୪ କୋଟି ଛୋଟ ବ୍ୟବସାୟୀ ଓ ୨୦ ଲକ୍ଷ ଛୋଟ ମିଲ ଜୀବନଜୀବିକା ହରାଇବେ। କିଛି କର୍ପୋରେଟ୍ ହାଉସ୍ ଓ ସରକାରୀ ଅଧିକାରୀଙ୍କ ସ୍ବାର୍ଥ ପାଇଁ ଛୋଟ ଓ ସଚ୍ଚୋଟ ବ୍ୟବସାୟୀଙ୍କୁ ବୃତ୍ତି ହରାଇବାକୁ ବାଧ୍ୟ କରାଯାଉଛି। ଖାଦ୍ୟ ସାମଗ୍ରୀରେ ଟିକସ ଲାଗୁ ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଉ ବୋଲି ମହାସଂଘ ଦାବି ଜଣାଇଛି। ସେହିପରି ରାଜ୍ୟ ଅର୍ଥମନ୍ତ୍ରୀ ମଧ୍ୟ ଜିଏସଟି ପରିଷଦ ବୈଠକରେ ଏହାକୁ ଦୃଢ଼ ଭାବେ ଉପସ୍ଥାପନ କରନ୍ତୁ ବୋଲି ମହାସଚିବ ଶ୍ରୀ ପଣ୍ଡା କହିଛନ୍ତି। ଯଦି ସରକାର ଏ ନିଷ୍ପତ୍ତିକୁ ପ୍ରତ୍ୟାହାର ନ କରନ୍ତି, ତାହେଲେ ଆସନ୍ତା ୨୬ରେ ଭୋପାଳ ଠାରେ ହେବାକୁ ଥିବା ସର୍ବଭାରତୀୟ ବୈଠକରେ ମହାସଂଘର ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ଚେତାଇ ଦେଇଛନ୍ତି।
ଅନ୍ୟପକ୍ଷରେ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ନିଷେଧ ନିମନ୍ତେ ସରକାର ନେଇଥିବା ନିଷତ୍ତିକୁ ବ୍ୟବସାୟୀ ଗ୍ରହଣ କରୁଛନ୍ତି। ‌େ‌ହଲେ ପ୍ଲାଷ୍ଟିକର ବିକଳ୍ପ ଏବେସୁଦ୍ଧା ବଜାରରେ ଉପଲବ୍ଧ ହୋଇ ନ ଥିବାବେ‌େ‌ଳ ସରକାରଙ୍କ ତରଫରୁ ବିଭିନ୍ନ ସ୍ଥାନରେ ଛୋଟ ବ୍ୟବସାୟିକ ଅନୁଷ୍ଠାନରେ ଚଢ଼ାଉ କରି ଦଣ୍ଡିତ କରାଯାଉଛି। ପ୍ଲାଷ୍ଟିକର ବିକଳ୍ପ ନ ଆସିବା ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖିବାକୁ ମହାସଂଘ ସରକାରଙ୍କୁ ଦାବି ଜଣାଇଛି। ଏଥିସହ ଖାଦ୍ୟ ନିରାପତ୍ତା ଆଇନ ଅଧୀନସ୍ଥ ଅନୁମତି ପତ୍ର ପାଇଁ ପ୍ରତ୍ୟେକ ବର୍ଷ ନବୀକରଣ ପାଇଁ ଯେଉଁ ନିୟମ ରହିଛି, ତାକୁ ପରିବର୍ତ୍ତନ କରି ଲାଇସେନ୍ସ ନବୀକରଣ ଗୋଟିଏ ଥର ପାଇଁ କରାଯାଉ ବୋଲି ମହାସଂଘ ଦାବି କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମହାସଂଘ ଉପସଭାପତି ପ୍ରଦୀପ ଦେବତା ଓ ଗୌରଚନ୍ଦ୍ର ପଣ୍ଡା, କୋଷାଧ୍ୟକ୍ଷ ଗିରିଶ ପ୍ରସାଦ ରଥ, ସମ୍ପାଦକ ସଦାଶିବ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

kalyan agarbati

Comments are closed.