ଚିନ୍ତାକଳ୍ପ: ସବୁଠୁ ସଶକ୍ତ
ବେତାଳ ଭଟ୍ଟ କେବଳ ମହାତାନ୍ତ୍ରିକ ନଥିଲେ, ସର୍ବସାଧାରଣଙ୍କ ମହାମାନ୍ୟ ଥିଲେ। ଜୀବନର ଅଧିକାଂଶ ସମୟ କେତେବେଳେ ବେତାଳ ସାଧନାରେ ତ କେତେବେଳେ ରଣଭୂମିରେ କଟିଥିଲା। ସେ ଏଭଳି ପ୍ରତିପତ୍ତିଶାଳୀ ଥିଲେ ଯେ ସମ୍ରାଟ ବିକ୍ରମାଦିତ୍ୟ ତାଙ୍କର ବିନା ପରାମର୍ଶରେ କୌଣସି କାର୍ଯ୍ୟ କରୁନଥିଲେ। ତାଙ୍କର ସହାୟତା ବିନା ସେ ନିଜକୁ ଅସହାୟ ମନେ କରୁଥିଲେ। ସବୁ ସମସ୍ୟାର ସମାଧାନ ସେ ନିମିଷକରେ କରିଦେଉଥିଲେ।
ସମୟ ଅତିକ୍ରାନ୍ତ ହେଲା। ଏକ ସମୟରେ ସମ୍ରାଟ ବିକ୍ରମାଦିତ୍ୟଙ୍କ ଅନ୍ତରଙ୍ଗ ଏହି ସର୍ବମାନ୍ୟ ବ୍ୟକ୍ତି ଜଣକ ବିବଶ ହୋଇପଡ଼ିଲେ। ବୟସର ଅପରାହ୍ଣରେ ହଠାତ ମନକୁ ଆସିଲା ମୁଁ ଯେ ଏତେ ଷଡ଼ଯନ୍ତ୍ର, କୂଟନୀତି, ଫନ୍ଦିଫିକର ରଚନା କରୁଛି ସେ ସବୁ କ’ଣ ପାଇଁ, କାହା ଉଦ୍ଦେଶ୍ୟରେ? ଅନ୍ୟକୁ କୂଟନୀତିର ଫାଶରେ ଫସାଇ ଅକ୍ଳେଶରେ ପରାହତ କରି ପାରୁଥିବା ଏହି ବ୍ୟକ୍ତି ଅନୁଭବ କଲେ ମୁଁ ଯେ ନିଜକୁ ଶକ୍ତିମାନ ବୋଲି ଭାବୁଛି; ପ୍ରକୃତରେ ତାହା ନିଚ୍ଛକ ଛଳନା, ଶଠତା ମାତ୍ର। ପ୍ରକୃତରେ ସବୁଠାରୁ ସଶକ୍ତ ହେଉଛନ୍ତି କାଳପୁରୁଷ। କାଳପୁରୁଷର ଫାଶରୁ ଆଜି ପର୍ଯ୍ୟନ୍ତ କେହି ହେଲେ ବର୍ତ୍ତି ପାରିନାହାନ୍ତି। ଅତିକ୍ରାନ୍ତ ବୟସରେ ବିବେକ ଚକ୍ଷୁର ଉନ୍ମୀଳନରେ ଏହା ତାଙ୍କର ହୃଦ୍ବୋଧ ହେଲା। ଫଳତଃ ଯାବତୀୟ ସଂସାରିକ ମୋହ, ମାୟା, ବନ୍ଧନ, ଆସକ୍ତି ତୁଟି ଯାଇଥିଲା। ରାଜସିକ ଥାଟବାଟ, ପୋଷାକ-ପରିଚ୍ଛଦ ସବୁ ତୁଚ୍ଛ ବୋଧ ହୋଇଥିଲା। ସେସବୁ ପରିହାର କରି ସାଧାରଣ ବେଶଭୂଷା ପରିଧାନ କରିିଥିଲେ। ନୂଆ ଜୀବନ ଜିଇବାକୁ ବିବେକ ହାତଠାରି ଡାକିଲା। ହାତରେ ଖଣ୍ଡେ ଯଷ୍ଟି, ଗେରୁଆ ବସ୍ତ୍ର ପରିଧାନ କରି, ଖଣ୍ଡେ ଉତ୍ତରୀୟ କାନ୍ଧରେ ପକାଇ ବାହାରି ପଡ଼ିଥିଲେ।
ସିପ୍ରା ନଦୀର ତଟଦେଶରେ ଦଣ୍ଡାୟମାନ ହୋଇ ନିଜର ଅତିପ୍ରିୟ ଅବନ୍ତିକା ନଗରୀ ଓ ଭଗବାନ ମହାକାଳଙ୍କ ଉଦ୍ଦେଶ୍ୟରେ ପ୍ରଣାମ କରି ଆଗକୁ ଆଗେଇଲେ। ମାତ୍ର ୨୦-୨୫ ହାତ ଯାଇଛନ୍ତି କି ନାହିଁ ହଠାତ୍ ହାବୁଡ଼ିଗଲେ ମହାକବି କାଳିଦାସ।
ପଛରୁ ଡାକି ପଚାରିଥିଲେ- ବେତାଳ ଭଟ୍ଟ! ଆଜି କେଉଁ କୂଟକୌଶଳ ପ୍ରୟୋଗରେ କାର୍ଯ୍ୟ ହାସଲ ପାଇଁ ଏଭଳି ଅଦ୍ଭୁତ ବେଶ ଧାରଣ କରି ବାହାରିଛନ୍ତି ଯେ?
‘ଏପର୍ଯ୍ୟନ୍ତ ମୁଁ ଅନ୍ନଦାତାଙ୍କ ସ୍ବାର୍ଥ ହାସଲ ପାଇଁ ଅପର ସହ ଯୁଦ୍ଧ ତଥା ଅନ୍ୟ କାର୍ଯ୍ୟରେ ଲିପ୍ତ ରହିିଥିଲି। ହେଲେ ଏବେ ମୁଁ ନିଜସହ ଅନ୍ତିମ ଓ ନିର୍ଣ୍ଣାୟକ ଯୁଦ୍ଧ କରିବା ନିମନ୍ତେ ଯାଉଛି’- ବେତାଳ କହିଥିଲେ। ହେଲେ ଏହାଦ୍ବାରା ଅବନ୍ତିକା ନଗରୀର କ’ଣ ହେବ- କାଳିଦାସ ପ୍ରଶ୍ନ କରିଥିଲେ।
ସବୁକିଛି ସ୍ବାର୍ଥର ମୋହ। ମନୁଷ୍ୟ ଅହଂକାର ବଶତଃ ଯାହା ଭାବେ ଅଥବା କରିଥାଏ ତାହା ଭବିଷ୍ୟତ ପିଢ଼ିର ଉନ୍ନତିରେ ବାଧକ ନିଶ୍ଚୟ। ଢ଼େର ହୋଇଗଲା, ଆଉ ନୁହେଁ- ଏହା କହି ବେତାଳ ଭଟ୍ଟ ଆଗକୁ ବଢ଼ିଥିଲେ। ଦେଶସାରା ଖବର ପ୍ରଚାରିତ ହୋଇଯାଇଥିଲା ଯେ ମହାତାନ୍ତ୍ରିକ, ମହାମାନ୍ୟ ବେତାଳ ଭଟ୍ଟ ବାନପ୍ରସ୍ଥ ଦୀକ୍ଷା ଗ୍ରହଣ କରି ନିଜକୁ ସମାଜସେବାରେ ସମର୍ପିତ କରିଛନ୍ତି।