ସ୍ବାମୀ ଚିନ୍ମୟାନନ୍ଦ ମାମଲା; ଛାତ୍ରୀଙ୍କୁ ଅଦାଲତରେ ୫ଘଣ୍ଟା ଜେରା

0

ସାହାଜାହନପୁର: ସ୍ବାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ବଳାତ୍କାର ଓ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ଉତ୍ତରପ୍ରଦେଶ ସାହାଜାହାନପୁରର ଆଇନ ଛାତ୍ରୀଙ୍କୁ ସୋମବାର ଅଦାଲତରେ ହାଜର କରାଯାଇଛି। ଏଠାରେ ତାଙ୍କୁ ପ୍ରୟା ୫ଘଣ୍ଟା ଜେରା ସହ ବିଭିନ୍ନ ପରୀକ୍ଷାନିରୀକ୍ଷା କରାଯାଇଥିବା ଜଣାପଡ଼ିଛି। ଅଦାଲତକୁ ନିଆଯିବା ସମୟରେ ତାଙ୍କୁ କଡ଼ା ସୁରକ୍ଷା ପ୍ରଦାନ କରାଯାଇଥିଲା। ପ୍ରାୟ ୫୦ ପୁଲିସ କର୍ମଚାରୀ ତାଙ୍କୁ ଘେରି ରହିଥିଲେ। ଶୁକ୍ରବାର ଛାତ୍ରୀଙ୍କୁ ସେ ରହୁଥିବା ହଷ୍ଟେଲକୁ ନିଆଯାଇଥିଲା। ସେଠାରେ ପ୍ରମାଣସବୁ ନଷ୍ଟ କରାଯାଇଥିବା ସେ ପୁଲିସକୁ ଦର୍ଶାଇଥିଲେ। ଚିନ୍ମୟାନନ୍ଦଙ୍କ ଆଶ୍ରମରୁ ମଧ୍ୟ ସମସ୍ତ ପ୍ରମାଣ ନଷ୍ଟ କରାଯାଇଥିବା ସେ କହିଥିଲେ। ତାଙ୍କ ନିକଟରେ ଅଭିଯୋଗ ପ୍ରମାଣିତ କରିବା ପାଇଁ ଆହୁରି ତଥ୍ୟ ରହିଛି ଏବଂ ଏହା ଦ୍ବିତୀୟ ପେନ୍‌ ଡ୍ରାଇଭ୍‌ରେ ରହିଥିବା ଏହି ​୨୩ବର୍ଷୀୟା ଦ୍ବିତୀୟ ବର୍ଷ ଆଇନ ଛାତ୍ରୀ କହିଛନ୍ତି। ପୂର୍ବରୁ ସେ ପ୍ରମାଣ ସ୍ବରୂପ ଗୋଟିଏ ପେନ୍‌ ଡ୍ରାଇଭ୍‌ ପୁଲିସକୁ ଦେଇଛନ୍ତି। ଚିନ୍ମୟାନନ୍ଦ ହେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା। ସେ ସମ୍ପୃକ୍ତ ଛାତ୍ରୀଙ୍କୁ ବର୍ଷେକାଳ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଛାତ୍ରୀଙ୍କ ଅଭିଯୋଗକ୍ରମେ ସୁପ୍ରିମକୋର୍ଟ ନିର୍ଦେଶାନୁଯାୟୀ ଏହି ମାମଲାର ତଦନ୍ତ ପାଇଁ ଏସ୍‌ଆଇଟି ଗଠନ କରାଯାଇଛି। ଛାତ୍ରୀ ଦିଲ୍ଲୀର ଏକ ଥାନାରେ ୧୨ପୃଷ୍ଠାର ଏତଲା ଦାୟର କରିଥିଲେ ମଧ୍ୟ ଅଦ୍ୟାବଧି ଏହାକୁ ବଳାତ୍କାର ଅଭିଯୋଗ ଭାବେ ପୁଲିସ ଦରଜ କରି ନାହିଁ।

kalyan agarbati
Leave A Reply