www.samajalive.in
Sunday, December 14, 2025
23.1 C
Bhubaneswar

ପାକିସ୍ତାନକୁ ପଞ୍ଚମ ପିଢିର ୪୦ ଲଢ଼ୁଆ ବିମାନ ବିକିବ ଚୀନ

ବେଜିଂ/ଇସଲାମାବାଦ: ଚୀନ୍‌ ଆଗାମୀ ଦିନରେ ପାକିସ୍ତାନକୁ ପଞ୍ଚମ ପିଢିର ୪୦ଟି ଅତ୍ୟାଧୁନିକ ଲଢୁଆ ବିମାନ ବିକ୍ରି କରିବ ବୋଲି ଜଣାପଡିଛି। ଯଦି ଏ ସଂକ୍ରାନ୍ତ ରାଜିନାମା ସ୍ବାକ୍ଷରିତ ହୁଏ, ତେବେ ଚୀନ ନିର୍ମିତ ଏଭଳି ଯୁଦ୍ଧ ବିମାନ ହାତେଇବାରେ ପାକିସ୍ତାନ ପ୍ରଥମ ବିଦେଶୀ ରାଷ୍ଟ୍ରର ମାନ୍ୟତା ପାଇବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ ଚୀନ ଇତିମଧ୍ୟରେ ଜେ-୩୫ଏ ନାମକ ଏହି ଅତ୍ୟାଧୁନିକ ଯୁଦ୍ଧ ବିମାନ ନିର୍ମାଣ କରିଥିବାବେଳେ ଏହାକୁ ନିଜର ବାୟୁସେନାରେ ସାମିଲ କରିସାରିଛି। ଆମେରିକାର ଏଫ୍‌-୩୫ ବିମାନ ସହ ଚୀନ୍‌ ନିର୍ମିତ ଏହି ବିମାନର ଯଥେ​‌ଷ୍ଟ ସାମଞ୍ଜସ୍ୟ ରହିଛି। ହଂକଂସ୍ଥିତ ସମ୍ବାଦପତ୍ର ‘ସାଉତ୍‌ ଚାଇନା ମର୍ଣ୍ଣିଂ ପୋଷ୍ଟ’ର ସୂଚନା ଅନୁଯାୟୀ ଆସନ୍ତା ଦୁଇବର୍ଷ ମଧ୍ୟରେ ଚୀନ୍‌ ପାକିସ୍ତାନକୁ ୪୦ଟି ଜେ-୩୫ଏ ବିମାନ ଯୋଗାଇବାର ସମ୍ଭାବନା ରହିଛି। ଏହି ବିମାନ ନିର୍ମାଣ ପାଇଁ ଚୀନ୍‌ର କାରଖାନାରେ କାର୍ଯ୍ୟ ଆଗେଇ ଚାଲିଛି। ଉକ୍ତ ବିମାନରେ ଲାଗୁଥିବା ସମସ୍ତ ଯନ୍ତ୍ରାଂଶ ଚୀନ ନିଜେ ପ୍ରସ୍ତୁତ କରୁଥିବାରୁ ନିର୍ମାଣ କାର୍ଯ୍ୟରେ ବିଳମ୍ବ ଘଟିବ ନାହିଁ ବୋଲି ଆଶା କରାଯାଉଛି। ଚୀନ୍‌ ନିକଟରୁ ଏଭଳି ବିମାନ କିଣିବାକୁ ପାକିସ୍ତାନ ବାୟୁସେନା ସବୁଜ ସଙ୍କେତ ଦେଇସାରିଛି। ଅପରପକ୍ଷରେ ପାକିସ୍ତାନ ବାୟୁସେନାରେ ଏହି ବିମାନ ସାମିଲ ହେଲେ, ଏହା ଆଞ୍ଚଳିକ ସମୀକରଣକୁ ବଦଳାଇ ଦେବ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି। ଜେ-୩୫ଏ ବିମାନ ଏକ ଆସନ ବିଶିଷ୍ଟ ହୋଇଥିବାବେଳେ ଏଥିରେ ଦୁଇଟି ଇଞ୍ଜିନ ଖଞ୍ଜାଯାଇଛି। ସ୍ଥଳ ଓ ଜଳପଥ​‌େ​‌ର କୌଣସି ସାମରିକ ଅଭିଯାନକୁ ସାକାର କରିବାରେ ଏହି ବିମାନ ସକ୍ଷମ ବୋଲି କୁହାଯାଇଛି। ଜେ-୨୦ ପରେ ଏହା ହେଉଛି ଚୀନ ଦ୍ବାରା ନିର୍ମିତ ପଞ୍ଚମ ପିଢିର ଯୁଦ୍ଧ ବିମାନ।

ପାକିସ୍ତାନର ଅର୍ଥନୀତି ବର୍ତ୍ତମାନ ବିପର୍ଯ୍ୟସ୍ତ ହୋଇପଡିଥିବାବେଳେ ଚୀନ ନିକଟରୁ ଏଭଳି ବିମାନ କିଣିବାରେ କେତେ ଦୂର ସକ୍ଷମ ହେବ ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ବିଶ୍ବ ବ୍ୟାଙ୍କ ଓ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମଏଫ୍‌)ରୁ ମିଳିଥିବା ଅନୁଦାନକୁ ପାକିସ୍ତାନ ବିମାନ କିଣିବାରେ ଖର୍ଚ୍ଚ କରିପାରେ ବୋଲି ଚର୍ଚ୍ଚା ଚାଲିଛି। ଯଦି ଚୀନ ଋଣ ଆକାରରେ ପାକିସ୍ତାନକୁ ଏଭଳି ବିମାନ ବିକ୍ରି କରେ, ତେବେ ପାକିସ୍ତାନ ଏଭଳି ପ୍ରସ୍ତାବରେ ରାଜି ହେବ ବୋଲି ମଧ୍ୟ କୁହାଯାଉଛି। ଏହି ବିମାନ କିଣାଗଲେ, ପାକିସ୍ତାନ ନିଜ ବାୟୁସେନାରୁ ଆମେରିକା ଦେଇଥିବା ଏଫ୍‌-୧୬ ବିମାନକୁ ହଟାଇ ଦେବ ବୋଲି ଅନୁମାନ କରାଯାଉଛି। ପାକିସ୍ତାନର ଆର୍ଥିକ ସ୍ଥିତି ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ ଥିବା ସତ୍ତ୍ବେ ପାକିସ୍ତାନକୁ ଜେ-୩୫ଏ ବିମାନ ଯୋଗାଇବା ପଛରେ ନିଜର ସ୍ବାର୍ଥ ଥିବା ଆଶଙ୍କା କରାଯାଉଛି। ପାକିସ୍ତାନକୁ ଋଣ ଯନ୍ତାରେ ପୂରାଇ ଏହାକୁ ସମ୍ପୂର୍ଣ୍ଣ ବଶୀଭୂତ କରିବାକୁ ଚୀନ ଚକ୍ରାନ୍ତ ଚଳାଇଛି ବୋଲି କୂଟନୈତିକ ମହଲରେ ଆଲୋଚନା ହେଉଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories