ନୂଆଦିଲ୍ଲୀ ..- ଭାରତ ସୀମାକୁ ଲାଗି ରହିଥିବା ତିବ୍ଦତରେ ଚୀନ ମଟୋରାଇଜଡ୍ ତୋପ ମୁତୟନ କରିଛି । ମଟରଗାଡି ଉପରେ ଥିବା ଏହି ତୋପ ଉଚ୍ଚ ସ୍ଥାନରୁ ଶତ୍ରୁଙ୍କୁ କ୍ଷତି ପହଞ୍ଚାଇବାର କ୍ଷମତା ରଖୁଛି । ଚୀନର ପିପୁଲସ୍ ଲିବରେସନ୍ ଆର୍ମି ବି ଏହି କଥାକୁ ସ୍ୱୀକାର କରିଛି । ମଟୋରାଇଜଡ୍ ତୋପକୁ ବହୁ ପରିମାଣରେ ତିବ୍ଦତ ଅଞ୍ଚଳରେ ମୁତୟନ କରାଯାଇଛି ।
ଚୀନର ଭାରତ ଓ ଭୁଟାନ ସହ ସୀମା ବିବାଦ ସମାଧାନ ହୋଇ ନାହିଁ । ସେହି ସମୟରେ ଚୀନ ଏପରି ପଦକ୍ଷେପ ଗ୍ରହଣ କରିଛି । ତିବ୍ଦତର ସ୍ୱାଧୀନତା ସଂଗ୍ରାମ କରୁଥିବା ଶକ୍ତିମାନଙ୍କୁ ପରାହତ କରିବା ପାଇଁ ଏହି ତୋପକୁ ତିବ୍ଦତ ସୀମାରେ ମୁତୟନ କରାଯାଇଥିବା ଚୀନର ସରକାରୀ ଗଣମାଧ୍ୟମ ସୂଚନା ଦେଇଛି ।
ଏହି ପିଏଲ୍ସି-୧୮୧ ତୋପକୁ ବାରମ୍ବାର ସ୍ଥାନ ପରିବର୍ତ୍ତନ କରି ଗୋଳା ବର୍ଷଣ କରାଯାଇ ପାରିବ । ଏହି ତୋପ ୫୦ କିଲୋମିଟର ଦୂରରୁ ଲକ୍ଷ୍ୟ ଭେଦ କରି ପାରିବ । କେବଳ ସେତିକି ନୁହେଁ କୃତ୍ରିମ ଉପଗ୍ରହ ନିରୀକ୍ଷଣରେ ଲେଜର ଗାଇଡେଡ୍ ଗୋଳା ବର୍ଷଣ କରି ପାରିବ ।



