ଅଣମୁସଲମାନ ଦେଶାନ୍ତରୀଙ୍କୁ ନାଗରିକତ୍ବ ଓ ଡିଏନ୍ଏ ଅନୁଶୀଳନ ବିଧେୟକ ଲୋକସଭାରେ ଗୃହୀତ
ନୂଆଦିଲ୍ଲୀ : ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ଥାନରୁ ଭାରତକୁ ଆସିଥିବା ଅଣମୁସଲମାନଙ୍କୁ ନାଗରିକତ୍ବ ପ୍ରଦାନ ସଂକ୍ରାନ୍ତ ବିଧେୟକ ମଙ୍ଗଳବାର ଲୋକସଭାରେ ଗୃହୀତ ହୋଇଛି। ‘ନାଗରିକତ୍ବ ସଂଶୋଧନ ବିଧେୟକ-୨୦୧୯’ ନାମରେ ଏହି ବିଧେୟକକୁ ଉତ୍ତର-ପୂର୍ବାଞ୍ଚଳ ସାଂସଦମାନେ ବିରୋଧ କରିଥିଲେ। ଏ ସମ୍ପର୍କରେ ଆଲୋଚନାବେଳେ ଗୃହରେ କଂଗ୍ରେସ ଓ ବାମପନ୍ଥୀ ସଦସ୍ୟମାନେ ପ୍ରବଳ ହୋହଲ୍ଲା କରିଥିେଲ। ଏନ୍ଡିଏ ଅଂଶୀଦାର ଦଳ ଶିବସେନା ଓ ଜେଡି(ୟୁ) ମଧ୍ୟ ଏହି ବିଧେୟକର ବିରୋଧକରିଥିଲେ। ଏହି ବିଧେୟକକୁ ବିରୋଧ ପୂର୍ବକ ଆସାମ ଗଣ ପରିଷଦ ଏନ୍ଡିଏ ଛାଡ଼ିଥିବାବେଳେ ମିଜୋରାମ ଓ ମେଘାଳୟ କ୍ୟାବିନେଟ୍ରେ ଏହା ବିରୋଧରେ ସଂକଳ୍ପ ଗୃହୀତ ହୋଇଛି। କଂଗ୍ରେସ ପକ୍ଷରୁ ଏହି ବିଧେୟକକୁ ସିଲେକ୍ଟ କମିଟିକୁ ପଠାଇବା ପାଇଁ ଦାବି କରାଯାଇଥିଲା।
ଅପରପକ୍ଷରେ ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ଏହି ବିଧେୟକ ଗୃହୀତ ହେବା ଦ୍ବାରା ଦେଶରେ ଧାର୍ମିକ ସଂଖ୍ୟାଲଘୁମାନଙ୍କୁ ନାଗରିକତ୍ବ ପ୍ରଦାନ ପାଇଁ ପଥ ପରିଷ୍କାର ହୋଇଛି। ଏହା ଦ୍ବାରା ଉପରୋକ୍ତ ତିନି ରାଷ୍ଟ୍ରରୁ ଭାରତକୁ ପ୍ରବେଶ କରିଥିବା ବୌଦ୍ଧ, ଜୈନ, ଶିଖ, ଖ୍ରୀଷ୍ଟିଆନ, ପାର୍ସି ଓ ହିନ୍ଦୁଙ୍କୁ ନାଗରିକତ୍ବ ପ୍ରଦାନ କରାଯାଇପାରିବ; କାରଣ ସେମାନଙ୍କ ପାଇଁ ଅନ୍ୟ ରାଷ୍ଟ୍ରରେ ଅବସ୍ଥାନର ସୁଯୋଗ ନାହିଁ। ଆବଶ୍ୟକ ସର୍ତ୍ତାବଳୀ ପୂରଣ ଓ ଯାଞ୍ଚ ପ୍ରକ୍ରିୟାରେ ଉତ୍ତୀର୍ଣ୍ଣ ଏଭଳି ଅନୁପ୍ରବେଶକାରୀଙ୍କୁ ହିଁ ନାଗରିକତ୍ବ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ଏହା ଦ୍ବାରା ୧୨ବର୍ଷ ପରିବର୍ତ୍ତେ ଅନ୍ୟୁନ ୭ବର୍ଷ ଭାରତରେ ଅବସ୍ଥାନ କରିଥିଲେ ଜଣେ ନାଗରିକତ୍ବ ପାଇଁ ଯୋଗ୍ୟ ହୋଇପାରିବେ। ଉଲ୍ଲେଖଯୋଗ୍ୟ ଯେ ଗୁଜରାଟ, ରାଜସ୍ଥାନ, ଦିଲ୍ଲୀ ଓ ମଧ୍ୟପ୍ରଦେଶ ଭଳି କିଛି ରାଜ୍ୟରେ ଏଭଳି ଦେଶାନ୍ତରୀ ଅବସ୍ଥାନ କରୁଛନ୍ତି। ୨୦୧୬ରେ ଏହି ବିଧେୟକ ଆଗତ ହୋଇଥିଲା; କିନ୍ତୁ ଏହାକୁ ଯୁଗ୍ମ ସଂସଦୀୟ କମିଟିର ଯାଞ୍ଚ ପାଇଁ ପଠା ଯାଇଥିଲା। ମଙ୍ଗଳବାର ସାନି ବିଧେୟକ ଆଗତ ସହିତ ଗୃହୀତ ହୋଇଛି।
ଲୋକସଭାରେ ‘ଡିଏନ୍ଏ ଅନୁଶୀଳନ’ ସଂକ୍ରାନ୍ତ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ବିଧେୟକ ମଙ୍ଗଳବାର ଗୃହୀତ ହୋଇଛି। ଏହା କୌଣସି ବ୍ୟକ୍ତିଙ୍କ ପରିଚୟ ପାଇଁ ଡିଏନ୍ଏ ଅନୁଶୀଳନ ପାଇଁ ସ୍ବତଃ ଅନୁମତି ପ୍ରଦାନ କରିଛି। ବିଶେଷ କରି ଅଜ୍ଞାନ ମୃତ ବ୍ୟକ୍ତି, ନିଖୋଜ ବ୍ୟକ୍ତି, ଦୁର୍ଘଟଣା ବା କୌଣସି ଆକମ୍ରଣର ଶିକାର ଅପରିଚିତ ବ୍ୟକ୍ତି, ଅପରାଧୀ, ସନ୍ଦିଗ୍ଧ ବ୍ୟକ୍ତି, ବିଚାରାଧୀନ ବ୍ୟକ୍ତିଙ୍କ ପରିଚୟ ହାସଲ ସହଜ ହୋଇପାରିବ। ‘ଡିଏନ୍ଏ ଜ୍ଞାନକୌଶଳ( ଉପଯୋଗ) ରେଗୁଲେସନ୍ ବିଧେୟକ-୨୦୧୮’ ନାମରେ ପରିଚିତ ଏହି ବିଧେୟକ ଦ୍ବାରା ଅଙ୍ଗପ୍ରତ୍ୟଙ୍ଗ ଚୋରାଚାଲାଣ, ସମ୍ପତ୍ତି ବିବାଦ ଓ ଅପରାଧିକ ମାମଲା, ଦେଶାନ୍ତରୀ ସମସ୍ୟା ଆଦିର ସମାଧାନରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିଭାଇବ। ଏହି ପରିପ୍ରେକ୍ଷୀରେ ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି ଯେ ଦେଶରେ ମାତ୍ର ୧ ପ୍ରତିଶତ ଡିଏନ୍ଏ ପରୀକ୍ଷା ଅନୁଷ୍ଠିତ ହେଉଛି। ସମ୍ପ୍ରତି ବିଶେଷ କ୍ଷେତ୍ରରେ ଅନୁମତି ପୂର୍ବକ ଏହା କରାଯାଉଛି। ଏଣିକି ଏହା ବ୍ୟାପକ ଭାବେ କରାଯାଇପାରିବ। ଲୋକସଭାରେ କିଛି ସଦସ୍ୟ ଏହାର ଦୁରୁପେଯାଗ ନେଇ ଆଶଙ୍କା ବ୍ୟକ୍ତ କରିଥିଲେ ମଧ୍ୟ ମନ୍ତ୍ରୀ ଏହାକୁ ଅଗ୍ରାହ୍ୟ କରିଥିଲେ। ଦୁରୁପଯୋଗ ରୋକିବା ପାଇଁ ଆଇନରେ ବ୍ୟବସ୍ଥା ଥିବା ସେ ଦର୍ଶାଇଥିଲେ। ରକ୍ତ ନମୂନା ସଂଗ୍ରହ କରୁଥିବା ଲାବରେଟୋରୀ ଉପରେ ଏଥିପାଇଁ ସ୍ବତନ୍ତ୍ର ନିୟନ୍ତ୍ରଣ ବ୍ୟବସ୍ଥା ରଖାଯିବ। ଡିଏନ୍ଏ ପରୀକ୍ଷା ପାଇଁ ନାଗରିକଙ୍କ ଅନୁମତି ନିଆଯିବ। ଏହାଛଡ଼ା ଦେଶର ବିଭିନ୍ନ ସ୍ଥାନରେ ‘ଡିଏନ୍ଏ ଡାଟା ବ୍ୟାଙ୍କ’ ପ୍ରତିଷ୍ଠା କରାଯିବ।