ବେଜିଂ: ଭୟଙ୍କର ‘କରୋନା’ ଭାଇରସ ଚୀନ ସରକାରଙ୍କ ନିଦ ହଜାଇ ଦେଇଛି। ଦିନକୁ ଦିନ ମୃତକ ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରତିଦିନ ଶତାଧିକ ସଂଖ୍ୟାରେ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେମାନଙ୍କୁ ସ୍ବତନ୍ତ୍ର ଭାବେ ଅଲଗା ରଖାଯାଇ ଚିକିତ୍ସା ସେବା ଯୋଗାଇଦେବା ଲାଗି ଚୀନ ସରକାର ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେଉଛନ୍ତି। ଏହି ପରିପ୍ରେକ୍ଷୀରେ ସରକାର ମାତ୍ର ୧୦ ଦିନ ଭିତରେ ୧୦୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ କରିଛନ୍ତି। କୌଣସି ଦେଶ ଏତେ କମ୍ ସମୟ ମଧ୍ୟରେ ଏପରି ହସ୍ପିଟାଲ ନିର୍ମାଣ କରିବା ବୋଧହୁଏ ପ୍ରଥମ ବୋଲି କୁହାଯାଉଛି। ଏହି ହସ୍ପିଟାଲର ନାମ ‘ଫାୟାର ଗଡ୍ ମାଉଣ୍ଟେନ’ ରଖାଯାଇଛି।

ଉହାନର ହୋଉଶେନଶାନରେ ନିର୍ମିତ ଏହି ହସ୍ପିଟାଲରେ ଫେବୃୟାରୀ ୪ରୁ ଚିକିତ୍ସା ଆରମ୍ଭ ହେବ। ୨ ଲକ୍ଷ ୬୯ ହଜାର ବର୍ଗଫୁଟ ଅଞ୍ଚଳରେ ଏହା ନିର୍ମାଣ ହୋଇଛି। ଏଠାରେ ଚୀନ ସେନା ପିପୁଲ୍ସ ଲିବରେଶନ ଆର୍ମିର ୧୪୦୦ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀ କାର୍ଯ୍ୟ କରୁଛନ୍ତି। ଚୀନ ସେନା ହାତରେ ଏହି ନୂଆ ହସ୍ପିଟାଲର ପରିଚାଳନା ଦାୟିତ୍ଵ ନ୍ୟସ୍ତ ହୋଇଛି। ୨୦୦୩ରେ ଚୀନରେ ବ୍ୟାପିଥିବା ‘ସାର୍ସ’ ଭାଇରସର ମୁକାବିଲା ପାଇଁ ସରକାର ଯେଉଁଭଳି ଡିଜାଇନରେ ହସ୍ପିଟାଲ ନିର୍ମାଣ କରିଥିଲେ ଏହି ନୂଆ ହସ୍ପିଟାଲର ଡିଜାଇନ ମଧ୍ୟ ସେହିଭଳି। ଏହାର ନିର୍ମାଣ ଲାଗି ସରକାର ଦେଶରେ ଥିବା ସବୁ ଇଞ୍ଜିନିୟରଙ୍କୁ କାର୍ଯ୍ୟରେ ଲଗାଇଥିଲେ।
ଏଠାରେ ଚିକିତ୍ସା ସମୟରେ ଯେଉଁ ଔଷଧ, ମେଡିକାଲ ଉପକରଣ, ମାସ୍କ ଆଦି ଦରକାର ପଡ଼ିବ ସେସବୁ ସିଧାସଳଖ ଫ୍ୟାକ୍ଟ୍ରିରୁ ମଗାଯିବ। ସବୁଠାରୁ ବଡ଼ କଥା ହେଉଛି ହସ୍ପିଟାଲରେ କାମ କରିବାକୁ ଥିବା ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ୬୦% ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀ ୨୦୦୩ରେ ସାର୍ସ ଭାଇରସରେ ଆକ୍ରାନ୍ତଙ୍କୁ ଚିକିତ୍ସା କରିବାରେ ସରକାରଙ୍କୁ ସହାୟତା କରିଥିଲେ।
ସେହିପରି ଅନ୍ୟ ଏକ ହସ୍ପିଟାଲ ମଧ୍ୟ ନିର୍ମାଣ ହୋଇଛି। ଏହାର ନାମ ରହିଛି ‘ଥଣ୍ଡର ଗଡ୍ ମାଉଣ୍ଟେନ’। ଏଠାରେ ୧୬୦୦ ଜଣଙ୍କୁ ଚିକିତ୍ସା କରାଯାଇପାରିବ।



