Patra electronics

ଚିକିଟି ମଦ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି: ଆଇସିୟୁରେ ୪ ଅସୁସ୍ଥ

ବ୍ରହ୍ମପୁର/ଚିକିଟି : ଗଞ୍ଜାମ ଜିଲା ଚିକିଟି ଜେନାପୁରରେ ଅପମିଶ୍ରିତ ମଦ ପିଇବା ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ପୂର୍ବରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେ‌ଳେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଆଇସିୟୁରେ ଚିକିତ୍ସିତ ହେଉଥିବା ଜେନାପୁର ଗ୍ରାମର ଲକ୍ଷ୍ମଣ ବେହେରାଙ୍କ ଶୁକ୍ରବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି। ଅପମିଶ୍ରିତ ମଦ ପିଇ ଅସୁସ୍ଥ ଥିବା ଅନ୍ୟ ୪ ଜଣ ଏବେ ମଧ୍ୟ ଏମକେସିଜି ମେଡିକାଲରେ ଆଇସିୟୁରେ ଅଛନ୍ତି। ୧୯ ତାରିଖରେ ଚିକିଟି ବ୍ଲକର ଜେନାପୁର ଓ କରବାଲୁଆ ଗ୍ରାମର ୨୦ରୁ ଅଧିକ ବ୍ୟକ୍ତି ନିକଟସ୍ଥ ମାଉନ୍ଦପୁର ଗ୍ରାମରେ ଅପମିଶ୍ରିତ ମଦ ପିଇ ଅସୁସ୍ଥ ହୋଇପଡିଥିଲେ। ସେମାନଙ୍କ ମଧ୍ୟରୁ ୧୪ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସମସ୍ତଙ୍କୁ ଏମକେସିଜି ସ୍ଥାନାନ୍ତର କରାଯାଇଥିଲା । ଏମକେସିଜି ଆଇସିୟୁରେ ଚିକିତ୍ସା ବେଳେ ଜୁର ବେହେରା ଓ ଲୋକନାଥ ବେହେରାଙ୍କ ତା’ ପରଦିନ ମୃତ୍ୟୁ ହୋଇଯାଇଥିଲା। ଅନ୍ୟ ୧୨ଜଣଙ୍କ ମଧ୍ୟରୁ ଏମକେସିଜି ଆଇସିୟୁରେ ୫ ଜଣ ଚିକିତ୍ସିତ ହେଉଥିବା ବେଳେ ଆଉ ୭ ଜଣ ଭେଷଜ ବିଭାଗ ପୁରୁଷ ୱାର୍ଡରେ ସେହିଦିନଠାରୁ ଚିକିତ୍ସିତ ହେଉଥିଲେ। ପର୍ଯ୍ୟାୟକ୍ରମେ ଭେଷଜ ବିଭାଗରେ ଚିକିତ୍ସିତ ହେଉଥିବା ୭ ଜଣ ବ୍ୟକ୍ତି ସୁସ୍ଥ ହୋଇ ନିଜ ଘରକୁ ଫେରିଥିଲେ। ବର୍ତ୍ତମାନ ଏମ୍‌କେସିଜି ଆଇସିୟୁରେ ଭୁବନୀ ସେଠୀ, ପ୍ରଦୀପ ବେହେରା, ବାଉରୀ ସେଠୀ ଓ ଖଲିଆ ସେଠୀ ଚିକିତ୍ସିତ ​ହେଉଛନ୍ତି। ମଦ ମୃତ୍ୟୁ ମାମଲାରେ ପୁଲିସ ଏ ଯାଏ ୧୦ ଜଣଙ୍କୁ ଗିରଫ କରିଛି। ସେହିପରି ଅବକାରୀ ବିଭାଗ ୭ ଜଣଙ୍କୁ ଗିରଫ କରିଛି। ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିପାରନି।

Comments are closed.