ଭୁବନେଶ୍ବର : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଜଳସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ଫାଇଭ୍-ଟି ଶାସନ ସଚିବ ଭି.କେ. ପାଣ୍ଡିଆନ ଗୁରୁବାର ଗଞ୍ଜାମ ଓ ଗଜପତି ଜିଲ୍ଲାଗସ୍ତ କରି ବହୁମୁଖୀ ଜଳସେଚନ ପ୍ରକଳ୍ପ, ବିଦ୍ୟାଳୟ ରୁପାନ୍ତରଣ ଏବଂ ବିଦ୍ୟାଳୟରେ ସୌରଶକ୍ତି ବ୍ୟବସ୍ଥା ଆଦି ପ୍ରକଳ୍ପଗୁଡ଼ିକର କ୍ଷେତ୍ର ସ୍ତରୀୟ ଅଗ୍ରଗତିର ସମୀକ୍ଷା କରିଛନ୍ତି ।

ଆଜି ପୂର୍ବାହ୍ନରେ ଏହି ଟିମ୍ ଗଞ୍ଜାମ ଜିଲ୍ଲାରେ ପହଂଚିବା ପରେ ଘଟକେଶ୍ୱର ବହୁମୁଖୀ ଜଳସେଚନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ପ୍ରତ୍ୟକ୍ଷ ଅନୁଧ୍ୟାନ କରିଥିଲେ। କ୍ଷେତ୍ର ସ୍ତରୀୟ ଅଗ୍ରଗତି ଅନୁଧ୍ୟାନ କରି ଚଳିତ ବର୍ଷ ଡିସେମ୍ବର ଶେଷସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ମୁଖ୍ୟ ଶାସନ ସଚିବ କାର୍ଯ୍ୟାନ୍ୱୟନ ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ। ସୂଚନାଯୋଗ୍ୟ, ବ୍ରହ୍ମପୁର ନିକଟରେ ଥିବା କୁକୁଡାହାଣ୍ଡି ବ୍ଲକ୍ ଅନ୍ତର୍ଗତ ଘଟକେଶ୍ୱର ବହୁମୁଖୀ ପ୍ରକଳ୍ପ ପ୍ରାୟ ୧୭୨.୦୬ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେଉଛି । ଏହି ଅବସରରେ ଗଞ୍ଜାମ ଜିଲ୍ଲାର ୫୫୦ ଟି ମାଧ୍ୟମିକବିଦ୍ୟାଳୟ ନିମନ୍ତେ ଏକ ଅଭିନବ ସୌର-ଶକ୍ତି ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି । ଏହି ପ୍ରକଳ୍ପକୁ ଯୁଦ୍ଧକାଳୀନ ଭିତ୍ତିରେ ୫୫୦ଟି ବିଦ୍ୟାଳୟରେ ଶିଘ୍ର କାର୍ଯ୍ୟକାରୀ କରାଯିବ।
ସେହିପରି ଗଜପତି ଜିଲ୍ଲା ଗସ୍ତ କରି ଛେଳିଗଡ ଜଳସେଚନ ଓ ଜଳବିଦ୍ୟୁତ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ଟିମର ବରିଷ୍ଠ ଅଧିକାରୀମାନେ
ନିର୍ମାଣାଧିନ ଟନେଲ୍ ଭିତରକୁ ଯାଇ ବାସ୍ତବ ସ୍ଥିତି ଅନୁଧ୍ୟାନ ସହ କ୍ଷେତ୍ରସ୍ତରୀୟ ଯନ୍ତ୍ରୀମାନଙ୍କୁ କାର୍ଯ୍ୟ ତ୍ୱରାନ୍ୱିତ କରିବା ନିମନ୍ତେ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ । ସମୀକ୍ଷା ପରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଟନେଲର ୨୦୦ ମିଟର ନିର୍ମାଣ ସରିଛି। ଅବଶିଷ୍ଟ କାର୍ଯ୍ୟ ଅକ୍ଟୋବର ମାସ ମଧ୍ୟରେ ସାରିବାର ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଟନେଲ୍ ନିର୍ମାଣ କାର୍ଯ୍ୟ ସରିଲେ ଅସ୍ଥାୟୀ ଭାବେ ଚାଷ ପାଇଁ ପାଣି ଯୋଗାଯାଇ ପାରିବ ବୋଲି ଶ୍ରୀ ମହାପାତ୍ର ଆଶା ପ୍ରକାଶ କରିଥିଲେ ।



