କଲେଜିୟମ୍/ଖଣ୍ଡପୀଠ ଦ୍ୱାରା ମାମଲା ଆବଣ୍ଟନ ନେଇ ଆବେଦନ
ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ବିଚାରପତିଙ୍କ ମଧ୍ୟରେ ମାମଲା ଆବଣ୍ଟନ ସମ୍ବନ୍ଧୀୟ ବିବାଦ ତୁଟୁନାହିଁ। ମାମଲା ଆବଣ୍ଟନ କରିବା ପ୍ରଧାନ ବିଚାରପତିଙ୍କ ସମ୍ବିଧାନ ପ୍ରଦତ୍ତ ବିଶେଷ ଅଧିକାର ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିବା ସତ୍ତ୍ୱେ ଏଥିରେ କେତେକ ବିଚାରପତି ତଥା ଆଇନଜୀବୀ ସନ୍ତୁଷ୍ଟ ନୁହନ୍ତି। ସର୍ବୋଚ୍ଚ ନ୍ୟାୟାଳୟରେ ଆଗତ ମାମଲାଗୁଡିକୁ କଲେଜିୟମ୍ ତଥା ଖଣ୍ଡପୀଠଙ୍କ ଦ୍ୱାରା ଆବଣ୍ଟନ କରାଇବା ଲାଗି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶାନ୍ତି ଭୂଷଣ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ। ଏହାର ଶୁଣାଣି କରିବାକୁ ସୁପ୍ରିମକୋର୍ଟର ଦ୍ୱିତୀୟ ବରିଷ୍ଠ ବିଚାରପତି ଜେ. ଚେଲମେଶ୍ୱରଙ୍କୁ ସେ ନିବେଦନ କରିଥିଲେ। ମାତ୍ର ବିଚାରପତି ଚେଲମେଶ୍ୱର ଏହି ମାମଲାର ଶୁଣାଣି କରିବାକୁ ଗୁରୁବାର ସ୍ପଷ୍ଟ ମନା କରିଦେଇଛନ୍ତି।
ଶାନ୍ତି ଭୂଷଣଙ୍କ ପୁତ୍ର ତଥା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଏହି ମାମଲାକୁ ପ୍ରଥମେ ବିଚାରପତି ଚେଲମେଶ୍ୱରଙ୍କ ନିକଟରେ ଉପସ୍ଥାପନ କରିଥିଲେ। ମାମଲା ବଣ୍ଟନକୁ ନେଇ ବିବାଦ ଉପୁଜିଥିବା ବେଳେ ଏକ ଜରୁରୀପରିସ୍ଥିତି ସୃଷ୍ଟି ହୋଇଛି। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କୁ ‘ମାଷ୍ଟର ଅଫ୍ ରୋଷ୍ଟର ବା ମାମଲା ଆବଣ୍ଟନରେ ପ୍ରବୀଣ’ ବୋଲି ଅଭିହିତ କରାଯିବା ଉପରେ ଶାନ୍ତି ଭୂଷଣ ତାଙ୍କ ଆବେଦନରେ ପ୍ରଶ୍ନ ଉଠାଇଛନ୍ତି। ଏଣୁ ପ୍ରଧାନ ବିଚାରପତି ମିଶ୍ର ଏହି ମାମଲାର ଶୁଣାଣି କରିପାରିବେ ନାହିଁ। ଏହି କାରଣରୁ ବିଚାରପତି ଚେଲମେଶ୍ୱରଙ୍କୁ ମାମଲାର ଶୁଣାଣି କରିବାକୁ ହେବ ବୋଲି ପ୍ରଶାନ୍ତ ଭୂଷଣ ଯୁକ୍ତି ଦର୍ଶାଇଥିଲେ। ସମସ୍ତ ଯୁକ୍ତି ଶୁଣିବା ପରେ ବିଚାରପତି ଚେଲମେଶ୍ୱର କହିଥିଲେ, ସେ କିଛି ଦିନ ପୂର୍ବେ ସୁପ୍ରିମକୋର୍ଟର ବ୍ୟବସ୍ଥା ସମ୍ବନ୍ଧରେ ଚିଠି ଲେଖି ଜଣାଇଥିଲେ। ମାତ୍ର ସତେ ଯେମିତି ସେ କିଛି ପାଇବା ଆଶାରେ ଏହା କରିଥିଲେ ବୋଲି ମନେ କରି କେହି ତାଙ୍କ ବିରୋଧରେ ନିରନ୍ତର ଅଭିଯାନ ଚଳାଇଛନ୍ତି। ପ୍ରସାଦ ଶିକ୍ଷା ଟ୍ରଷ୍ଟ ମାମଲାରେ ସାମ୍ବିଧାନିକ ପୀଠ ଗଠନ ସମ୍ବନ୍ଧୀୟ ତାଙ୍କ ନିଷ୍ପତ୍ତିକୁ ପ୍ରଧାନ ବିଚାରପତି ସଂରକ୍ଷିତ ରଖିବା ଘଟଣା ଆଡକୁ ଇଙ୍ଗିତ କରି ଚେଲମେଶ୍ୱର ଆହୁରି କହିଥିଲେ, ୨୪ ଘଣ୍ଟା ମଧ୍ୟରେ ତାଙ୍କ ନିର୍ଦେଶକୁ କେହି ପାଲଟି ଦିଅନ୍ତୁ ତାହା ସେ ଚାହାନ୍ତି ନାହିଁ। ଆଉ କିଛି ଦିନ ପରେ ସେ ଅବସର ଗ୍ରହଣ କରିବାକୁ ଯାଉଛନ୍ତି। ଦେଶବାସୀ ପରିସ୍ଥିତିକୁ ବୁଝି ତାଙ୍କୁ କ୍ଷମା କରିବେ। ଦେଶ ନିଜ ରାସ୍ତା ନିଜେ ମନୋନୟନ କରିନେବ। କିନ୍ତୁ ଏହି ଜନସ୍ୱାର୍ଥ ମାମଲାର ଶୁଣାଣି ସେ କରିବେ ନାହିଁ ବୋଲି ବିଚାରପତି ଚେଲମେଶ୍ୱର କହିଥିଲେ। ଫଳରେ ପ୍ରଶାନ୍ତ ଭୂଷଣ ବାଧ୍ୟ ହୋଇ ଏହି ମାମଲାକୁୁ ପ୍ରଧାନ ବିଚାରପତିଙ୍କ ନିକଟରେ ଉପସ୍ଥାପନ କରିଛନ୍ତି।
ବିଚାରପତି ଚେଲମେଶ୍ୱରଙ୍କ ଏତାଦୃଶ ମନ୍ତବ୍ୟ ସୁପ୍ରିମକୋର୍ଟ ବିଚାରପତିଙ୍କ ମଧ୍ୟରେ ମତଭେଦ ରହିଥିବା ଘଟଣାକୁ ପୁନଃ ପଦାରେ ପକାଇଦେଇଛି। ବିଚାରପତି ଚେଲମେଶ୍ୱରଙ୍କ ସହ ସୁପ୍ରିମକୋର୍ଟର ଅନ୍ୟ ୩ ବିଚାରପତି ରଞ୍ଜନ ଗୋଗୋଇ, ମଦନ ଲୋକୁର ଏବଂ କୁରିଏନ୍ ଯୋସେଫ୍ ଜାନୁଆରୀରେ ପ୍ରଧାନ ବିଚାରପତି ମିଶ୍ରଙ୍କ କାର୍ଯ୍ୟଧାରା ଉପରେ ପ୍ରଶ୍ନ ଉଠାଇବା ସହ ମାମଲା ଆବଣ୍ଟନରେ ପକ୍ଷପାତିତା କରାଯାଉଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତି କରି ମାମଲା ଆବଣ୍ଟନ ସମ୍ବନ୍ଧୀୟ ମାର୍ଗଦର୍ଶିକା ଜାରି କରିବାକୁ ଲକ୍ଷ୍ନୌ ନିବାସୀ ଆଇନଜୀବୀ ଅଶୋକ ପାଣ୍ଡେ ଗତ ସପ୍ତାହରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। କିନ୍ତୁ ପ୍ରଧାନ ବିଚାରପତି ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ବୁଧବାର ତାହାକୁ ଖାରଜ କରିଦେଇଥିଲେ। ଏଥିସହ ପ୍ରତିଷ୍ଠାନର ମୁଖ୍ୟ ଭାବେ ପ୍ରଧାନବିଚାରପତିଙ୍କ କାର୍ଯ୍ୟଧାରା ଉପରେ ପ୍ରଶ୍ନ ଉଠାଯାଇପାରିବ ନାହିଁ ବୋଲି ଖଣ୍ଡପୀଠ ରାୟ ଦେଇଥିଲେ।