ନୂଆ ଉପାୟରେ ଚାଲିଛି ଠକାମି

ପାଠ ଦି ଅକ୍ଷର ପଢ଼ିଲେ, ଭବିଷ୍ୟତରେ ସେଇ ବିଦ୍ୟା କାମରେ ଆସେ। ହେଲେ ଠକଙ୍କୁ ଏକଥା ଯେତେ ବୁଝାଇଲେ ମଧ୍ୟ କିଛି ଲାଭ ମିଳେନାହିଁ। ତାଲାବନ୍ଦ କୋହଳ ପରେ ବିଶ୍ବର ପ୍ରତ୍ୟେକ ପ୍ରାନ୍ତରେ ଜୀବନଯାତ୍ରା କ୍ରମଶଃ ସ୍ବାଭାବିକ ହେଉଛି, ବିଦ୍ୟାଳୟ, ମହାବିଦ୍ୟାଳୟମାନ ପର୍ଯ୍ୟାୟକ୍ରମେ ଖୋଲୁଛି। ସିଡ୍‌ନୀର କୌଣସି ଏକ ବିଦ୍ୟାଳୟର ପରୀକ୍ଷା ହଲ୍‌ର ଘଟଣାଟି ବିଭିନ୍ନ ସୋସିଆଲ୍‌ ସାଇଟ୍‌ରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି, ଏବେ ପରୀକ୍ଷାରେ ଠକିବା ପାଇଁ ସେମାନେ ନୂଆନୂଆ ଉପାୟମାନ ଆପଣାଉଛନ୍ତି। ନଖ ଉପରେ ନେଲ୍‌ପେଣ୍ଟ କରି ଗଣିତର ସୂତ୍ର ଲେଖିବାର ଉପାୟ ଏଇ ଠକାମି ବୁଦ୍ଧିରୁ ଗୋଟିଏ, ପରୀକ୍ଷକ ପ୍ରଥମେ ଭାବିଲେ ୭ମ ଶ୍ରେଣୀର ଝିଅଟି ନୂଆ ଉପାୟରେ ନେଲ୍ ପେଣ୍ଟ କରିଛି। ହେଲେ କିଛି ସମୟ ନିରୀକ୍ଷଣ କରିବା ପରେ ସେ ପରୀକ୍ଷା ଦେଉଥିବା ସେଇ ଝିଅଟିର ଚାଲାକି ବୁଝି ତୁରନ୍ତ ପଦକ୍ଷେପ ଗ୍ରହଣ କଲେ। ବିଦ୍ୟାଳୟର ନାମ କିମ୍ବା ପରୀକ୍ଷାର୍ଥୀଙ୍କ ଫଟୋ କିମ୍ବା ନାମ ସୋସିଆଲ୍‌ ସାଇଟ୍‌ରେ ଦେଖିବାକୁ ମିଳୁନି, କିନ୍ତୁ ସେମାନେ କରିଥିବା ଏଭଳି ସବୁ କାଣ୍ଡ କାରଖାନାର ଫଟୋ ଉଠାଯାଇ ଇନଷ୍ଟାଗ୍ରାମ୍‌ରେ ପୋଷ୍ଟ କରାଯାଉଛି। ୫-୬ଜଣ ଛାତ୍ର ସମାନ ଉପାୟରେ ପରୀକ୍ଷାରେ ଠକୁଥିବାର ପରୀକ୍ଷକ ଜାଣିପାରିଥିଲେ। ପାଣିବୋତଲ ନେବାକୁ ଅବା ପରୀକ୍ଷା ହଲ୍‌ରେ କାହିଁ ମନା କରାଯିବ, ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ ଖାଦ୍ୟର ବ୍ୟବସ୍ଥା ଥାଉ କି ନଥାଉ, କିନ୍ତୁ ପାଣି ପିଇବାର ବନ୍ଦୋବସ୍ତ ନିଶ୍ଚିତ ଥାଏ। ଛାତ୍ରମାନେ ପାଣି ବୋତଲରେ ଲାଗୁଥିବା ଷ୍ଟିକର୍‌ର ଭିତର ପାଖେ ଗଣିତର ସୂତ୍ର, ବିଜ୍ଞାନର ଉତ୍ତର ଆଦି ଲେଖି ନିୟମିତ ଯାଉଥିଲେ। ଶେଷରେ ଇଂରାଜୀ ପରୀକ୍ଷା ଦିନ ପରୀକ୍ଷକ ସେମାନଙ୍କର ଏହି ଠକାମି ଧରିଥିଲେ, ଜଣେ ଛାତ୍ର ତ’ ଏଇ ଠକିବାରେ ବେଶ୍ ବୁଦ୍ଧିମାନର ପରିଚୟ ଦେଇଥିଲା। ବୋତଲରେ ଲାଗିଥିବା ଷ୍ଟିକର୍‌ ପରି ଅନ୍ୟ ଏକ ଧଳା ଷ୍ଟିକର୍‌ରେ ସୂତ୍ରମାନ ଲେଖି ପରୀକ୍ଷାକେନ୍ଦ୍ରକୁ ଆଣିଥିଲା, ଜଣେ ବିଜ୍ଞାନ ଶିକ୍ଷକ ହିଁ ଛାତ୍ରର ଏଭଳି ବଦ୍‌ମାସିକୁ ଧରିଥିଲେ। ସୋସିଆଲ୍‌ ସାଇଟ୍‌ରେ ଏହି ଘଟଣାକୁ ପ୍ରଚାର କରାଇଥିବା ଶିକ୍ଷକଙ୍କ ମତ ହେଲା, ନିଜ ବୁଦ୍ଧିର ପ୍ରୟୋଗ ପାଠ ପଢ଼ିବାରେ କରିବା ଉଚିତ, ଠକାମିରେ ନୁହେଁ।

Comments are closed.