www.samajalive.in
Saturday, December 6, 2025
14.1 C
Bhubaneswar

ବଳକା ଖାଦ୍ୟ ବାଣ୍ଟିବ ବିଏମ୍‌ସି

ଭୁବନେଶ୍ବର: ଆଉ ଡଷ୍ଟବିନ୍‌ରେ ପଡ଼ିବନି ବଳକା ଖାଦ୍ୟ। ରାସ୍ତାକଡ଼ରେ ପଡ଼ି ପରିବେଶ ଅପରିଷ୍କାର ହେବନି। ଏଣିକି ବିଏମ୍‌ସି ଲୋକଙ୍କ ନିକଟରେ ପହଞ୍ଚି ବଳକା ଖାଦ୍ୟ ସଂଗ୍ରହ କରିବ। ଏଥିନିମନ୍ତେ ଏକ ୨୪ ଘଣ୍ଟିଆ ନିଃଶୁଳ୍କ ସହାୟତା ନମ୍ବର ଜାରି ହେବ। ଉକ୍ତ ନମ୍ବରକୁ ଯୋଗାଯୋଗ କଲେ ବିଏମ୍‌ସି ସେମାନଙ୍କ ନିକଟରେ ପହଞ୍ଚି ବଳକା ଖାଦ୍ୟ ସଂଗ୍ରହ କରିବ। ବିଶେଷ କରି ହୋଟେଲ, ହଷ୍ଟେଲ, ବିବାହ ମଣ୍ଡପ, ପାର୍ଟିରେ ବହୁ ଖାଦ୍ୟ ବଳକା ରହୁଥିବାରୁ ସେଠାରୁ ସଂଗ୍ରହ ହେବ। ସଂଗୃହୀତ ଖାଦ୍ୟ ଗରିବ, ଅସହାୟ ଏବଂ ଆଶ୍ରୟସ୍ଥଳୀ ଅନ୍ତେବାସୀଙ୍କୁ ବଣ୍ଟାଯିବ। ଏନେଇ ବିଏମ୍‌ସି ପ୍ରକ୍ରିୟା ଆରମ୍ଭ କରିଛି।

ବିନା ଅନୁମତିରେ ଅସହାୟଙ୍କୁ ମାଗଣାରେ ଖାଦ୍ୟ ବାଣ୍ଟିପାରିବ ନାହିଁ ବୋଲି ବିଏମ୍‌ସି ଆଦେଶନାମା ପ୍ରକାଶ କରିଛି। ଏହାସହ ଭିକାରିମୁକ୍ତ ସହର ଏବଂ କେହି ରାସ୍ତା କଡ଼ରେ ଯେପରି ନ ଶୋଇବେ ସେଥିପାଇଁ ଆଶ୍ରୟସ୍ଥଳୀ ନିର୍ମାଣ ନିମନ୍ତେ ବ୍ୟବସ୍ଥା ହୋଇଛି। ଏହି ପଦକ୍ଷେପଗୁଡ଼ିକର ସଫଳ ରୂପାୟନ ନିମନ୍ତେ ଆଉ ପାଦେ ଆଗେଇ ବିଏମ୍‌ସି ଲୋକଙ୍କଠାରୁ ବଳକା ଖାଦ୍ୟ ସଂଗ୍ରହ କରି ଗରିବ ଏବଂ ନିରାଶ୍ରୟଙ୍କୁ ବାଣ୍ଟିବ ବୋଲି ଯୋଜନା କରିଛି। ଏହାଫଳରେ ଲୋକେ ପେଟ ଚାଖଣ୍ଡକ ପାଇଁ କାହା ଆଗରେ ଆଉ ହାତ ପତେଇବେନି କି ମନ୍ଦିର, ଧାର୍ମିକ ସ୍ଥଳୀରେ ଖାଦ୍ୟ ପାଇଁ ଅପେକ୍ଷା କରିବେନି। ଜନଗହଳିପୂର୍ଣ୍ଣ ସ୍ଥାନରେ ଅସହାୟଙ୍କୁ ଖାଦ୍ୟ ବଣ୍ଟାଯିବ।

- Advertisement -

ବଳକା ଖାଦ୍ୟ ଦେବା ପାଇଁ ହୋଟେଲ, ହଷ୍ଟେଲ,ମଣ୍ଡପ, କାର୍ଯ୍ୟକ୍ରମର ଆୟୋଜକ ବିଏମ୍‌ସି ନିକଟରେ ଆଗୁଆ ସୂଚନା ଦେବେ। ୨୪ ଘଣ୍ଟା ନିଃଶୁକ୍ଳ ସହାୟତା ନମ୍ବର କିମ୍ବା ବିଏମ୍‌ସିକୁ ଦରଖାସ୍ତ କରି ଅନୁମତି ନେବେ। ମଧ୍ୟାହ୍ନ ଭୋଜନ ଏବଂ ରାତ୍ରି ଭୋଜନ ସମୟରେ ବଳକା ଖାଦ୍ୟ ସଂଗ୍ରହ ହେବ। ବିଏମ୍‌ସି ଦ୍ବାରା ନିଯୁକ୍ତ ସଂସ୍ଥାର ଗାଡ଼ି ଦାତାଙ୍କ ନିକଟରେ ପହଞ୍ଚି ଖାଦ୍ୟ ସଂଗ୍ରହ କରିବେ। ପରେ ନିର୍ଦ୍ଧାରିତ ସ୍ଥାନରେ ଏହାକୁ ସାଇତା ରଖାଯିବ। ଖାଦ୍ୟ ସଂରକ୍ଷଣ ନିମେନ୍ତ ୭ଶହ ଲିଟର ବିଶିଷ୍ଟ ରେଫ୍ରିଜେରେଟର ଏବଂ ଆବଶ୍ୟକ ପଡ଼ି‌େ‌ଲ ଖାଦ୍ୟ ଉଷୁମ ନିମନ୍ତେ ଗ୍ୟାସ୍‌ ଷ୍ଟୋଭ ରହିବ। ସଂଗୃହୀତ ଖାଦ୍ୟ ସହରର ୭ଟି ସ୍ଥାନରେ ବଣ୍ଟାଯିବ। ଦିନବେଳେ ଘରୋଇ ଅନାଥାଶ୍ରମ, ଅସହାୟ ଆଶ୍ରୟ ସ୍ଥଳୀ, ଲେପର୍ସି ପଡ଼ା, ଜରା ନିବାସ, ସମ୍‌ ହସ୍ପିଟାଲ, ମାଷ୍ଟର କ୍ୟାଣ୍ଟିନ ବସ୍‌ ଷ୍ଟାଣ୍ଡ, କିମ୍ସ ହସ୍ପିଟାଲ ପ୍ରଭୃତି ୭ଟି ସ୍ଥାନରେ ଖାଦ୍ୟ ବଣ୍ଟନ ହେବ। ସେହିପରି ରାତିରେ ଭୁବନେଶ୍ବର ରେଳ ଷ୍ଟେସନ, ବରମୁଣ୍ଡା ବସ୍‌ଷ୍ଟାଣ୍ଡ, କ୍ୟାପିଟାଲ ହସ୍ପିଟାଲ, ସମ୍‌ ହସ୍ପିଟାଲ, ଘରୋଇ ଅନାଥାଶ୍ରମ, ଅସହାୟଙ୍କ ଆଶ୍ରୟ ସ୍ଥଳୀ, ଜରା ନିବାସ, ଲେପର୍ସି ପଡ଼ା କିମ୍ସ ହସ୍ପିଟାଲରେ ଲୋକଙ୍କୁ ଖାଇବାକୁ ଦିଆଯିବ। ନଷ୍ଟ ଖାଦ୍ୟ ବିଏମ୍‌ସିର କ୍ଷୁଦ୍ର ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କେନ୍ଦ୍ରକୁ ନିଆଯିବ।

ବିଏମ୍‌ସି ଡେପୁଟି କମିସନର ଶୁଭେନ୍ଦୁ ସାହୁ କହିଛନ୍ତି, ବଳକା ଖାଦ୍ୟ ସଂଗ୍ରହ ପରେ ମାନ ପରୀକ୍ଷା ହେବ। ଏହାପରେ ଲୋକଙ୍କୁ ଖାଇବାକୁ ଦିଆଯିବ। ଏନେଇ ଏକ ଠିକା ସଂସ୍ଥାକୁ ମନୋନୟନ କରାଯାଇଛି। ଆସନ୍ତା ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା ଖାଦ୍ୟ ସଂଗ୍ରହ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories