www.samajalive.in
Monday, December 15, 2025
27.1 C
Bhubaneswar

ଶ୍ରୀଜୟଗୋପାଳ ଦେବଙ୍କ ପ୍ରସିଦ୍ଧ ଚମ୍ପକ ଦ୍ୱାଦଶୀ ପର୍ବ ଓ ବାଣଯାତ୍ରା ଧୁମଧାମରେ ସମ୍ପନ୍ନ

ପିପିଲି : ପିପିଲି ନିକଟବର୍ତ୍ତୀ ଦାଣ୍ଡମୁକୁନ୍ଦପୁର ଗ୍ରାମର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀ ଶ୍ରୀ ଜୟଗୋପାଳ ଦେବଙ୍କ ପ୍ରସିଦ୍ଧ ଚମ୍ପକ ଦ୍ୱାଦଶୀ ପର୍ବ ଓ ବାଣଯାତ୍ରା ମହା ସମାରୋହରେ ସମ୍ପନ୍ନ ହୋଇଛି। ଏଥିପାଇଁ ତିନିଦିନ ଧରି ଗ୍ରାମ ଉତ୍ସବମୁଖର ହୋଇ ଉଠିଥିବା ବେଳେ ରବିବାର ଅପରାହ୍ନରେ କାଠଚକ୍ର ବାଣଯାତ୍ରା ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ୧୦ ହଜାରରୁ ଅଧିକ ଜନସମାଗମ ହୋଇଥିଲା ।
ପରମ୍ପରା ଅନୁଯାଇ ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ତଥା ଶନିବାର ସକାଳେ ପ୍ରଭୁ ଶ୍ରୀ ଜୟଗୋପାଳ ଦେବଙ୍କ ମନ୍ଦିର ପରିସରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ସହ ରୁକ୍ମିଣୀଙ୍କ ବିବାହ ଉତ୍ସବ ଧୁମଧାମରେ ସମ୍ପନ୍ନ ହୋଇଥିଲା । ହଜାର ହଜାର ଭକ୍ତଙ୍କ ହରିବୋଲ ଓ ହୁଳହୁଳି ଧ୍ୱନିରେ ମନ୍ଦିର ପରିସର ପ୍ରକମ୍ପିତ ହୋଇ ଉଠିଥିବା ବେଳେ ବିବାହ ଉତ୍ସବକୁ ଶ୍ରଦ୍ଧାଳୁ ମାନେ ମନଭରି ଉପଭୋଗ କରିଥିଲେ । ଶନିବାର ରାତ୍ରୀରେ ଏକ ସୁସଜ୍ଜିତ ବିମାନରେ ଜୟଗୋପାଳ ଦେବଙ୍କ ଚଳନ୍ତି ପ୍ରତିମା ଶ୍ରୀମଦନ ମୋହନ, ଶ୍ରୀ ନୀଳକଣ୍ଠେଶ୍ୱରଦେବ ଓ ଶ୍ରୀବାଲୁଙ୍କେଶ୍ୱରଦେବଙ୍କୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇଥିବା ବେଳେ ଘଣ୍ଟ,ଘଣ୍ଟା, ମୃଦଙ୍ଗ, ଢୋଲ, ମହୁରୀ ନାଦରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଥିଲା ।

- Advertisement -

ବିଭିନ୍ନ ପ୍ରକାରର ରଙ୍ଗିନ ଆତସବାଜିରେ ଆକାଶ ରଙ୍ଗିନ ହୋଇଯାଇଥିଲା । ପ୍ରତ୍ୟେକ ପରିବାର ପକ୍ଷରୁ ଠାକୁର ମାନଙ୍କୁ ଦ୍ୱାରିଭୋଗ ଅର୍ପଣ କରାଯିବା ପରେ ବିଳମ୍ବିତ ରାତ୍ରୀରେ ଠାକୁର ମାନଙ୍କୁ ଗ୍ରାମର ବାଣମରା ଛକ (ଦଣ୍ଡାମୁଣ୍ଡ ଛକ) ଠାରେ ଖୁଣ୍ଟି ଲାଗି କରାଯାଇଥିଲା । ତ୍ରୟୋଦଶୀ ତିଥି ତଥା ରବିବାର ଅପରାହ୍ନରେ ଠାକୁର ମାନଙ୍କ ସମ୍ମୁଖରେ ପାରମ୍ପରିକ କାଠଚକ୍ର ବାଣ ପ୍ରଦର୍ଶନ କରାଯାଇଥିଲା । ବିରାଟ ଗୋଲାକାର କାଠଗଣ୍ଡିରେ ନିର୍ମିତ ଏହି ବାଣଗୁଡିକ ପ୍ରଚୁର ନିଆଁ ଓ ଧୁଆଁ ମଧ୍ୟରେ ବିରାଟ ଗର୍ଜ୍ଜନ କରି ଏକ ଲୌହଦଣ୍ଡ ଉପରେ ବୁଲିବା ଦୃଶ୍ୟକୁ ଦର୍ଶକ ମାନେ ମନଭରି ଉପଭୋଗ କରିଥିଲେ । ଏଥିରେ ମୋଟ୍‍ ୩୪ଟି କାଠଚକ୍ର ବାଣ ସମେତ ବିଭିନ୍ନ ପ୍ରକାର ଆତସବାଜି ପ୍ରଦର୍ଶନ କରାଯାଇଥିଲା । ବାଣ ଦୁର୍ଘଟଣାକୁ ଏଡାଇବା ପାଇଁ କାଠଚକ୍ର ବାଣ ଚତୁଃପାର୍ଶରେ ଷ୍ଟିଲ ଜାଲି ଲଗାଯାଇଥିଲା । ଏହି କାଠଚକ୍ର ବାଣକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ୧୦ହଜାରରୁ ଅଧିକ ଜନସମାଗମ ହୋଇଥିଲା । ପିପିଲି ଅଗ୍ନିଶମ ବାହିନୀ ଓ ପିପିଲି ପୁଲିସ ସେଠାରେ ମୂତୟନ ରହିଥିବା ବେଳେ ମାଜିଷ୍ଟ୍ରେଟ୍‍ ଦାୟିତ୍ୱରେ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡା ଉପସ୍ଥିତ ଥିଲେ । ଏହି ଯାତ୍ରାରେ ଖୋଲାଯାଇଥିବା ଶତାଧିକ ଅସ୍ଥାୟୀ ଦୋକାନରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିବା ବେଳେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସେବାକାର୍ଯ୍ୟ କରାଯାଇଥିଲା ।
ଏଠାରେ ସୂଚନା ଥାଉକି, ଦାଣ୍ଡମୁକୁନ୍ଦପୁର ଗ୍ରାମରଏହି ପୁରାଣ ପ୍ରସିଦ୍ଧ ମନ୍ଦିରକୁ ଓଡିଶାର ଶେଷ ସ୍ୱାଧୀନ ନରପତି ମୁକୁନ୍ଦଦେବ ହରିଚନ୍ଦନ ୧୫୬୬ ଖ୍ରୀଷ୍ଟାବ୍ଦରେ ନିର୍ମାଣ ଆରମ୍ଭ କରିଥିଲେ । ମାତ୍ର ୧୫୬୮ରେ ଗୋହିରାଟିକିରି ଯୁଦ୍ଧକ୍ଷେତ୍ରରେ ତାଙ୍କର ମୃତ୍ୟୁ ପରେ ରାଣୀ ନାଟମନ୍ଦିରରେ ବିଗ୍ରହ ପ୍ରତିଷ୍ଠା କରିଥିବା ଜଣାଯାଏ । ୧୫୬୬ରୁ ୧୫୭୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ଏହି ଯାତ୍ରା ଆରମ୍ଭ ହୋଇ ଦୀର୍ଘ ୪୫୨ ବର୍ଷରୁ ଉର୍ଦ୍ଧକାଳ ଧରି ପାଳିତ ହୋଇଆସୁଥିବାରୁ ଏହାକୁ ଜାତୀୟ ପର୍ବର ମାନ୍ୟତା ଦେବାକୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବୀ କରାଯାଇଛି ।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories