www.samajalive.in
Monday, December 15, 2025
14.1 C
Bhubaneswar

ପୁଣି ଡରାଇଲା ‘ଚକଡ଼ା’

ଭୁବ‌େନଶ୍ବର : ପୁଣି ଚାଷୀଙ୍କ ଚିନ୍ତା ବଢ଼ାଇଲାଣି ଚକଡ଼ା ବା ମାଟିଆଗୁଣ୍ଡି ପୋକ। ବିଲରୁ ବିଲ ଏହି ପୋକ ମାଡ଼ି ଫସଲ ନଷ୍ଟ କରୁଛନ୍ତି। ବର୍ଷା ଯୋଗୁଁ ପୋକର ପ୍ରାଦୁର୍ଭାବ ବଢ଼ୁଥିବାବେଳେ ପବନରେ ଏହା ମାଡ଼ି ଚାଲିଛି। ୫ଟି ଜିଲାରେ ଚକଡ଼ା ପୋକ ଦେଖାଯିବା ନେଇ ଅଭିଯୋଗ ଆସିବା ପରେ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । ଚକଡ଼ା ପୋକର ମୁକାବିଲା ପାଇଁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି) ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି।
ମିଳିଥିବା ସୂଚନା ଅନୁସାରେ, କେନ୍ଦୁଝର, ବରଗଡ଼, ଗଞ୍ଜାମ, ଝାରସୁଗୁଡ଼ା ଆଦି ୪ ରୁ ୫ଟି ଜିଲାରେ ଚକଡ଼ା ପୋକ ଦେଖିବାକୁ ମିଳିଛି। ଚକଡ଼ା ପୋକ ଦେଖି ଚାଷୀଙ୍କୁ ଫସଲ ଚିନ୍ତା ଘାରିଛି । କିପରି ପୋକ ଦାଉରୁ ଫସଲକୁ ସୁରକ୍ଷିତ ରଖିବେ, ସେନେଇ ଚାଷୀର ଚିନ୍ତା ବଢ଼ିଯାଇଛି। କୃଷି ବିଜ୍ଞାନୀଙ୍କ ମତରେ ଖରିଫ ଧାନରେ ସାଧାରଣତଃ ସେପ୍ଟେମ୍ବରରୁ ଅକ୍ଟୋବର ମାସରେ ଚକଡ଼ା ପୋକ ଦେଖାଯାଇଥାଏ। ତାପମାତ୍ରା ୨୮ରୁ ୩୦ ଡିଗ୍ରୀ ଓ ମଧ୍ୟମ ଧରଣର ବର୍ଷା ତଥା ଅଧିକ ଆର୍ଦ୍ରତା ରହିଲେ ଏହି ପୋକ ଅଧିକ ଲାଗେ। ଅଧିକ ପବନ ହେଲେ ଗୋଟିଏ ବିଲରୁ ଅନ୍ୟ ବିଲକୁ ପୋକ ସହଜରେ ଯାଇପା‌େ‌ର। ପୂର୍ଣ୍ଣାଙ୍ଗ କୀଟଗୁଡ଼ିକ ମାଟିଆ ରଙ୍ଗର ଏବଂ ଛୋଟ ଓ ଲମ୍ବା ଡେଣିଆ ହୋଇଥାନ୍ତି। ଧାନ କିଆରିରେ ମଧ୍ୟଭାଗରୁ ଏହି ପୋକ ଆକ୍ରମଣ ଆରମ୍ଭ ହୋଇଥାଏ, କ୍ରମେ ଏହା ହିଡ଼ ପର୍ଯ୍ୟନ୍ତ ମାଡ଼ି ଆସେ।
ଚକଡ଼ା ପୋକର ମୁକାବିଲା ପାଇଁ ଓୟୁଏଟି ସମ୍ପ୍ରସାରଣ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। କିଆରିରୁ ଜଳ ନିଷ୍କାସନ କରିବା ସହ ଆବଶ୍ୟକ ପଡ଼ିଲେ ପୁନର୍ବାର ପାଣି ଭରିବାକୁ ପରାମର୍ଶ ଦିଆଯାଇଛି। ସେହିପରି ପ୍ରତି ୬ ଫୁଟରେ ପାହି ତିଆରି କରି ଅନୁମୋଦିତ ମାତ୍ରାରେ କୀଟନାଶକ ପ୍ରୟୋଗ କରିବାକୁ କୁହାଯାଇଛି। ହସ୍ତଚାଳିତ ସିଞ୍ଚନ ଯନ୍ତ୍ର ବ୍ୟବହାର କରୁଥିଲେ ୨୦ ଲିଟର କୀଟନାଶକ ଦ୍ରବଣ ଓ ଶକ୍ତିଚାଳିତ ସିଞ୍ଚନ ଯନ୍ତ୍ର ବ୍ୟବହାର କରୁଥିଲେ ୬୦-୭୦ ଲିଟର କୀଟନାଶକ ଦ୍ରବଣ ସିଞ୍ଚନ କରିବାକୁ ପରାମର୍ଶ ଦିଆଯାଇଛି। ସିଞ୍ଚନ ସମୟରେ ସିଞ୍ଚନ ଯନ୍ତ୍ରର ନୋଜଲକୁ ବୁଦା ମୂଳେ ସିଞ୍ଚନ କଲେ ପୋକଗୁଡ଼ିକ କୀଟନାଶକ ସଂସ୍ପର୍ଶରେ ଆସି ମରିବେ। ଦରକାର ପଡ଼ିଲେ ୧୦ ଦିନ ଅନ୍ତରରେ କୀଟନାଶକ ପରିବର୍ତ୍ତନ କରି ସିଞ୍ଚନ କରିବାକୁ କୁହାଯାଇଛି। ସେହିପରି ଚକଡ଼ା ପୋକ ମାଡ଼ିଥିଲେ ଯବକ୍ଷାରଜାନ ଜାତୀୟ ସାର ପ୍ରୟୋଗକୁ ବାରଣ କରାଯାଇଛି। ଏହାସହ ଗୋଟିଏ କୀଟନାଶକକୁ ବାରମ୍ବାର ବ୍ୟବହାର ନ କରିବା, ଏକାଧିକ କୀଟନାଶକ ମିଶ୍ରଣ କରି ପ୍ରୟୋଗ ନ କରିବା ଏବଂ ଧାନ ଅମଳ ଉପଯୋଗୀ ହୋଇଥିଲେ କୀଟନାଶକ ପ୍ରୟୋଗ ନ କରିବାକୁ ପରାମର୍ଶ ଦେଇଛି ଓୟୁଏଟି। ବିନା ଅନୁମୋଦିତ କୀଟନାଶକ କୌଣସିମତେ ପ୍ରୟୋଗ ନ କରିବାକୁ ଚାଷୀଙ୍କୁ ସତର୍କ କରାଯାଇଛି। ଏ ସମ୍ପର୍କରେ ଅଧିକ ସୂଚନା ପାଇଁ କୃଷି ବିଜ୍ଞାନ କେନ୍ଦ୍ର, ଆଞ୍ଚଳିକ କୃଷି ଗବେଷଣା କେନ୍ଦ୍ର, କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ କିମ୍ବା ଆମ କୃଷି ଦେୟମୁକ୍ତ ନମ୍ବର ୧୫୫୩୩୩ ସହ ଯୋଗାଯୋଗ କରିବାକୁ କୁହାଯାଇଛି।
ଏ ସଂକ୍ରାନ୍ତରେ ଓୟୁଏଟି କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଏବେ କାଁ ଭାଁ ଚକଡ଼ା ପୋକ ଦେଖାଦେଇଛି। ଏଥିପାଇଁ ଏକ ସ୍ବତନ୍ତ୍ର କ‌େ‌ଣ୍ଟ୍ରାଲ ରୁମ୍ (ନିୟନ୍ତ୍ରଣ କକ୍ଷ) ଖୋଲାଯାଇଛି। କାର୍ଯ୍ୟ ଦିବସରେ ଦିନ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହା ଖୋଲା ରହିବ। ୦୬୭୪୨୩୯୭୯୩୩ ନମ୍ବରକୁ କଲ୍ କରି ସମସ୍ୟା ସମ୍ପର୍କରେ ଜଣାଇ ଆବଶ୍ୟକ ପରାମର୍ଶ ନେଇପାରିବେ। ଓୟୁଏଟି ସମ୍ପ୍ରସାରଣ ଶିକ୍ଷା ଡିନ୍ ପ୍ରଫେସର ପ୍ରସନ୍ନଜିତ୍ ମିଶ୍ର କହିଛନ୍ତି, ୪-୫ଟି ଜିଲାରେ ଚକଡ଼ା ପୋକ ଦେଖା ଦେଇଥିବା ଅଭିଯୋଗ ଆସିଛି। କୃଷି ବିଜ୍ଞାନ କେନ୍ଦ୍ର ଓ କୃଷି ବିଭାଗର ଟିମ୍ ଅଞ୍ଚଳ ଗସ୍ତ କରି ରିପୋର୍ଟ ଦେଇଛନ୍ତି। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories