ଓଡ଼ିଶାରେ ବଢୁଥିବା ହାତୀ ମୃତ୍ୟୁ ଚିନ୍ତାଜନକ: ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାରେ ବଢୁଥିବା ହାତୀ ମୃତ୍ୟୁ ଘଟଣା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ-ଓଡ଼ିଶାର ଘଞ୍ଚ ଜଙ୍ଗଲ ଏବଂ ବନ୍ୟପ୍ରାଣୀ ଆମ ରାଜ୍ୟର ଅନନ୍ୟ ପରିଚୟ

ଭୁବନେଶ୍ୱର: ଓଡ଼ିଶାରେ ବଢୁଥିବା ହାତୀ ମୃତ୍ୟୁ ଘଟଣା ନେଇ ଉଦବେଗ ପ୍ରକାଶ କରିବା ସହ ଏହା ଚିନ୍ତାଜନକ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି କହିଛନ୍ତି। ଶ୍ରୀ ପ୍ରଧାନ ଟ୍ୱିଟ କରିଛନ୍ତି ଯେ ଓଡ଼ିଶାର ଘଞ୍ଚ ଜଙ୍ଗଲ ଏବଂ ବନ୍ୟପ୍ରାଣୀ ଆମ ରାଜ୍ୟର ଅନନ୍ୟ ପରିଚୟ। ପ୍ରକୃତି ଓ ପର୍ଯ୍ୟାବରଣରେ ହାତୀମାନଙ୍କର ସ୍ଥାନ ସ୍ୱତନ୍ତ୍ର। ମାତ୍ର ଦୀର୍ଘ ବର୍ଷ ଧରି ରାଜ୍ୟରେ ବଢୁଥିବା ହାତୀ ମୃତ୍ୟୁ ଘଟଣା ବେଶ ଉଦବେଗଜନକ। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଓଡ଼ିଶା ପରି ହାତୀ ବହୁଳ ରାଜ୍ୟରେ ବିଗତ ୧୨ ବର୍ଷରେ ପ୍ରାୟ ୯୪୭ଟି ହାତୀ ମୃତ୍ୟୁବରଣ କରିଛନ୍ତି। ଶିକାରୀଙ୍କ ଗୁଳି, ବିଷ ପ୍ରୟୋଗ, ବ୍ୟବସ୍ଥାରେ ତ୍ରୁଟିରୁ ବିଦ୍ୟୁତ ଆଘାତ ବା ଦୁର୍ଘଟଣା ଯୋଗୁଁ ଅନେକ ହାତୀଙ୍କ ମୃତ୍ୟୁ ଘଟିବା ଚିନ୍ତାର ବିଷୟ। ନିକଟ ଅତୀତରେ କଟକ ଜିଲାରେ ଗୁଳିବିଦ୍ଧ ହାତୀର ମୃତ୍ୟୁ ବନ୍ୟପ୍ରାଣୀ ଓ ପ୍ରକୃତିପ୍ରେମୀଙ୍କୁ ଦୁଃଖ ଦେଇଛି। ହାତୀ ସୁରକ୍ଷା ପାଇଁ ସମୟୋପଯୋଗୀ ପଦକ୍ଷେପ ନେବା ଜରୁରୀ। ରାଜ୍ୟ ସରକାର ଅବିଳମ୍ବେ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବା ସହ ଶିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ନିତ୍ୟାନ୍ତ ଆବଶ୍ୟକ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ କରିଛନ୍ତି।

kalyan agarbati

Comments are closed.