ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା; ନୀରବଦ୍ରଷ୍ଟା ଜିଲ୍ଲା ପ୍ରଶାସନ

ରେଙ୍ଗାଲିକ୍ୟାମ୍ପ : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ କାଦୋବାହାଲରେ ରହିଛି ବହୁ ପୁରୁଣା ଏକ ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର। ୧୯୫୨ ମସିହାରେ ସ୍ଥାପିତ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଅଞ୍ଚଳବାସୀଙ୍କ ପାଇଁ ଏକମାତ୍ର ଭରସା । ଲୋକ ସଂଖ୍ୟା ବୃଦ୍ଧି ସହିତ ଏହାର ରୋଗୀ ସଂଖ୍ୟା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।କିନ୍ତୁ ଏହି ସ୍ବାସ୍ଥ୍ୟକେନ୍ଦ୍ର ଅବସ୍ଥା ଆଜି ଶୋଚନୀୟ ହୋଇପଡିଛି। ଚିକିତ୍ସା ପାଇଁ ଲୋକେ ଆଶା ଓ ଭରସା ନେଇ ଆସୁଛନ୍ତି ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ । ହେଲେ ଏଠାକାର ପରିସ୍ଥିତି ଦେଖି ରୋଗୀଙ୍କ ଚିନ୍ତା ଆହୁରି ବଢ଼ିଯାଉଛି । ବାହାର ଯେମିତି ଭିତର ବି ସେମିତି । ପ୍ରତି ବିଭାଗ ପାଇଁ ଜଣେ ଜଣେ ଡାକ୍ତର ରହିବା କଥା। କିନ୍ତୁ ଜଣେ ମାତ୍ର ଡାକ୍ତରରେ ଚାଲିଛି ଏହି ସ୍ବାସ୍ଥ୍ୟକେନ୍ଦ୍ର କାହିଁ କେତେ ଦିନରୁ। ସେହି ଜଣେ ଡାକ୍ତର ସବୁ ପ୍ରକାର ରୋଗୀଙ୍କ ଚିକିତ୍ସା କରୁଛନ୍ତି ବାଧ୍ୟ ହୋଇ । ସରକାରୀ ନିୟମ ଅନୁଯାୟୀ, ଦିନକୁ ୨୦ରୁ ୩୦ ଜଣ ରୋଗୀଙ୍କୁ ଜଣେ ଡାକ୍ତର ଦେଖିବା, ହେଲେ ଡାକ୍ତର ଅଭାବରୁ ଏଠି ଦିନକୁ ୭୦/୮୦ ଜଣ ରୋଗୀଙ୍କୁ ମଧ୍ୟ ଦେଖିବାକୁ ପଡୁଛି ଜଣେ ଡାକ୍ତରକୁ, ତାଙ୍କୁ ପୁଣି ମାସକୁ ଦୁଇଦିନ ବରଗଡ଼ ସ୍ବାସ୍ଥ୍ୟକେନ୍ଦ୍ରକୁ ଯିବା ପାଇଁ ନିର୍ଦ୍ଦେଶ ରହିଛି। ସେହି ଦୁଇଦିନ ଯଦି ଗୁରୁତର ରୋଗୀ ଆସନ୍ତି ତାହେଲେ ସେମାନଙ୍କ ଅବସ୍ଥା କଣ ହେବ ବିଚାର କରିବା କଥା। ଚାରିଜଣ ଷ୍ଟାଫ୍ ନର୍ସ ଆବଶ୍ୟକ ହେଲେ ଅଛନ୍ତି ଦୁଇଜଣ ଅନ୍ୟ କେନ୍ଦ୍ରରୁ ଡେପୁଟେସନରେ ଆସି କାମ ଚଳାଉଛନ୍ତି । ଜଣେ ଟେକ୍ନିସିଆନ୍ ରହିଛନ୍ତି, ସେ ମଧ୍ୟ ତିନି ଦିନ ପତ୍ରାପାଲି ସ୍ବାସ୍ଥ୍ୟକେନ୍ଦ୍ରକୁ ଆଉ ତିନିଦିନ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ କାମ କରୁଛନ୍ତି । କର୍ମଚାରୀ ଅଭାବରୁ ଲକ୍ଷାଧିକ ଟଙ୍କାର ମେଡିକାଲ ୱେଷ୍ଟ ସାରିଡର ମେସିନ ତଥା ଅନ୍ୟାନ୍ୟ ପ୍ରସୂତି କାର୍ଯ୍ୟରେ ଲାଗିଥିବା ଯନ୍ତ୍ରଗୁଡ଼ିକ ଅଚଳ ହୋଇ ପଡ଼ିରହିଛି। ୪ ବର୍ଷ ହେଲା ଆଟେଣ୍ଡାଣ୍ଟ ପଦବୀ ଖାଲି ପଡ଼ିଛି।ରାତ୍ର ଜଗୁଆଳି ନାହିଁ। ଏ ତ ଗଲା ସ୍ବାସ୍ଥ୍ୟକେନ୍ଦ୍ରର ଭିତିରି କଥା । ଏବେ ଜାଣିବା ବାହାର କଥା। ସ୍ବାସ୍ଥ୍ୟକେନ୍ଦ୍ରର ଗୋଟିଏ ପଟେ ପାଚେରୀ ନାହିଁ କି ଆଗରେ ଗେଟ ନାହିଁ। ଯାହା ଫଳରେ ସନ୍ଧ୍ୟା ତଥା ଅପରାହ୍ନ ସମୟରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଏହି ସ୍ବାସ୍ଥ୍ୟକେନ୍ଦ୍ର ଭିତରେ ଥିବା ଶୌଚାଳୟରେ ପଡ଼ିରହିଛି ଗଦା ଗଦା ମଦ ବୋତଲ। ତେଣୁ ରୋଗୀଙ୍କ ସୁରକ୍ଷାରେ ଶଙ୍କା ଦେଖାଯାଉଥିବା ଅଞ୍ଚଳ ବାସୀ ପ୍ରକାଶ କରିଛନ୍ତି। ୫୪ ନମ୍ୱର୍ ରାଜ୍ୟ ରାଜପଥ କଡ଼ରେ ଅବସ୍ଥିତ ଏହି ସ୍ୱାସ୍ଥ୍ୟକେନ୍ଦ୍ର। ନିତିଦିନିଆ ଭାବେ ଏହି ରାସ୍ତାରେ ଦୁର୍ଘଟଣାମାନ ଘଟୁଥିବା ନଜିର ରହିଛି ଓ ସମସ୍ତ ଆହତ ରୋଗୀ ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥାନ୍ତି ଚିକିତ୍ସା ପାଇଁ। ତେବେ ଏମିତି ସମସ୍ୟା ଦେଇ ଚାଲୁଥିବା ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ସେମାନଙ୍କର ଚିକିତ୍ସା ଯାହା ହେଉଥିବ ତାହା ବେଶ୍ ଅନୁମେୟ । କେବଳ ସେତିକି ନୁହେଁ, ରୋଗୀଙ୍କ ପାଇଁ ଆବଶ୍ୟକତାଠାରୁ କମ୍ ପରିମାଣର ଔଷଧ ଆସୁଛି ଯାହା ଫଳରେ ରୋଗୀ ମାନେ ପାଇପାରୁ ନାହାଁନ୍ତି ଓ ସେମାନଙ୍କୁ ବାହାରେ ଅଧିକ ପଇସା ଦେଇ କିଣିବାକୁ ପଡୁଛି। ଷ୍ଟାଫ୍ ନର୍ସଙ୍କ ପାଇଁ ରହିବା ପାଇଁ ଘର ନାହିଁ। ଏପରିକି ବେସରକାରୀ ବ୍ୟକ୍ତିଗତ ଗାଡ଼ି ଗୁଡ଼ିକ ମଧ୍ୟ ଏହି ସ୍ବାସ୍ଥ୍ୟ କେନ୍ଦ୍ର ଭିତରେ ସରକାରୀ ନିୟମକୁ ଉଲ୍ଲଂଘନ କରି ପାର୍କିଂ କରାଯାଉଥିବାର ଦେଖିବାକୁ ମିଳିଛି। ଏଥିପାଇଁ ଡାକ୍ତର ଗିରିଧାରୀ ପ୍ରଧାନ ବାରମ୍ବାର ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟକୁ ଜଣାଇ ଆସୁଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଉ ନାହିଁ ବୋଲି ସେ କହିଛନ୍ତି। ଦୀର୍ଘ ସମୟ ଧରି ଏଠାରେ କାର୍ଯ୍ୟରତ କେତେକ କର୍ମଚାରୀଙ୍କ ବଦଳି କରିବାର ନିୟମ ଥିଲେ ମଧ୍ୟ ସିଡିଏମ୍ଓ ବଦଳି ନକରି ସେମାନଙ୍କୁ ଏଠାରେ ରଖିଛନ୍ତି । ଯାହା ଫଳରେ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବା ମଧ୍ୟ ଜଣାପଡିଛି।

୨୦୧୩ ମସିହାରେ କାଦୋବାହାଳର ତତ୍କାଳୀନ ସରପଞ୍ଚ ଓ ଜନସାଧାରଣ ଏହି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ସିଏଚସି ବା ସ୍ତରପ ୨ ରୂପେ ପରିଣତ କରିବା ପାଇଁ ଧାରଣା ଦେଇଥିଲେ। ଏହା ଦ୍ବାରା ୬ ଜଣ ଷ୍ଟାଫ ନର୍ସ, ୬ ଟି ରୋଗୀ ଶଯ୍ୟା ଓ ଗୋଟିଏ ଟେକ୍ନିସିଆନର ସୁବିଧା ହୋଇପାରିବ ଯାହା ଦ୍ୱାରା କେନ୍ଦ୍ରରେ ରୋଗୀମାନଙ୍କ ପାଇଁ ବିଶେଷ ସୁବିଧା ହୋଇପାରିବ ବୋଲି ଦାବି କରିଥିଲେ । ତତ୍କାଳୀନ ସିଡିଏମ୍ଓ ଧାରଣା ସ୍ଥଳରେ ପହଞ୍ଚି ସେମାନଙ୍କ ଦାବି ତୁରନ୍ତ ପୁରାଣ କରାଯିବ ଯାହାକି ଏଠାରେ ଆବଶ୍ୟକ ମଧ୍ୟ ରହିଛି ବୋଲି ସେ ସର୍ବସମ୍ମୁଖରେ ପ୍ରତିଶ୍ରୁତି ଦେଇଯାଇଥିଲେ। ହେଲେ ଆଜିକୁ ୯ ବର୍ଷ ବିତିଯାଇଥିଲେ ମଧ୍ୟ ସିଏଚସି କେନ୍ଦ୍ର ହେବା ତା ଦୂର କଥା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ମଧ୍ୟ କୌଣସି ବ୍ୟବସ୍ଥାକୁ ସୁଦୃଢ଼ କରାଯାଇ ପାରିନାହିଁ । ସର୍ବ ପରି ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଗେଟ ନାହିଁ କି ବୋର୍ଡ ମଧ୍ୟ ନାହିଁ।ଲୋକେ ଜାଣି ପାରୁ ନାହାନ୍ତି, ତେଣୁ ପଚାରି ପଚାରି ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଛନ୍ତି। କିଛି ମାସ ତଳେ ଏହି ସ୍ବାସ୍ଥ୍ୟକେନ୍ଦ୍ରର ଅନତି ଦୂରରେ ଥିବା ଏକ ବେସରକାରୀ ନର୍ସିଂ ହୋମକୁ ବରଗଡ଼ ଜିଲ୍ଲାପାଳ ପରିଦର୍ଶନରେ ଆସି ଲୋକଙ୍କ ବିଜୁ ସ୍ବାସ୍ଥ୍ୟ କାର୍ଡର ଉପଯୋଗିତା ଉପରେ ପଚାରି ବୁଝିଥିଲେ । କିନ୍ତୁ ପାଖରେ ଥିବା ଏହି ପ୍ରାଥମିକ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଡେଇଦେଇ ଫେରି ଯାଇଥିଲେ। ତେବେ ଏହି ସ୍ବାସ୍ଥ୍ୟକେନ୍ଦ୍ରର ସୁଧାର ପାଇଁ ଆଉ କେତେ ବର୍ଷ ଲାଗିବ? ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ କେବେ ଏଥିପ୍ରତି ଦୃଷ୍ଟି ଦେବେ ନା ଧୀରେ ଧୀରେ ଏହା ବନ୍ଦ ହୋଇଯିବ ତାହା ଏବେ ପ୍ରଶ୍ନବାଚୀ ହୋଇ ରହିଛି। ଏନେଇ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

Comments are closed.