ମୋବାଇଲ୍‌ ବ୍ୟବହାରକାରୀଙ୍କ ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି; ବନ୍ଦ ହେବ କଲ୍‌ ଫରୱାର୍ଡିଂ ସେବା

ନୂଆଦିଲ୍ଲୀ: ଦେଶରେ ଅନ୍‌ଲାଇନ୍‌ ଠକେଇ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। କିନ୍ତୁ ଏବେ ସରକାର ଦ୍ରୁତ ଗତିରେ ବଢୁଥିବା ଅନଲାଇନ୍ ଠକେଇର ମୁକାବିଲା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଟେଲିକମ୍ ବିଭାଗ ଏୟାରଟେଲ ଏବଂ ଜିଓ ସମେତ ସମସ୍ତ ଟେଲିକମ୍ କମ୍ପାନୀକୁ USSD କୋଡ୍ ବ୍ୟବହାର କରି କଲ୍ ଫରୱାର୍ଡିଂ ସେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। ଏହି ନିର୍ଦ୍ଦେଶ ଅନୁଯାୟୀ ଏପ୍ରିଲ୍ ୧୫, ୨୦୨୪ ପରେ ଆପଣଙ୍କ ସ୍ମାର୍ଟଫୋନରେ କଲ୍ ଫରୱାର୍ଡିଂ ସେବା ବନ୍ଦ ହୋଇଯିବ। ତେବେ ଆସନ୍ତୁ ଜାଣିବା USSD କୋଡ୍‌ ଓ କଲ୍‌ ଫରୱାର୍ଡିଂ ସେବା କ’ଣ ? ଏହାଦ୍ବାରା ଠକମାନେ କିପରି ଆପଣଙ୍କୁ ଟାର୍ଗେଟ କରନ୍ତି ଏବଂ ଏହି ଠକେଇ ଉପରେ ଲଗାମ ଲଗାଇବା ପାଇଁ ସରକାର କ’ଣ ପ୍ରସ୍ତୁତି ଚଳାଇଛନ୍ତି ?

USSD କୋଡ୍‌ କ’ଣ ?

ଏହା ଏକ ସଂକ୍ଷିପ୍ତ କୋଡ୍, ଯାହାକୁ ମୋବାଇଲ୍ ବ୍ୟବହାରକାରୀମାନେ ବାଲାନ୍ସ କିମ୍ବା IMEI ନମ୍ବର ଜାଣିବା ପାଇଁ ଡାଏଲ୍ କରନ୍ତି। ସରଳ ଭାଷାରେ କହିଲେ, USSD ଏଭଳି ଏକ ଫିଚର୍‌ ଯାହା ସାହାଯ୍ୟରେ ଏକ କୋଡ୍ ଡାଏଲ୍ କରି କୌଣସି ନମ୍ବରରେ ଅନେକ ସେବା ସକ୍ରିୟ ଏବଂ ନିଷ୍କ୍ରିୟ କରାଯାଇପାରିବ। IMEI ନମ୍ବର ମଧ୍ୟ USSD କୋଡ୍‌ରୁ ହିଁ ଜଣାପଡ଼ିଥାଏ।

କିଭଳି କାମ କରେ କଲ୍‌ ଫରୱାର୍ଡିଂ ସେବା ?

କଲ୍ ଫରୱାର୍ଡିଂ ସେବା ମାଧ୍ୟମରେ ଆପଣଙ୍କ ମୋବାଇଲ୍ ନମ୍ବରକୁ ଆସୁଥିବା କଲ୍ କିମ୍ବା ମେସେଜ୍‌କୁ ଅନ୍ୟ କୌଣସି ନମ୍ବରକୁ ପଠାଯାଇପାରିବ। *୪୦୧# ଡାଏଲ କରିବା ପରେ କଲ୍‌ ଫରୱାର୍ଡ ହୋଇଥାଏ। ଅର୍ଥାତ୍‌ ଆପଣଙ୍କ କଲ୍‌, ମେସେଜ୍‌ର ଆକ୍ସେସ୍‌ ଅନ୍ୟ କାହା ପାଖକୁ ଚାଲିଯାଏ। ଆଜିକାଲି ଠକମାନେ ଏହି ଉପାୟକୁ ବହୁତ ବ୍ୟବହାର କରୁଛନ୍ତି। ଟେଲିକମ୍ ବିଭାଗ ନିଜେ ଏନେଇ ଲୋକଙ୍କୁ ସଚେତନ କରିଛି। ଯେଉଁଥିରେ କୁହାଯାଇଥିଲା ଯେ ଠକମାନେ USSD କୋଡ୍ *୪୦୧# ମାଧ୍ୟମରେ ଅନଲାଇନ୍ ଠକେଇ କରୁଛନ୍ତି।

ଏଭଳି ଭାବେ ଠକଙ୍କ ଶିକାର ହୁଅନ୍ତି ଲୋକେ

ଏଥିରେ ଠକମାନେ ଆପଣଙ୍କ ନମ୍ବରକୁ କଲ୍ କରନ୍ତି ଏବଂ କୁହନ୍ତି ଯେ ଆମେ ଆପଣଙ୍କର ଟେଲିକମ୍ ସେବା ପ୍ରଦାନକାରୀ କମ୍ପାନୀରୁ କହୁଛୁ ଏବଂ ଆମେ ଲକ୍ଷ୍ୟ କରୁଛୁ ଯେ ଆପଣଙ୍କ ନମ୍ବରରେ ନେଟୱର୍କ ସମସ୍ୟା ରହିଛି। ଏହାପରେ ସେମାନେ ତାଙ୍କ ଜାଲରେ ଫସାଇବା ପାଇଁ କୁହନ୍ତି ଯେ ନେଟୱର୍କ ସମସ୍ୟାା ସମାଧାନ ପାଇଁ ଆପଣଙ୍କୁ *୪୦୧# ନମ୍ବର ଡାଏଲ କରିବାକୁ ପଡ଼ିବ। ଏହି ନମ୍ବରକୁ ଡାଏଲ୍ କରିବା ମାତ୍ରେ ଆପଣଙ୍କୁ ସେ ଏକ ଅଜ୍ଞାତ ନମ୍ବରକୁ କଲ୍‌ କରିବାକୁ କହିବେ। ଯାହାପରେ ଆପଣଙ୍କ ଫୋନକୁ ଆସୁଥିବା ସମସ୍ତ ମେସେଜ୍ ଏବଂ କଲ୍ ଠକ ଫୋନକୁ ଫରୱାର୍ଡ ହୋଇଯିବ। ଏଥିସହ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ, ସୋସିଆଲ ମିଡିଆ, ଅନଲାଇନ୍ ନେଣଦେଣ ସହିତ ଆପଣଙ୍କ ନମ୍ବରକୁ ଆସୁଥିବା ସମସ୍ତ ପ୍ରକାର ଓଟିପି ତାଙ୍କ ପାଖକୁ ଚାଲିଯିବ। ଯାହାକୁ ବ୍ୟବହାର କରି ସେମାନେ କେବଳ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ଖାଲି କରିପାରିବେ ନାହିଁ ବରଂ ଆପଣଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ମଧ୍ୟ ନିଜ ନିୟନ୍ତ୍ରଣକୁ ନେଇପାରିବେ। କେବଳ ଏତିକି ନୁହେଁ, କଲ୍ ଫରୱାର୍ଡିଂ ମାଧ୍ୟମରେ ଆପଣଙ୍କ ନାମ ଏବଂ ନମ୍ବରରେ ଅନ୍ୟ ଏକ ସିମ୍ କାର୍ଡ ମଧ୍ୟ ଆଣିପାରିବେ।

କ’ଣ କହିଛି ଟେଲିକମ୍‌ ବିଭାଗ ?

ଏହି ପରିପ୍ରେକ୍ଷୀରେ ଟେଲିକମ୍ ବିଭାଗ ନିକଟରେ ଏକ ନୋଟିସ୍‌ ଜାରି କରିଛି, ଯେଉଁଥିରେ କୁହାଯାଇଛି ଯେ USSD ଆଧାରିତ କଲ୍ ଫରୱାର୍ଡିଂ ସେବାକୁ ସକ୍ରିୟ କରିଥିବା ଉପଭୋକ୍ତାଙ୍କୁ ବିକଳ୍ପ ପଦ୍ଧତି ମାଧ୍ୟମରେ କଲ୍ ଫରୱାର୍ଡିଂ ସେବାକୁ ପୁନଃ ସକ୍ରିୟ କରିବାକୁ କୁହାଯାଇପାରେ। ଯଦ୍ବାରା ଏହା ସୁନିଶ୍ଚିତ ହେବ ଯେ ଆପଣଙ୍କ ଅଜ୍ଞାତରେ ଏଭଳି ସେବାଗୁଡ଼ିକ ଆକ୍ଟିଭେଟ୍‌ କରାଯିବ ନାହିଁ। ଅନଲାଇନ୍ ଠକେଇକୁ ରୋକିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି, କାରଣ ଟେଲିକମ୍ ବିଭାଗର କହିବାନୁଯାୟୀ ଅନଲାଇନ୍ ଠକେଇ ଏବଂ ମୋବାଇଲ୍ ଫୋନ୍ ସମ୍ବନ୍ଧୀୟ ଜାଲିଆତିରେ USSD ଆଧାରିତ କଲ୍ ଫରୱାର୍ଡିଂ ସେବା ବ୍ୟବହାର କରାଯାଉଛି।

ଏବେ ଟେଲିକମ୍ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏୟାରଟେଲ ଏବଂ ରିଲାଏନ୍ସ ଜିଓ ପରି ଟେଲିକମ୍ କମ୍ପାନୀଗୁଡ଼ିକୁ ଅନ୍‌ଷ୍ଟ୍ରକ୍‌ଚର୍ଡ ସପ୍ଲିମେଣ୍ଟାରୀ ସର୍ଭିସ ଡାଟା(USSD) ମାଧ୍ୟମରେ କଲ୍ ଫରୱାର୍ଡିଂ ପାଇଁ ବିକଳ୍ପ ପଦ୍ଧତି ଖୋଜିବାକୁ ପଡ଼ିବ। ସେହିପରି ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କୁ ପରାମର୍ଶ ଦିଆଯାଇଛି ଯେ, ସେମାନେ କଲ୍ ଫରୱାର୍ଡିଂ ପାଇଁ ନିଜ ମୋବାଇଲ୍ ଫୋନର ସେଟିଙ୍ଗ୍ ଯାଞ୍ଚ କରନ୍ତୁ ଏବଂ ଯଦି *୪୦୧# ଡାଏଲ୍ କରିବା ପରେ କଲ୍ ଫରୱାର୍ଡିଂ ସେବା ସକ୍ରିୟ ଅଛି ତେବେ ତୁରନ୍ତ ଏହାକୁ ବନ୍ଦ କରନ୍ତୁ।

Comments are closed.