ନୂଆଦିଲ୍ଲୀ: ଚୀନ ସହିତ ଭାରତର ସୀମା ବିବାଦ ସେନା ବଡ ଆହ୍ବାନ ହୋଇ ରହିଛି ବୋଲି ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଜେନେରାଲ ଅନିଲ ଚୌହ୍ବାନ ଶୁକ୍ରବାର କହିଛନ୍ତି। ଉତ୍ତରପ୍ରଦେଶର ଗୋରଖପୁରରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କାଳରେ ଜେନେରାଲ ଚୌହ୍ବାନ କହିଛନ୍ତି ଯେ ଚୀନ ସହିତ ଯେଉଁ ସୀମା ବିବାଦ ଲାଗି ରହିଛି ତାହା ସାମୟିକ ଭାବେ ଟଳି ଥିଲେ ମଧ୍ୟ ଏହା ଭବିଷ୍ୟତରେ ମଧ୍ୟ ପୁଣି ଆରମ୍ଭ ହୋଇପାରେ। ଭାରତ ଓ ଚୀନ ଦ୍ବିପାକ୍ଷିକ ସମ୍ପର୍କରେ ଉନ୍ନତି ଆସିଥିବାବେଳେ ଜେନେରାଲ ଚୌହ୍ବାନ ଏପରି କହିଛନ୍ତି।
ଚୀନ ସହିତ ସୀମା ବିବାଦ ସହିତ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ଘଟାଇବା ଲାଗି ପାକିସ୍ତାନ ସର୍ବଦା ଛାୟା ଯୁଦ୍ଧ ଚଳାଇଛି। ପାକିସ୍ତାନର ଏହି ଛାୟା ଯୁଦ୍ଧ ଭାରତର ଜାତୀୟ ସୁରକ୍ଷା ପ୍ରତି ମଧ୍ୟ ବଡ ଆହ୍ବାନ। ଆଞ୍ଚଳିକ ଅସ୍ଥିରତା ଜନିତ ଭାରତ ଉପରେ ପଡିବାକୁ ଥିବା ପ୍ରଭାବକୁ ମୁକାବିଲା କରିବା ଲାଗି ଭାରତ ସର୍ବଦା ପ୍ରସ୍ତୁତ ରହିଛି। ଏହା ସହିତ ଭବିଷ୍ୟତର ଯୁଦ୍ଧ ପାଇଁ ଭାରତ ସର୍ବଦା ନିଜକୁ ପ୍ରସ୍ତୁତ ଚଳାଇଛି। ଭବିଷ୍ୟତର ଯୁଦ୍ଧ ବୈଷୟିକ ଜ୍ଞାନକୌଶଳର ଯୁଦ୍ଧ ହେବାକୁ ଥିବାବେଳେ ଏଥିପାଇଁ ନିଜକୁ ପ୍ରସ୍ତୁତି ହେବାକୁ ପଡିବ। ପାକିସ୍ତାନ ଓ ଚୀନ ଭଳି ପଡୋଶୀ ଶତ୍ରୁମାନେ ପରମାଣୁ ଶକ୍ତି ସମ୍ପନ୍ନ ହୋଇଥିବାରୁ ଭାରତ ଏଥିପ୍ରତି ସର୍ବଦା ସଜାଗ ରହିବା ଦରକାର। ଜେନେରାଲ ଚୌହ୍ବାନ କହିଛନ୍ତି ଯେ ଅପରେସନ ସିନ୍ଦୂରକୁ କାର୍ଯ୍ୟକାରୀ କରିବା ଲାଗି ସେନାକୁ ପୂର୍ଣ୍ଣ ସ୍ବାଧୀନତା ଦିଆଯାଇଥିଲା। ଏପରିକି କେଉଁ ସ୍ଥାନରେ କିପରି ଆକ୍ରମଣ କରାଯିବ ତା’ର ନିଷ୍ପତ୍ତି ସେନାକୁ ନେବାକୁ କୁହାଯାଇଥିଲା। ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ପୂର୍ବକ ବାହାବଳପୁର ଓ ମୁର୍ଡିକରେ ଥିବା ଆତଙ୍କବାଦୀ ଶିବିରକୁ ଧ୍ବଂସ କରିବା ଲାଗି ଆକାଶ ମାର୍ଗରୁ ଆକ୍ରମଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।



