କଟକ: ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ (ଏସ୍ସିବି) ହୃଦ୍ବକ୍ଷଶଲ୍ୟ ବିଭାଗ ଏବଂ ଇକ୍ମୋ ୟୁନିଟ୍ (ଓପନ୍ ହାର୍ଟ ସର୍ଜରୀ) ବିଭାଗରେ ରୋଗୀସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସାମ୍ପ୍ରତିକ ପରିସ୍ଥିତିରେ ହୃଦ୍ରୋଗୀଙ୍କ ସଂଖ୍ୟା ଯେଉଁଭଳି ଭାବେ ବଢ଼ୁଛି ଭିତ୍ତିଭୂମି ଅଭାବରୁ ସେବା ଯୋଗାଇବା ସେତେ ସମ୍ଭବ ହେଉନାହିଁ। ରାଜ୍ୟର ଏକମାତ୍ର ସରକାରୀ ଚିକିତ୍ସାଳୟ ଭାବେ ଏସ୍ସିବିର ହୃଦ୍ବକ୍ଷ ଶଲ୍ୟ ବିଭାଗ (କାର୍ଡିଓଥୋରାସିସ ଭାସ୍କୁଲାର ସର୍ଜରୀ, ସିଟିଭିଏସ୍)ରେ ଓପନ ହାର୍ଟ ଅେସ୍ତ୍ରାପଚାର ହେଉଛି। ଏବେ ଏହି ବିଭାଗରେ ମୃତ୍ୟୁ ସଂଖ୍ୟା ବୃଦ୍ଧିକୁ ନେଇ ଚିନ୍ତାବ୍ୟକ୍ତ କରାଯାଇଛି। ଗତ ୨ ବର୍ଷ ୮ ମାସ ମଧ୍ୟରେ ୬୫ ରୋଗୀଙ୍କ ଓପନ ହାର୍ଟ ସର୍ଜରୀ ପରେ ମୃତ୍ୟୁ ଘଟିଛି ବୋଲି ଜଣାପଡ଼ିଛି। ମୃତ୍ୟୁ ସଂଖ୍ୟା ବୃଦ୍ଧିର ବିଭିନ୍ନ କାରଣ ମଧ୍ୟରେ ବିଭାଗରେ ସ୍ଥାୟୀ ତଥା ଅଭିଜ୍ଞ ନିଶ୍ଚେତକ ଡାକ୍ତରଙ୍କ ଅଭାବ ଓ ଘରୋଇ ଚିକିତ୍ସାଳୟରୁ ସଙ୍ଗୀନ ଅବସ୍ଥାରେ ଶେଷ ସମୟରେ ପହଞ୍ଚୁଥିବା ରୋଗୀ ଅନ୍ୟତମ।
ହାଇକୋର୍ଟରେ ସହର ସମସ୍ୟା ମାମଲାର ଶୁଣାଣି ବେଳେ ଏସ୍ସିବି ଅଧୀକ୍ଷକ ଦେଇଥିବା ସତ୍ୟପାଠରୁ ଜଣାପଡ଼ିଛି ଯେ ୨୦୨୩ ବର୍ଷରେ ସମୁଦାୟ ୧୮୬ ଜଣ ଓପନ ହାର୍ଟ ଅେସ୍ତ୍ରାପଚାର ପାଇଁ ଭର୍ତ୍ତି ହୋଇଥିଲେ। ଏଥିମଧ୍ୟରୁ ୨୧ ଜଣ ଅେସ୍ତ୍ରାପଚାର କରି ନ ଥିଲେ। ବାକି ୧୬୫ ଜଣଙ୍କ ଅେସ୍ତ୍ରାପଚାର କରିଥିବା ରୋଗୀଙ୍କ ମଧ୍ୟରୁ ୧୫ ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିଭଳି ୨୦୨୪ରେ ସମୁଦାୟ ୧୮୧ ଜଣ ଅପରେସନରେ ପାଇଁ ଭର୍ତ୍ତି ହୋଇଥିଲା ବେଳେ ୪୬ ଜଣ ଅପରେସନରେ ପାଇଁ ଇଚ୍ଛା ପ୍ରକଟ କରି ନ ଥିଲେ। ବାକି ୧୩୫ ଜଣଙ୍କ ଅପରେସନରେ ହୋଇଥିଲା ଓ ଏଥିମଧ୍ୟରୁ ୨୪ ଜଣଙ୍କ ମୃତ୍ୟୁ ଘଟିଥିଲା। ୨୦୨୫ ଅଗଷ୍ଟ ସୁଦ୍ଧା ୧୩୮ ଜଣ ରୋଗୀ ଓପନ ହାର୍ଟ ଅେସ୍ତ୍ରାପଚାର ପାଇଁ ଭର୍ତ୍ତି ହୋଇଥିବା ବେଳେ ୫୩ ଜଣ ଅପରେସନରେ କରି ନ ଥିଲେ। ବାକି ୮୫ ଜଣଙ୍କ ଅେସ୍ତ୍ରାପଚାର କରାଯାଇଥିଲା ଓ ଏଥିମଧ୍ୟରୁ ୨୬ଜଣଙ୍କ ମୃତ୍ୟୁ ଘଟିଥିଲା। ୨୦୨୫ ବର୍ଷ ଅଗଷ୍ଟ ସୁଦ୍ଧା ସର୍ବାଧିକ ୨୬ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ମୃତ୍ୟୁସଂଖ୍ୟା ବୃଦ୍ଧିକୁ ନେଇ ନାନା କାରଣ ରହିଥିବା ଜଣାପଡ଼ିଛି। ବାସ୍ତବରେ ସିଟିଭିଏସ ବିଭାଗ ବିଭିନ୍ନ ସମସ୍ୟାରେ ଯୁଝି ହେଉଛି। ରୋଗୀସଂଖ୍ୟା ବଢ଼ୁଥିବା ବେଳେ ଓପନ ହାର୍ଟ ଅେସ୍ତ୍ରାପଚାର ପାଇଁ ଗୋଟିଏ ଦଳ ବା ଟିମ୍ ରହିଛି। ଏହି ଟିମ୍ କେବଳ ଦିନରେ ଜଣେ ରୋଗୀଙ୍କ ଅପରେସନରେ କରିପାରିବ। ତେବେ ଅତିରିକ୍ତ ଦଳ ନ ଥିବାରୁ ଅପରେସନରେ ସଂଖ୍ୟା ବଢ଼ିପାରୁ ନାହିଁ। ଦଳରେ ଜଣେ ହୃଦବକ୍ଷ ଶଲ୍ୟ ଡାକ୍ତର ଏବଂ ତାଙ୍କୁ ସହାୟତା ପାଇଁ ସହାୟକ ଡାକ୍ତର, ଜଣେ ଦକ୍ଷ ତଥା ଅନୁଭବ ସମ୍ପନ୍ନ କାର୍ଡିଆକ ନିଶ୍ଚେତକ ଏବଂ ପର୍ଫ୍ୟୁଜନିଷ୍ଟ ରହିଥାନ୍ତି। ଓପନ ହାର୍ଟ ଅେସ୍ତ୍ରାପଚାର ଏକ ଜଟିଳ ପ୍ରକ୍ରିୟା ହୋଇଥିବାରୁ ଜଣେ ଅଭିଜ୍ଞ ନିଶ୍ଚେତକଙ୍କ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ରହିଥାଏ। ଅେସ୍ତ୍ରାପଚାର ପୂର୍ବରୁ ରୋଗୀଙ୍କ ସମ୍ପୂର୍ଣ୍ଣ ଯାଞ୍ଚ, ମଧୁମେହ, ଉଚ୍ଚରକ୍ତଚାପ, ବୃକକ୍ ଭଳି ବିଭିନ୍ନ ରୋଗର ନିୟନ୍ତ୍ରଣ, ରୋଗୀ ଅେସ୍ତ୍ରାପଚାର ପାଇଁ ପ୍ରସ୍ତୁତିର ସ୍ଥିତି, ଅେସ୍ତ୍ରାପଚାର ପରବର୍ତ୍ତୀ ୭ ଦିନ ପର୍ଯ୍ୟନ୍ତ ରୋଗୀଙ୍କ ନିରୀକ୍ଷଣ, ଆଇସିୟୁରେ ରୋଗୀଙ୍କୁ ଔଷଧ ତଥା ଅନ୍ୟ ସହାୟକ କାର୍ଯ୍ୟ କରିବା ପ୍ରଭୃତି ଦାୟିତ୍ବ ନିଶ୍ଚେତକ ଡାକ୍ତର କରିଥାନ୍ତି। ସଂପ୍ରତି ଅସ୍ଥାୟୀ ଭାବେ ନିଶ୍ଚେତକ ଡାକ୍ତରଙ୍କ ଦ୍ବାରା ବିଭାଗ ଚାଲିଛି। ୨୦୨୩ ପୂର୍ବରୁ ଜଣେ ଦକ୍ଷ ନିଶ୍ଚେତକ ଡାକ୍ତରଙ୍କ ଦ୍ବାରା କାର୍ଯ୍ୟ କରାଯାଉଥିଲା। ହେଲେ ଉକ୍ତ ଡାକ୍ତରଙ୍କ ବଦଳି ପରେ ଅସୁବିଧା ବଢ଼ିବାରେ ଲାଗିଛି। ସ୍ଥାୟୀ ନିଶ୍ଚେତକ ପଦ ନ ଥିବାରୁ ଠିକ ଭାବେ ଏହି କାର୍ଯ୍ୟ ହୋଇପାରୁ ନ ଥିବା ଅଭିଯୋଗ ହେଉଛି। ଅନ୍ୟପଟେ ବହୁ ହୃଦ୍ ରୋଗୀ ଘରୋଇ ଚିକିତ୍ସାଳୟରୁ ଗମ୍ଭୀର ଅବସ୍ଥାରେ ପହଞ୍ଚୁଛନ୍ତି। ସେମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇବା ପାଇଁ ଭିତ୍ତିଭୂମିର ଅଭାବ ରହିଛି। ମୃତ୍ୟୁସଂଖ୍ୟାକୁ ଆକଳନ କଲେ ବହୁ ଗମ୍ଭୀର ରୋଗୀ ଏହି ବିଭାଗକୁ ଆସୁଛନ୍ତି।
ଏହାଛଡ଼ା ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ପ୍ରଭୃତି ରାଜ୍ୟରୁ ମଧ୍ୟ ରୋଗୀ ଆସୁଥିବାରୁ ବିଭାଗ ଉପରେ ଚାପ ବଢ଼ିବାରେ ଲାଗିଛି। ମାତ୍ର ଗୋଟିଏ ଦଳ ଅେସ୍ତ୍ରାପଚାର କାର୍ଯ୍ୟ କରୁଥିବାରୁ ଅଧିକ ଅେସ୍ତ୍ରାପଚାର ସମ୍ଭବ ହୋଇପାରୁ ନାହିଁ। ହାଇକୋର୍ଟ ସହର ସମସ୍ୟା ଶୁଣାଣି ବେଳେ ହୃଦ୍ବକ୍ଷଶଲ୍ୟ ବିଭାଗରେ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧିକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ। ଏହା ଡେଥ ରିଭ୍ୟୁ ବୋର୍ଡ ରିପୋର୍ଟ ଦେବାକୁ ଏସ୍ସିବି ଅଧୀକ୍ଷକଙ୍କୁ ନିର୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ବିଭାଗରେ ବିଭିନ୍ନ ଆନୁଷଙ୍ଗିକ ଉପକରଣଠାରୁ ଆରମ୍ଭ କରି ଅତ୍ୟାଧୁନିକ ଯନ୍ତ୍ରାଂଶ ଓ ମାନବ ସମ୍ବଳର ଅଭାବ ଦେଖାଦେଇଛି। ଦୀର୍ଘ ୧୦ ବର୍ଷ ହେବ ଏହି ବିଭାଗକୁ ଉପକରଣ ଯୋଗାଣ ହୋଇନାହିଁ। ଓପନ୍ ହାର୍ଟ ସର୍ଜରୀ ସମୟରେ ଗୁରୁତ୍ବପୂର୍ଣ୍ଣ ଯନ୍ତ୍ରାଂଶ ଶରୀରରେ ଲାଗିଥାଏ। ଏହି ସମୟରେ ଦୈବାତ୍ କୌଣସି ଜରୁରୀ ଯନ୍ତ୍ରାଂଶ ଅଚଳ ହୋଇଯାଏ, ତେବେ ରୋଗୀ ମୃତ୍ୟୁ ଥୟ। କାରଣ ବିଭାଗରେ ଅତିରିକ୍ତ ଯନ୍ତ୍ରାଂଶ ବା ବ୍ୟାକଅପ୍ ବ୍ୟବସ୍ଥା ନାହିଁ।



