ନୂଆଦିଲ୍ଲୀ: ସିବିଏସଇ ଦଶମ ପରୀକ୍ଷା ଫଳ ମଙ୍ଗଳବାର ଦିନ ୧୨ଟାରେ ପ୍ରକାଶ ପାଇଛି। cbseresults.nic.in ଓ cbse.gov.inରେ ଲଗ୍ ଇନ୍ କରି ଛାତ୍ରଛାତ୍ରୀ ନିଜ ଫଳାଫଳ ଦେଖିପାରିବେ। ଚଳିତବର୍ଷର ପାସ୍ ହାର ୯୯.୦୪% ରହିଛି।
ଏ ବର୍ଷ ୯୯.୨୪ ପ୍ରତିଶତ ଛାତ୍ରୀ ଏବଂ ୯୮.୮୯ ପ୍ରତିଶତ ଛାତ୍ର ପାସ୍ କରିଛନ୍ତି। ଛାତ୍ରଙ୍କ ତୁଳନାରେ ୦.୩୫% ଛାତ୍ରୀ ଆଗୁଆ ଅଛନ୍ତି । ସିବିଏସଇ ଦଶମରେ ମୋଟ୍ ୨୦ ଲକ୍ଷ ୯୭ ହଜରେ ୧୨୧ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୨୦,୭୬,୯୯୭ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଭୁବନେଶ୍ୱର ରିଜନରେ ପାସ୍ କରିଛନ୍ତି ୯୯.୬୨% ଛାତ୍ରଛାତ୍ରୀ।
ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ପରୀକ୍ଷା ବାତିଲ କରାଯିବା ପରେ ବୋର୍ଡ ଦ୍ୱାରା ଗଠନ କରାଯାଇଥିବା ୧୩ ଜଣିଆ ପ୍ୟାନେଲ ଦ୍ୱାରା ନିର୍ଦ୍ଧାରିତ ମୂଲ୍ୟାଙ୍କନ ପଦ୍ଧତି ଆଧାରରେ ଫଳ ପ୍ରକାଶ ପାଇଛି। କରୋନାର ଦ୍ବିତୀୟ ଲହର ପାଇଁ ମେ’ ୪ରେ ଆରମ୍ଭ ହେବାକୁ ଥିବା ସିବିଏସଇ ଦଶମ ପରୀକ୍ଷା ବାତିଲ କରାଯାଇଥିଲା। ତେବେ ଯେଉଁମାନେ ମୂଲ୍ୟାଙ୍କନ ପଦ୍ଧତିରେ ଖୁସି ନୁହଁନ୍ତି ସେମାନେ ଅଫଲାଇନରେ ପରୀକ୍ଷା ଦେଇପାରିବେ। କରୋନା ସ୍ଥିତି ସୁଧାରିବା ପରେ ଏନେଇ ନିଷ୍ପତ୍ତି ନିଆଯିବ।



