www.samajalive.in
Saturday, December 13, 2025
18.1 C
Bhubaneswar

ରେଳ କର୍ତ୍ତୃପକ୍ଷଙ୍କ ବିରୋଧରେ ଏତଲା : ସିବିଆଇ ତଦନ୍ତ ଆରମ୍ଭ

ବାଲେଶ୍ବର : ବାହାନଗାରେ ମର୍ମନ୍ତୁଦ ରେଳ ଦୁର୍ଘଟଣା ରାଜ୍ୟ ତଥା ଦେଶର ଅନେକ ପରିବାରକୁ ସାରା ଜୀବନ ପାଇଁ ଦୁଃଖ ଦେଇଯାଇଛି। କିଏ ରୋଜଗାରିଆ ପୁଅକୁ ହରାଇଛି ତ, କାହା ମଥାରୁ ସିନ୍ଦୂର ପୋଛିଦେଇଛି। ଏଭଳି ଭୟଙ୍କର ରେଳ ଦୁର୍ଘଟଣା ପାଇଁ ଜିଆରପି ପକ୍ଷରୁ ଦାୟିତ୍ବହୀନତା ପାଇଁ ରେଳ ବିଭାଗକୁ ଦାୟୀକରି ମାମଲା ରୁଜୁ କରାଯାଇଛି। ଜିଆରପି ଉପ ଆରକ୍ଷୀ ନିରୀକ୍ଷକ ପପୁ ନାୟକ ନିଜ ତରଫରୁ ଏତଲା ଦେଇଛନ୍ତି। ୬୪/୩.୬.୨୩ ମୂଳେ ଆଇପିସି ଧାରା ୩୩୭, ୩୩୮, ୩୦୪ (ଏ), ୩୪ ଓ ରେଲୱେ ଆକ୍ଟ ୧୯୮୯ର ୧୫୩, ୧୫୪ ଓ ୧୭୫ ଦଫାରେ ମାମଲା ରୁଜୁ ହୋଇଛି। ଜିଆରପି ଡିଏସପି ରଞ୍ଜିତ ନାୟକ ଏହି ମାମଲାର ତଦନ୍ତ କରିବେ। ଏହି ଦୁର୍ଘଟଣାର ତଦନ୍ତ ପାଇଁ ରେଳ ସୁରକ୍ଷା ପରିଷଦ ଆୟୁକ୍ତ ଶୈଳେଶ ପାଠକ ବାହାନଗାରେ ପହଞ୍ଚି ତଦନ୍ତ ଓ ଯାଞ୍ଚ କରିଛନ୍ତି। ସିବିଆଇ ମଧ୍ୟ ବାହାନଗାରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ବିଭିନ୍ନ ବର୍ଗର ଲୋକଙ୍କ ସହିତ କଥା ହେବା ସହିତ ସିଗନାଲ ରୁମ୍‌, ଟ୍ରାକ୍‌ରେ ଯାଞ୍ଚ କରିଥିଲେ। ଯେ କୌଣସି ଲୋକ ଚାହିଁଲେ ସେମାନଙ୍କର ମତ ଓ ତଥ୍ୟ ରଖିପାରିବେ ବୋଲି କହିଛନ୍ତି। ସିଗ୍‌ନାଲ ଠିକ ରହିଥିଲା, ଟ୍ରାକ୍‌ ବି ଠିକ ରହିଥିଲା, ତଥାପି କାହିଁକି ଦୁର୍ଘଟଣା ହେଲା ଭଳି ଦିଗରେ ସିବିଆଇ ଯାଞ୍ଚ କରିବ ଓ କୌଣସି ଷଡ଼ଯନ୍ତ୍ର କିମ୍ବା ଅର୍ନ୍ତଘାତୀ କାର୍ଯ୍ୟର ଆଶଙ୍କା ଦିଗକୁ ନେଇ ମଧ୍ୟ ଯାଞ୍ଚ କରାଯିବ।
ଅନ୍ୟପକ୍ଷରେ ୫୧ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଡାଉନ୍‌ ଟ୍ରାକ ମରାମତି ଶେଷ ହୋଇ ପ୍ରଥମ ମାଲବାହୀ ଟ୍ରେନ ରବିବାର ରାତିରେ ଚାଲିବା ଆରମ୍ଭ କରିଥିଲା। ସୋମବାର ସକାଳେ ଅପ୍‌ ଟ୍ରାକରେ ମଧ୍ୟ ‘ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌’ ଚାଲିବା ଆରମ୍ଭ କରିଛି। ନୂଆ ଟ୍ରାକ୍‌ ମରାମତି ହୋଇଥିବାରୁ ସତର୍କତାର ସହିତ ଟ୍ରେନ ଚଳାଚଳ କରୁଛି ଓ ରେଳ ବିଭାଗ ଅଧିକାରୀଙ୍କ ସହ ଖୋଦ୍‌ ରେଳମନ୍ତ୍ରୀ ଉପସ୍ଥିତ ରହି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି। ଟ୍ରେନ୍‌ ଚଳାଚଳ ଆରମ୍ଭ ହେବା ପରେ ରେଳମନ୍ତ୍ରୀ ଭାବବିହ୍ବଳ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା। ସେ ଭଗବାନ ଉଦ୍ଦେଶ୍ୟରେ ପ୍ରଣାମ କରିଥିଲେ ଓ କହିଥିଲେ ଯେ କର୍ତ୍ତବ୍ୟ ଶେଷ ହୋଇନାହିଁ। ପାଖାପାଖି ଦୁଇଦିନରୁ ଅଧିକ ଅକ୍ଳାନ୍ତ ପରିଶ୍ରମ କରିଥିବା ଶ୍ରମିକ, କର୍ମଚାରୀ ଓ ଅଧିକାରୀମାନଙ୍କୁ ରେଳମନ୍ତ୍ରୀ କୃତଜ୍ଞତା ଜଣାଇଥିଲେ।
ସେପଟେ ବାହାନଗା ରେଳ ଦୁର୍ଘଟଣା ପରେ ରେଲୱେ ବୋର୍ଡ ତତ୍ପର ହେବା ସହିତ ଦେଶରେ ଥିବା ସମସ୍ତ ୧୯ଟି ଜୋନରେ ସୁରକ୍ଷା ଯାଞ୍ଚ ପାଇଁ ନିର୍ଦେଶ ଦେଇଥିବା ଜଣାଯାଇଛି। ‘ସୁପର ଚେକ୍‌ ଡ୍ରାଇଭ’ ଶୀର୍ଷକ ସିଗନାଲ ସିଷ୍ଟମର ସୁରକ୍ଷା ଯାଞ୍ଚ ପାଇଁ କଡ଼ା ନିର୍ଦେଶ ଦେବା ସହିତ ଜୁନ ୧୪ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ମଧ୍ୟ ନିର୍ଦେଶ ଦେଇଛି। ଦୁର୍ଘଟଣାରେ ଗୁରୁତର ହୋଇଥିବା କରମଣ୍ଡଳର ଦୁଇଜଣ ଡ୍ରାଇଭର ଏବେ ଭୁବନେଶ୍ବର ଏମ୍‌ସରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ବୟାନ ସମ୍ମୁଖକୁ ଆସିଛି। ଦକ୍ଷିଣ ପୂର୍ବ ରେଳପଥର ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ ଆଦିତ୍ୟ ଚୌଧୁରୀ ବୟାନ ନେଇ ସୂଚନା ଦେଇଛନ୍ତି। ଟ୍ରାକ୍‌ ଆଗକୁ ଯିବା ପାଇଁ ଗ୍ରୀନ ସିଗନାଲ ଥିବାରୁ ଦୁଇ ଟ୍ରେନ ଚାଳକଙ୍କ ମନରେ କୌଣସି ଶଙ୍କା ନଥିଲା। ବାହାନଗା ଷ୍ଟେସନରେ ଗାଡ଼ି ରହିବାର ନଥିବାରୁ ଗାଡ଼ିର ସ୍ପିଡ ମଧ୍ୟ କମ୍‌ କରିବାର ନଥିଲା। ଗ୍ରୀନ ସିଗନାଲ ଥିବା ସତ୍ତ୍ବେ ଗାଡ଼ି ଲୁପ୍‌ ଲାଇନକୁ ଚାଲି ଯାଇଥିଲା ଓ କେଇ ମିଟର ଦୂରତାରେ ଥିବା ମାଲଗାଡ଼ି ଉପରେ ଚଢ଼ି ଯାଇଥିଲା। ସେତେବେଳକୁ କିଛି କରିବା ପାଇଁ ଗୋଟିଏ ସେକେଣ୍ଡ ବି ପାଖରେ ନଥିଲା। ଯେଉଁଥି ପାଇଁ ଲୁହାପଥର ବୋଝେଇ ମାଲବାହୀ ଡବା ଉପରେ ଜୋରରେ ପିଟି ହୋଇ ଯାଇଥିଲା। ଦୁଇ ଟ୍ରେନ ଚାଳକ ଏବେ ଚିକିତ୍ସିତ ହେଉଛନ୍ତି। ଜଣକର ଆଜି ଅ​‌େ​‌ସ୍ତ୍ରାପଚାର କରାଯାଇଛି।
ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଏବେ ପ୍ରାୟ ୩୦ରୁ କମ୍‌ ଆହତ ଚିକିତ୍ସିତ ହେଉଛନ୍ତି। ସବୁ ମୃତକଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ଓ ସଂରକ୍ଷିତ କରି ରଖାଯାଇଛି। ସଂରକ୍ଷଣ ପାଇଁ ସ୍ଥାନାଭାବ କାରଣରୁ ପାରାଦୀପରୁ ୫ଟି କଣ୍ଟେନର ଆସୁଥିବା ସୂଚନା ରହିଛି। ଏଥିରେ ଏକମାସ ଯାଏ ମୃତକଙ୍କ ଶରୀର ସୁରକ୍ଷିତ ରହିପାରିବ। ଏହା ସତ୍ତ୍ବେ ଯଦି କୌଣସି ମୃତଦେହର କେହି ଦାବିଦାର ନମିଳନ୍ତି, ତେବେ ଡିଏନଏ ରିପୋର୍ଟ, ଫିଙ୍ଗରପ୍ରିଣ୍ଟ ସହ ଫଟୋ ଗୁଡ଼ିକ ସଂରକ୍ଷିତ କରି ରଖାଯିବ।
ବାଲେଶ୍ବରରେ ପୂର୍ବତନ ସାଂସଦ ଶ୍ରୀକାନ୍ତ ଜେନା ବାହାନଗାରେ ରେଳ ବିଭାଗ ପକ୍ଷରୁ ଟ୍ରମା ସେଣ୍ଟର, ଆମ୍ବୁଲାନ୍ସ ଯୋଗାଇ ଦେବା ପାଇଁ ଦାବି କରିଛନ୍ତି। ସିଏସଆର ଯୋଜନାରେ ଏହା ପ୍ରତିଷ୍ଠା କରାଗଲେ ଏଠାରେ କୌଣସି ଦୁର୍ଘଟଣା ଘଟିଲେ ଆଉ ୨ ଶହ କିଲୋମିଟର ଭୁବନେଶ୍ବର ଉପରେ ନିର୍ଭର କରିବାକୁ ପଡିବନି ବୋଲି ସେ କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories