ବିମୁଦ୍ରାକରଣର ପ୍ରଭାବ: ନଗଦ କାରବାର ୭% ବଢ଼ିଛି
ନୂଆଦିଲ୍ଲୀ: ବିମୁଦ୍ରାକରଣ ପରେ ନଗଦ କାରବାର ୭% ବଢ଼ିଛି। କେନ୍ଦ୍ର ସରକାରଙ୍କ ବିମୁଦ୍ରାକରଣ ଘୋଷଣା ପଛର ଅନ୍ୟ ଏକ ଉଦ୍ଦେଶ୍ୟ ଥିଲା ଲୋକଙ୍କ ମଧ୍ୟରେ ନଗଦ କାରବାର ଅଭ୍ୟାସ କମ୍ କରିବା। ଏଥିପାଇଁ ବିମୁଦ୍ରାକରଣ ଘୋଷଣା ପରେ ଡିଜିଟାଲ୍ ପେମେଣ୍ଟ ବା ଅଣନଗଦ କାରବାରୁ କେନ୍ଦ୍ର ସରକାର ପ୍ରୋତ୍ସାହନ କରିଥିଲେ। କ୍ରମଶଃ ଲୋକମାନେ ଡିଜିଟାଲ୍ ପେମେଣ୍ଟ ପ୍ରତି ଆକୃଷ୍ଟ ହେବେ ବୋଲି କେନ୍ଦ୍ର ସରକାର ଚିନ୍ତା କରିଥିଲେ। କିନ୍ତୁ ଇତିମଧ୍ୟରେ ସରକାରଙ୍କ ଅନୁମାନ ଭୁଲ୍ ସାବ୍ୟସ୍ତ ହୋଇଛି।
ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରଦତ୍ତ ତଥ୍ୟାନୁଯାୟୀ, ୨୦୧୬ ନଭେମ୍ବର ମାସରେ ମୋଟ ମୁଦ୍ରା ଯୋଗାଣ ୧୭ ଟ୍ରିଲିୟନ୍(୧ ଟ୍ରିଲିୟନ = ୧ ଲକ୍ଷ କୋଟି)ଟଙ୍କା ଥିବା ବେଳେ ଗତ ଏପ୍ରିଲ୍ ୩୦ ତାରିଖ ସୁଦ୍ଧା ୧୮.୨୫ ଟ୍ରିଲିୟନ୍ ଟଙ୍କାକୁ ବୃଦ୍ଧି ପାଇଛି। ୨୦୧୪ ପରଠାରୁ ବ୍ୟାଙ୍କ ଆକାଉଣ୍ଟ ସଂଖ୍ୟାରେ ୭୯ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ୩୮ ପ୍ରତିଶତ ବ୍ୟାଙ୍କ ଆକାଉଣ୍ଟରେ କୌଣସି କାରବାର ହେଉ ନଥିବା ଜଣାପଡ଼ିଛି। ଗତ ମେ’ ୯ ତାରିଖ ସୁଦ୍ଧା ୩୧୦ ଲକ୍ଷ ବ୍ୟାଙ୍କ ଆକାଉଣ୍ଟରେ ମୋଟ ୮୧୨ବିଲିୟନ୍(୧ ବିଲିୟନ = ୧୦୦ କୋଟି) ଟଙ୍କା ରହିଛି। ସେହିପରି ମୋଟ ବ୍ୟାଙ୍କ ଜମା ପରିମାଣ ୨୦୧୬ ନଭେମ୍ବରରେ ମୋଟ ୨୧.୮ ଟ୍ରିଲିୟନ ଟଙ୍କା ଥିବା ବେଳେ ୨୦୧୮ ଏପ୍ରିଲ୍ ସୁଦ୍ଧା ସେଥିରେ ୨୪ ପ୍ରତିଶତ ବୃଦ୍ଧି ପାଇ ୨୭.୨ ଟ୍ରିଲିୟନ ଟଙ୍କାରେ ପହଞ୍ଚିଛି। ନଭେମ୍ବର ୨୦୧୬ ସୁଦ୍ଧା ବ୍ୟାଙ୍କମାନେ ସାମଗ୍ରିକ ଭାବେ ୯.୭ ନିୟୁତ କ୍ରେଡିଟ୍ କାର୍ଡ ଓ ୧୩ କୋଟି ଡେବିଟ୍ କାର୍ଡ ଜାରି କରିଥିବା ବେଳେ ୨୦୧୮ ମେ ୯ ତାରିଖ ସୁ୍ଦ୍ଧା ୮୬୧ ନିୟୁତ ଡେବିଟ୍ କାର୍ଡ ଜାରି କରିଥିଲା। ମୋଟ ଜମା ପରିମାଣ ୨୦୧୬ ନଭେମ୍ବର ପୂର୍ବରୁ ୧୨୪ ଟ୍ରିଲିୟନ ତୁନଳାରେ ମେ ୨୦୧୮ ସୁଦ୍ଧା ୧୪୦.୩ ଟ୍ରିଲିୟନକୁ ବୃଦ୍ଧି ପାଇଛି।