www.samajalive.in
Thursday, December 11, 2025
13.1 C
Bhubaneswar

ଆମ ଭିତରେ କିଛି ଅଛି କି…..

ଭୁବନେଶ୍ୱର : ସମ୍‍ଥିଙ୍ଗ ସମ୍‍ଥିଙ୍ଗ, ହାତ ଧରି ଚାଲୁଥା, ଗପ ହେଲେବି ସତ, ସୁନା ଚଢ଼େଇ ମୋ ରୁପା ଚଢ଼େଇ, କେହି ଜଣେ ଭଲ ଲାଗେରେ, ଗୋଟେ ଶୁଆ ଗୋଟେ ଶାରୀ, ଆମ ଭିତରେ କିଛି ଅଛି କି, ବାଳୁଙ୍ଗା ଟୋକା ପରି ଏକାଧିକ ସଫଳ ଚିତ୍ରର ସଫଳ ଯୋଡ଼ି ଅନୁଭବ-ବର୍ଷା ପ୍ରିୟଦର୍ଶିନୀ। ଏହି ଯୋଡ଼ିର ପ୍ରଥମ ଚିତ୍ର ଥିଲା ‘ଥ୍ୟାଙ୍କ ୟୁ ଭଗବାନ।’

ନିର୍ଦେଶକ ସ୍ୱର୍ଗତ ହର ପଟ୍ଟନାୟକଙ୍କ ‘ଏଯୁଗର କୃଷ୍ଣ ସୁଦାମା’ ବର୍ଷାଙ୍କ ପ୍ରଥମ ଚିତ୍ର ଥିବାବେଳେ ଅନୁଭବଙ୍କ ପ୍ରଥମ ଚିତ୍ର ଥିଲା ଏହି ନିର୍ଦେଶକଙ୍କ ‘ଆଇ ଲଭ୍‍ ୟୁ।’ ଦୁଇଟି ଯାକ ଥିଲା ଇଣ୍ଡଷ୍ଟ୍ରୀର ବିଗ୍‍ ପ୍ରଡକ୍ସନ୍‍ ହାଉସ୍‍ ବ୍ରଜରାଜ ମୁଭିଜ୍‍ର। ତା’ ପରଠାରୁ ଗୋଟିଏ ପରେ ଗୋଟିଏ ଚିତ୍ରରେ ଅଭିନୟ କରି ଏହି ଯୋଡ଼ି ବନି ଯାଇଥିଲେ ଦର୍ଶକଙ୍କ ଅତି ଆପଣାର। ୨୦୧୪ରେ ଏହି ଯୋଡ଼ି ବିବାହ ବନ୍ଧନରେ ଆବଦ୍ଧ ହୋଇ ସମସ୍ତ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ। ବିବାହ ପରେ ଏହି ଯୋଡ଼ିଙ୍କୁ ନେଇ ଚର୍ଚ୍ଚା ଥମିନଥିଲା। କେବେ ଏମାନଙ୍କ ଚିତ୍ର ଆସିବ ଦର୍ଶକ ଅପେକ୍ଷା କରି ରହୁଥିଲେ। ଅନୁଭବ ଅଭିନୟ ସହ ସମୟକ୍ରମେ ରାଜନୀତି ପ୍ରତି ଆକର୍ଷିତ ହୋଇଥିବାବେଳେ ବର୍ଷା ସମାଜସେବାରେ ବ୍ରତୀ ରହିଥିଲେ। ଏମିତିକି ଅନୁଭବ ରାଜ୍ୟସଭା ସାଂସଦ ଓ ପରେ ଲୋକସଭା ସାଂସଦ ହେବା ପଛରେ ବର୍ଷାଙ୍କ ପ୍ରେରଣା ଥିଲା ବୋଲି ଚର୍ଚ୍ଚା ହୋଇଥିଲା।

- Advertisement -

ସେପଟେ ଅନୁଭବ ସକ୍ରିୟ ରାଜନୀତିକୁ ନେଇ ବ୍ୟସ୍ତ ରହିବା ପରେ ବର୍ଷାଙ୍କ ସହ ତାଙ୍କୁ ଆଉ କୌଣସି ଚିତ୍ରରେ ଦେଖିବାକୁ ମିଳିନଥିଲା। ବର୍ଷା ନିଜସ୍ୱ ପରିକଳ୍ପନାରେ ‘ନିମ୍‍କି’, ‘କୁଇନ୍‍’ ନାମରେ ୨ଟି ଚିତ୍ର ପ୍ରସ୍ତୁତ କରି ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲେ। ବିବାହର କିଛି ବର୍ଷ ପରେ ଦୁହିଁଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ନ ଥିବା ପ୍ରଥମେ ସାମାଜିକ ଗଣମାଧ୍ୟମ ଜରିଆରେ ହଠାତ ସାମ୍ନାକୁ ଆସିଥିଲା। ସେତେବେଳେ ଉଭୟଙ୍କ ମନ୍ତବ୍ୟ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ସହ ପରବର୍ତ୍ତୀ ସମୟରେ ଥମି ଯାଇଥିଲା। ଉଭୟ ସାକ୍ଷାତ୍‍କାର ପ୍ରସଙ୍ଗରେ ଏହି ଘଟଣାକୁ ଖଣ୍ଡନ କରିବା ସହ ଉଭୟଙ୍କ ଭିତରେ ସେମିତି କିଛି ଦ୍ୱନ୍ଦ୍ୱ ବା କଳହ ଉପୁଜି ନ ଥିବା ସ୍ପଷ୍ଟ କରିଥିଲେ।

ବର୍ତ୍ତମାନ ଉଭୟଙ୍କ ମଧ୍ୟରେ ମନାନ୍ତର ବିସ୍ଫୋରକ ରୂପ ନେବା ସହ କଥା ଯାଇ ଅଦାଲତରେ ପହଞ୍ଚିଛି। ବର୍ଷାଙ୍କ ଅଭିଯୋଗ ଉଭୟଙ୍କ ପ୍ରଶଂସକଙ୍କୁ ମର୍ମାହତ କରିଛି। ବାରମ୍ବାର ବିବାଦରେ ଛନ୍ଦି ହୋଇପଡ଼ିଥିବା ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ପାଇଁ ଏହା ପୁଣି ଏକ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି।

ପାରିବାରିକ କ୍ଷେତ୍ରରେ ସମାଧାନ କରିବା ଉଚିତ୍‍

ବର୍ଷା-ଅନୁଭବ ନୁହଁନ୍ତି ପୂର୍ବରୁ ପାର୍ବତୀ ଘୋଷ ଓ ଗୌର ଘୋଷ, ଶ୍ରୀରାମ ପଣ୍ଡା ଓ ତ୍ରିପୁରା ମିଶ୍ର, ବିଜୟ-ତନ୍ଦ୍ରା, ଉତ୍ତମ-ଅପରାଜିତା ଚଳଚ୍ଚିତ୍ରରେ ଯେଭଳି ସଫଳ ଥିଲେ ଦାମ୍ପତ୍ୟ ଜୀବନରେ ମଧ୍ୟ ସେମିତି ଥିଲେ। ପାରିବାରିକ ବା ସ୍ୱାମୀ-ସ୍ତ୍ରୀଭାବେ ଝଗଡ଼ା ରହିଛି ହେଲେ ସେମାନେ କେବେ ଏମିତି ପଦାକୁ ଆସିନଥିଲେ। ତାଙ୍କ ଭିତରେ ଭାରସାମ୍ୟ ଥିଲା। ଯାହାକୁ ପରବର୍ତ୍ତୀ ପର୍ଯ୍ୟାୟରେ ଦର୍ଶକ ସ୍ୱୀକୃତି ଦେଇଥିଲେ। ହେଲେ ନୂଆ ପିଢ଼ିର ଏହି ଦମ୍ପତିଙ୍କ କ୍ଷେତ୍ରରେ ବ୍ୟତିକ୍ରମ ଦେଖାଦେଇଛି। ହୁଏତ ବୁଝାମଣାରେ କେଉଁଠି ଭୁଲ୍‍ ଥାଇ ପାରେ।
ଦିଲୀପ ହାଲି (ସିନେ ସମୀକ୍ଷକ)

ପ୍ରଭାବିତ ହେବନି ଓଲିଉଡ଼

ଦୁଇ ଜଣଙ୍କ ମଧ୍ୟରେ କ’ଣ ଅସଜଡ଼ା ରହିଛି ସେମାନେ ହିଁ ଜାଣିଛନ୍ତି। ଅବଶ୍ୟ ଚଳଚ୍ଚିତ୍ର ଜଗତରେ ବ୍ୟକ୍ତିଗତ ଭାବେ ଉଭୟ ବର୍ଷା ଏବଂ ଅନୁଭବ ବେଶ୍‍ ପରିଚିତ। କାହିଁକି ଏପରି ହେଲା ତାହା ସେମାନେ ହିଁ ଜାଣିଛନ୍ତି। ଏହି ଘଟଣା ତାଙ୍କର ପାରିବାରିକ। ଯଦି ଅଭିନୟ କ୍ଷେତ୍ରରେ କିଛି ଘଟିଥାନ୍ତା ତେବେ ଆମେ ତର୍ଜମା ଆଡ଼କୁ ଯାଇଥାନ୍ତେ। ଯେହେତୁ ତାଙ୍କ ଦାମ୍ପତ୍ୟ ଜୀବନ ଏଥିରେ ହସ୍ତକ୍ଷେପ କରିବା ଠିକ୍‍ ହେବନି। ତେବେ ଓଲିଉଡରେ ଏହାର କିଛି ପ୍ରଭାବ ପଡ଼ିବ ନାହିଁ।

କୁନା ତ୍ରିପାଠୀ (ଓଏଫ୍‍ଡିସି ଅଧ୍ୟକ୍ଷ)

ଅନ୍ୟମାନେ ଉଦାହରଣ ନ ଦିଅନ୍ତୁ
କେବଳ ରିଲ୍‍ ନୁହେଁ, ରିୟଲ ଲାଇଫରେ ବର୍ଷା-ଅନୁଭବଙ୍କ ଯୋଡ଼ିକୁ ଅନେକ ଉଦାହରଣ ଭାବେ ନିଅନ୍ତି ଆଉ ଏବେ ନେଉଛନ୍ତି ମଧ୍ୟ। ଯେହେତୁ ସେ କେବଳ ଅଭିନେତା ନୁହଁନ୍ତି, ନେତା, ତେଣୁ ତାଙ୍କର ଦାମ୍ପତ୍ୟ ଜୀବନରେ ଆଜି ଯେଉଁ ଝଡ଼ ଉଠିଛି ଏହାକୁ ତାଙ୍କ ପ୍ରଶଂସକ ମାନେ ଉଦାହରଣ ଭାବେ ନ ନିଅନ୍ତୁ। ପରିବାରରେ ଝଗଡ଼ା ରହିଛି, ସ୍ୱାମୀ-ସ୍ତ୍ରୀ ମଧ୍ୟରେ ବି ମନୋମାଳିନ୍ୟ ରହିଛି। ଏହାକୁ ପରିବାର ଭିତରେ ସମାଧାନ କରାଯାଇ ପାରିବ।
ଶ୍ରୀତମ ଦାସ (ସାଧାରଣ ସମ୍ପାଦକ, ଓଡ଼ିଶା ସିନେ କଳାକାର ସଂଘ)

ଉପଯୁକ୍ତ ନ୍ୟାୟ ମିଳୁ
ଅଭିନେତ୍ରୀ ବର୍ଷା ଯେଉଁ ଅଭିଯୋଗ ଆଣିଛନ୍ତି, ତା’ର ବିଚାର ଅଦାଲତ କରିବେ। ତେବେ ସେ ଯେଉଁ ନିର୍ଯାତନାର କଥା ଉଠାଇଛନ୍ତି ତାହା ଅତ୍ୟନ୍ତ ସମ୍ବେଦନଶୀଳ। ତାଙ୍କୁ ଉପଯୁକ୍ତ ନ୍ୟାୟ ମିଳିବା ଦରକାର।
ବିଦୁସ୍ମିତା (ଅଭିନେତ୍ରୀ)

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories