କାର ଧକ୍କାରେ ବୃଦ୍ଧା ମୃତ, ଝିଅ ଗୁରୁତର: କ୍ଷତିପୂରଣ ଦାବିରେ ରାଜପଥ ଅବରୋଧ

ଘଣ୍ଟାପଡ଼ା: କଣ୍ଟାମାଳ ବ୍ଲକ ଘଣ୍ଟାପଡା ଥାନା ଅନ୍ତର୍ଗତ ୪୧ ନମ୍ବର ରାଜ୍ୟ ରାଜପଥର ସିନ୍ଧୁଗୋରା(ଟିକ୍ରାପଡା) ରାସ୍ତାରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ଏହାର ପ୍ରତିବାଦରେ ଅଞ୍ଚଳବାସୀ ମଙ୍ଗଳବାର ଅପରାହ୍ନ ୩ଟାରୁ ରାସ୍ତାରେ ମୃତଦେହ ରଖି ରାଜ୍ୟ ରାଜପଥକୁ ଅବରୋଧ କରି ମୃତକଙ୍କ ପରିବାରବର୍ଗଙ୍କୁ ୨୦ଲକ୍ଷ ଟଙ୍କା କ୍ଷତିପୁରଣ ସହାୟତା ପ୍ରଦାନ  କରିବାକୁ ଦାବି କରିଥିଲେ । ଆନ୍ଦୋଳନସ୍ଥଳରେ କଣ୍ଟାମାଳ ତହସିଲଦାର ଶ୍ବେତପଦ୍ମା ଯୋଶୀ, ଖୁଣ୍ଟିଗୋରା ଆରଆଇ ଭୀଷ୍ମ ନାଗ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ସହ ମୃତକଙ୍କ ପରିବାରବର୍ଗଙ୍କୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଦେବାପରେ ସନ୍ଧ୍ୟା ୬ଟା ୧୦ ମିନିଟରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

ତେବେ ରାସ୍ତା ଅବରୋଧ ଯୋଗୁଁ ଉଭୟ ପାର୍ଶ୍ବରେ ବହୁ ସଂଖ୍ୟାରେ ଗାଡିମଟର ପ୍ରାୟ ୩ ଘଣ୍ଟା ଧରି ଅଟକି ରହିଥିଲା । ଫଳରେ ଲୋକେ ଯାତାୟତରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଘଣ୍ଟାପଡା ଥାନାଧିକାରୀ ବଳଭଦ୍ର ଗଣ୍ଡାଙ୍କ ନେତୃତ୍ୱରେ ଏସଆଇ ବିଶ୍ଵାମିତ୍ର ଲୋଇ, ପୋଲିସ ଦଳ ଏବଂ ସୁରକ୍ଷା ବଳ ଘଟଣାସ୍ଥଳରେ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ କି  ପ୍ରତିମାଳ ଗ୍ରାମର ମୃତକ ସମାରୀ ସାହୁ ତାଙ୍କ ଝିଅ ଘର ସିନ୍ଧୁଗୋରା (ଟିକ୍ରାପଡା) ଗ୍ରାମକୁ ଆସିଥିଲେ । ରାତି ପ୍ରାୟ ଘ.୧୦.୧୫ମି. ସମୟରେ ଏକ ଅଜଣା କାର ତାଙ୍କୁ ଘର ସାମ୍ନାରେ ଧକ୍କା ଦେଇଥିଲା । ମାଙ୍କୁ ସହାୟତା ପାଇଁ ଚେଷ୍ଟା କରିବାରୁ ଝିଅ ଶୈଳଙ୍କୁ ମଧ୍ୟ ଉକ୍ତ କାର ଧକ୍କା ଦେବାରୁ ସେ ଗୁରୁତର ଆହତ ହୋଇଥିଲେ । ଉଭୟ ମା  ଓ ଝିଅଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ କଣ୍ଟାମାଳ ଓ ପରେ ବଲାଙ୍ଗୀର ଡାକ୍ତରଖାନାକୁ ସ୍ଥାନାନ୍ତର  କରିଥିଲେ । ବଲାଙ୍ଗୀର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସମାରୀଙ୍କ ମୃତ୍ୟୁ ହୋଇଥିଲା । ଝିଅ ଶୈଳଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବଲାଙ୍ଗିରରୁ ବୁର୍ଲା ଓ ପରେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । କାର ଡ୍ରାଇଭର ଫେରାର ହୋଇଥିବା ସୂଚନା ମିଳିଛି । ଗାଡିକୁ ଚିହ୍ନଟ କରି ଡ୍ରାଇଭରଙ୍କ ନାମରେ ମାମଲା ରୁଜୁ କରିବାକୁ ଘଣ୍ଟାପଡ଼ା ଥାନାରେ ପୁଅ ଉଛବ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଘଣ୍ଟାପଡ଼ା ଥାନାଧିକାରୀ ଶ୍ରୀ ଗଣ୍ଡା ସୂଚନା ଦେଇଛନ୍ତି ।

Comments are closed.