ଜଳସାଥୀ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ, ଯାତାୟତ ସୁବିଧା ପାଇଁ ଦିଆଯିବ ସାଇକେଲ

ଡେସ୍କ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନସ୍ଥିତ କନ୍‌ଭେନ ସେଣ୍ଟରରେ ଜଳସାଥୀ ମାନଙ୍କ ପାଇଁ ଆୟୋଜିତ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମରେ ଯୋଗଦେଇ ସେମାନଙ୍କ ଯାତାୟତର ସୁବିଧା ପାଇଁ ସାଇକେଲ ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି। ଜଳସାଥୀ ମାନେ ସରକାରଙ୍କ ଜଳଯୋଗାଣ ବିଭାଗ ଓ ଉପଭୋକ୍ତାମାନଙ୍କ ମଧ୍ୟରେ ସେତୁ ସାଜି ଉଭୟଙ୍କ ମଧ୍ୟରେ ବିଶ୍ବାସ ସୃଷ୍ଟି କରିବାରେ ସହାୟକ ହୋଇଛନ୍ତି। ସେମାନଙ୍କ କାର୍ଯ୍ୟ ଦକ୍ଷତା ଦ୍ବାରା ଜଳଯୋଗାଣର ଗୁଣବତ୍ତା ଓ ନିର୍ଭରଶୀଳତା ପ୍ରତିପାଦିତ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ ଯେ ସହରାଞ୍ଚଳ ପାନୀୟ ଜଳ ଯୋଗାଣ ଓ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ କାର୍ଯ୍ୟକ୍ରମରେ ମିଶନ ଶକ୍ତିର ମା ଏବଂ ତୃତୀୟ ଲିଙ୍ଗର ଭଉଣୀ ମାନଙ୍କୁ ଦାୟିତ୍ବ ଦିଆଯାଇଛି। ସେମାନେ ମିଟର ରିଡିଂ, ଜଳର ମାନ ପରୀକ୍ଷା, ନୂତନ ସଂଯୋଗ ଓ ବେନିୟମ ସଂଯୋଗ ଦୂର କରିବା କ୍ଷେତ୍ରରେ କାମ କରୁଛନ୍ତି। ଏଥିପାଇଁ ସେମାନଙ୍କୁ ତାଲିମ ଦିଆଯାଇଛି।

ବିକେନ୍ଦ୍ରୀକରଣ ଓ ଜନ ଭାଗିଦାରୀ ରାଜ୍ୟ ସରକାରଙ୍କ ସହରାଞ୍ଚଳ ପରିଚାଳନା ମଡେଲର ଦୁଇ ଆଖି ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜଳସାଥୀ ମାନେ ଏହି ଉଭୟ ଆଖିକୁ ପ୍ରତିନିଧିତ୍ବ କରୁଛନ୍ତି। ୩ ବର୍ଷ ତଳେ ୫-ଟି ଉପକ୍ରମରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଆଜି ସାରା ଓଡିଶାର ସହରାଞ୍ଚଳରେ ଜଳସାଥୀ ମାନେ ଜଳଯୋଗାଣ କାର୍ଯ୍ୟକ୍ରମକୁ ସଫଳତାର ପରିଚାଳନା କରୁଛନ୍ତି ବୋଲି ସେ କହିଥିଲେ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ୧୧୪ଟି ସହରରୁ ୮୫ଟି ସହରରେ ଶତପ୍ରତିଶତ ପାଇପ ଜଳଯୋଗାଣର ବ୍ୟବସ୍ଥା କରାଯାଇପାରିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୪୦ ଜଣ ଜଳସାଥୀ ୮.୪୦ ଲକ୍ଷ ଉପଭୋକ୍ତାଙ୍କ ଜଳଯୋଗାଣ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ଏବଂ ଏ ବାବଦରେ ୬୭ କୋଟି ଟଙ୍କା ଜଳକର ଆଦାୟ କରିପାରିଛନ୍ତି। ସେମାନଙ୍କ ଦ୍ବାରା ମିଟର ରିଡିଂ, ଜଳକର ଆଦାୟ ଓ ବେନିୟମ ପାଇପ ସଂଯୋଗ ଦୂର କରିବା କାର୍ଯ୍ୟରେ ବହୁତ ଉନ୍ନତି ଆସିଛି ବୋଲି ସେ କହିଛନ୍ତି।

ଜଳସାଥୀ କାର୍ଯ୍ୟକ୍ରମ ସଫଳତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମିଶନ ଶକ୍ତି ଗୋଷ୍ଠୀଙ୍କୁ ସମ୍ପତ୍ତି କର ଆଦାୟ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାଦ୍ବାରା ସହରାଞ୍ଚଳରେ ରାଜସ୍ବ ବୃଦ୍ଧି ହେବା ସହିତ ମିଶନ ଶକ୍ତି ମା ମାନଙ୍କର ଆର୍ଥିକ ଅଭିବୃଦ୍ଧି ସହିତ ସଶକ୍ତିକରଣ ହୋଇପାରିବ ବୋଲି ସେ କହିଛନ୍ତି।

ରାଜ୍ୟ ସରକାରଙ୍କ ଡ୍ରିଙ୍କ ଫ୍ରମ ଟ୍ୟାପ୍‌ କାର୍ଯ୍ୟକ୍ରମରେ ଆନ୍ତର୍ଜାତିକ ମାନର ପାନୀୟ ଜଳ ଦିନରାତି ୨୪ ଘଣ୍ଟା ଯୋଗାଇ ଦିଆଯାଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହି କାର୍ଯ୍ୟକ୍ରମ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ଓ ଅନୁକରଣୀୟ ହୋଇପାରିଛି । ଡ୍ରିଙ୍କ ଫ୍ରମ ଟ୍ୟାପ୍‌ ଓ ଜଳସାଥୀ କାର୍ଯ୍ୟକ୍ରମକୁ ଜାତୀୟ ସ୍ତରରେ ପ୍ରାଥମିକତା ଦିଆଯାଇ ଅମୃତ ୨.୦ କାର୍ଯ୍ୟକ୍ରମରେ ସବୁ ରାଜ୍ୟରେ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଜାଗା ମିଶନ ଓ ଡ୍ରିଙ୍କ ଫ୍ରମ ଟ୍ୟାପ୍‌ ପରି କାର୍ଯ୍ୟକ୍ରମ ଓଡିଶାର ସହରାଞ୍ଚଳ ପାଇଁ ଏକ ସଫଳତାର କାହାଣୀ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜଳସାଥୀ ପରି ଜନଭାଗିଦାରୀ କାର୍ଯ୍ୟକ୍ରମ ବିନା ଏହା ସଫଳ ହୋଇପାରି ନଥାନ୍ତା। ମିଶନ ଶକ୍ତିର ବିଭିନ୍ନ ଗୋଷ୍ଠୀ ଓ ଜଳସାଥୀ ମାନଙ୍କ ସହିତ ଭାଗିଦାରୀ ପାଇଁ ରାଜ୍ୟ ସରକାର ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଜନଭାଗିଦାରୀ କାର୍ଯ୍ୟକ୍ରମ ଦ୍ବାରା ପ୍ରଶାସନିକ ବ୍ୟବସ୍ଥାରେ ନାଗରିକ ମାନେ ଉତ୍କୃଷ୍ଟ ସେବା ପାଇପାରିଥାନ୍ତି ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ଏକ ସଶକ୍ତ ଓଡିଶା ଗଠନ ଦିଗରେ ଆମକୁ ଆଗେଇ ନେବ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି. ମାଥିଭାତନନ କହିଲେ ଯେ ରାଜ୍ୟର ସହରାଞ୍ଚଳର ୯୭ ଭାଗ ଲୋକ ଏବେ ପାଇପ ଜଳ ପାଇପାରୁଛନ୍ତି। ରାଜ୍ୟର ୮୫ଟି ସହରରେ ଶତପ୍ରତିଶତ ପାଇପ ଜଳ ଯୋଗାଣ ହୋଇଥିବା ବେଳେ, ବାକି ୨୦ଟି ସହରରେ ଡିସେମ୍ବର ୨୦୨୩ ସୁଦ୍ଧା ପାଇପ ଜଳର ବ୍ୟବସ୍ଥା ସଂପୂର୍ଣ୍ଣ ହେବ ବୋଲି ସେ କହିଥିଲେ।

Comments are closed.