mission shakti banner

ଭାରତ ସହ କେମ୍ବ୍ରିଜ ଆନାଲିଟିକାର ସମ୍ପର୍କ ନେଇ ଅଧିକ ତଥ୍ୟ ଦେଲେ ଖ୍ରୀଷ୍ଟୋଫର

nua o banner
0

ଲଣ୍ଡନ : କେମ୍ବ୍ରିଜ୍‌ ଆନାଲିଟିକାର କଳା କାରନାମା ଉପରୁ ପରଦା ହଟାଇଥିବା ହୁଇସିଲ୍‌ ବ୍ଲୋୟର (ତଥ୍ୟ ପ୍ରଘଟକାରୀ) ଖ୍ରୀଷ୍ଟୋଫର ୱାଇଲି ଭାରତରେ ନିର୍ବାଚନ ସହ କେମ୍ବ୍ରିଜ୍‌ ଆନାଲିଟିକାର ସମ୍ପର୍କ ନେଇ ବୁଧବାର ଅଧିକ ତଥ୍ୟ ପ୍ରଦାନ କରିଛନ୍ତି । ଗୋଟିଏ ଦିନ ପୂର୍ବରୁ ଭାରତର ପ୍ରମୁଖ ଜାତୀୟ ରାଜନୈତିକ ଦଳ କଂଗ୍ରେସ କେମ୍ବ୍ରିଜ୍‌ ଆନାଲିଟିକାର ଗ୍ରାହକ ଥିଲା ବୋଲି ସେ ପ୍ରକାଶ କରିଥିଲେ । ନୂତନ ତଥ୍ୟ ପ୍ରଦାନ ପୂର୍ବକ ଖ୍ରୀଷ୍ଟୋଫର ୱାଇଲି କହିଛନ୍ତି ଯେ କେମ୍ବ୍ରିଜ୍‌ ଆନାଲିଟିକାର ମୂଳ କମ୍ପାନୀ ଷ୍ଟ୍ରାଟେଜିକ କମ୍ୟୁନିକେସନ ଲାବୋରୋଟାରିଜ୍‌ (ଏସ୍‌ସିଏଲ)ର ଭାରତର ବିଭିନ୍ନ ସ୍ଥାନରେ କାର୍ଯ୍ୟାଳୟ ରହିଛି। ଭାରତର ଇନ୍ଦ୍ରପୁରମ, ଗାଜିଆବାଦରେ ଏସ୍‌ସିଏଲର ମୁଖ୍ୟ କାର୍ଯ୍ୟାଳୟ ଥିବାବେଳେ ଅହମଦାବାଦ, ବେଙ୍ଗାଲୁରୁ, କଟକ, ଗୁଆହାଟି, ହାଇଦରାବାଦ, ଇନ୍ଦୋର, କଲକାତା, ପାଟନା ଏବଂ ପୁଣେରେ ଏସ୍‌ସିଏଲର ଆଞ୍ଚଳିକ କାର୍ଯ୍ୟାଳୟ ରହିଛି । ଏସ୍‌ସିଏଲ ଗ୍ରୁପ୍‌ ନିକଟରେ ଭାରତର ୬୦୦ ଜିଲା ଓ ୭ ଲକ୍ଷରୁ ଊର୍ଦ୍ଧ୍ବ ଗ୍ରାମର ତଥ୍ୟ ରହିଛି । ତଥ୍ୟ ମଧ୍ୟରେ ଲୋକଙ୍କ ଜାତି, ବୟସ, ଲିଙ୍ଗ, ଭୌଗଳିକ ସ୍ଥାନ, ପେଶା ଆଦି ରହିଛି । ଏହି ତଥ୍ୟ ଯୋଗେ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀକୁ ଲକ୍ଷ୍ୟ କରି ନିର୍ବାଚନ ପ୍ରଚାର କରାଯାଇଥାଏ । ତଥ୍ୟକୁ ଅନୁଧ୍ୟାନ କରି ରାଜନୈତିକ ପ୍ରଚାର ବେଳର ବାର୍ତ୍ତା, ବାର୍ତ୍ତାର ମାଧ୍ୟମ କଣ ହେବ ତାହା କୁହାଯାଇଥାଏ । ୨୦୧୨ରେ ଉତ୍ତରପ୍ରଦେଶର ସାଧାରଣ ନିର୍ବାଚନ ବେଳେ ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ପାଇଁ ଏସ୍‌ସିଏଲ ଜାତି ଭିତ୍ତିକ ତଥ୍ୟ ସଂଗ୍ରହ କରିଥିଲା । ୨୦୧୧ରେ ଏସସିଏଲ ଉତ୍ତରପ୍ରଦେଶ ରାଜ୍ୟରେ ଏକ ସର୍ବେକ୍ଷଣ ଓ ଗବେଷଣା କରିଥିଲା । ଏହି କ୍ରମରେ ଲୋକଙ୍କ ଘରକୁ ଘର ଯାଇ ଜାତି, ଧର୍ମଗତ ତଥ୍ୟ ହାସଲ କରାଯାଇଥିଲା ।  ୨୦୧୦ ବିହାର ନିର୍ବାଚନ ବେଳେ ଏସ୍‌ସିଏଲ ସଂଯୁକ୍ତ ଜନତା ଦଳ (ଜେଡିୟୁ) ପାଇଁ ରାଜନୈତିକ ଋଣନୀତି ପ୍ରସ୍ତୁତ କରିଥିଲା । ୨୦୦୯ ସାଧାରଣ ନିର୍ବାଚନ ବେଳେ ଏସ୍‌ସିଏଲ କେତେକ ଲୋକସଭା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କାର୍ଯ୍ୟ ତୁଲାଇଥିଲା । ୨୦୦୭ରେ ବି ଏସ୍‌ସିଏଲ ଉତ୍ତର ପ୍ରଦେଶ ନିର୍ବାଚନରେ ଏକ ପ୍ରମୁଖ ରାଜନୈତିକ ଦଳ ପାଇଁ କାର୍ଯ୍ୟ କରିଥିଲା । ସେହିପରି ୨୦୦୩ ସାଧାରଣ ନିର୍ବାଚନ ସମୟରେ ଏସସିଏଲ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଦୁଇଟି ରାଜନୈତିକ ଦଳ ପାଇଁ କାର୍ଯ୍ୟ କରିଥିଲା ।  ବ୍ରିଟିଶ ପାର୍ଲାମେଣ୍ଟର କମିଟି ନିକଟରେ ମଙ୍ଗଳବାର ଖ୍ରୀଷ୍ଟୋଫର ନିଜର ମତ ରଖି କଂଗ୍ରେସ କେମ୍ବ୍ରିଜ୍‌ ଆନାଲିଟିକାର ଗ୍ରାହକ ଥିବା କହିଥିଲେ । ରାଜନୈତିକ ଦଳକୁ ଛାଡି ଏସିଏଲ କେରଳରେ ଜିହାଦ ବିରୋଧରେ ଅଭିଯାନ ଆରମ୍ଭ କରିଥିଲା ବୋଲି ସେ ସୂଚନା ଦେଇଛନ୍ତି।
ଖ୍ରୀଷ୍ଟୋଫର ସିଏର ମୂଳ କମ୍ପାନୀ ଷ୍ଟ୍ରାଟେଜିକ କମ୍ୟୁନିକେସନ ଲିମିଟେଡ (ଏସସିଏଲ)ରେ କାମ କରୁଥିଲେ। ବ୍ରେକଜିଟ୍‌ ଜନମତ ଓ ଅନ୍ୟାନ୍ୟ ଦେଶର ନିର୍ବାଚନକୁ ପ୍ରଭାବିତ କରିବା ଭଳି କାମରେ ସିଏ ସମ୍ପୃକ୍ତ ରହିଥିଲା।

Leave A Reply