୧୦ ରାଜ୍ୟରେ ଉପନିର୍ବାଚନ ଶେଷ ; ଗୁରୁବାର ଫଳାଫଳ

0

ନୂଆଦିଲ୍ଲୀ : ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଉତ୍ତରପ୍ରଦେଶର କୈରାନା ଏବଂ ମହାରାଷ୍ଟ୍ରର ପାଲଗଡ଼ ଓ ଭଣ୍ଡାରା-ଗଣ୍ଡିଆ ଲୋକସଭା ଆସନ ସମେତ ୧୦ରାଜ୍ୟର ୪ଟି ଲୋକସଭା ଏବଂ ୧୦ଟି ବିଧାନସଭା ଆସନରେ ଉପନିର୍ବାନ ପାଇଁ ସୋମବାର ମତଦାନ ସାବ୍ୟସ୍ତ ହୋଇଛି। ମହାରାଷ୍ଟ୍ରରେ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଓ କୈରାନାରେ ଭୋଟିଂ ମେସିନ୍‍ ଅଚଳ ହୋଇଯିବାରୁ ମତଦାନରେ ବିଭ୍ରାଟ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଗ୍ରୀଷ୍ମପ୍ରବାହ ଯୋଗୁଁ ମତଦାନ ପ୍ରଭାବିତ ହୋଇଥିବା ନିର୍ବାଚନ ଆୟୋଗ ସ୍ୱୀକାର କରିଛନ୍ତି। କୈରାନା ଆସନର ଏକାଧିକ ମତଦାନ କେନ୍ଦ୍ରରେ ୧୫୦ଟି ଭୋଟିଂ ମେସିନ୍‍ ଅଚଳ ହୋଇଯିବା ନେଇ ଅଜିତ ସିଂହଙ୍କ ରାଷ୍ଟ୍ରୀୟ ଲୋକଦଳ ପ୍ରାର୍ଥୀ ତବାସୁମ୍‍ ହାସାନ୍‍ ଅଭିଯୋଗ କରିବା ପରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଏଭଳି ହୋଇଥିବା ଏବଂ ଏହା ପଛରେ କୌଣସି ଅଭିସନ୍ଧି ନଥିବାବେଳେ ଅଧିକ ପ୍ରଚାର କରାଯାଉଥିବା କୁହାଯାଇଛି। ଏହାଛଡ଼ା ଭୋଟିଂ ମେସିନ୍‍ଗୁଡ଼ିକ ମରାମତି ପରେ କାର୍ଯ୍ୟକ୍ଷମ ହୋଇଥିବାରୁ ଭଣ୍ଡାରା-ଗଣ୍ଡିଆ ଆସନ ଅନ୍ତର୍ଗତ ୩୫ଟି ମତଦାନ କେନ୍ଦ୍ରରେ ଭୋଟିଂ ବାତିଲ ହେବାର ପ୍ରଶ୍ନ ଉଠୁ ନାହିଁ ବୋଲି ସ୍ପଷ୍ଟ କରିଦିଆଯାଇଛି। ଏଠାରେ ଏହି କାରଣରୁ କିଛି ସମୟ ପାଇଁ ମତଦାନ ବନ୍ଦ ରହିଥିଲା। ସମସ୍ତ ନିର୍ବାଚନ କ୍ଷେତ୍ରରେ ମତଦାନ ହାର ୫୭ ରୁ ୭୦ପ୍ରତିଶତ ମଧ୍ୟରେ ରହିଥିବା ପ୍ରକାଶ । ଏହି ଉପନିର୍ବାଚନର ଫଳାଫଳ ଗୁରୁବାର ପ୍ରକାଶ ପାଇବ।

prayash

କୈରାନା ଆସନରେ ମିଳିତ ବିରୋଧୀ ଦଳ ପ୍ରାର୍ଥୀ ତାବାସୁମ୍‍ଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ବିଜେପି ପ୍ରାର୍ଥୀ ମୃଗାଙ୍କା ସିଂହ। ଗୋରଖପୁର ଓ ଫୁଲପୁର ଆସନରେ ବିଜେପିର ପରାଜୟ ପରେ କୈରାନା ବିଜୟ ବିଜେପି ପାଇଁ ମହତ୍ତ୍ୱପୂର୍ଣ୍ଣ ହୋଇଛି। ସେହିପରି ମେଣ୍ଟ ଭାଙ୍ଗିବା ପରେ ମହାରାଷ୍ଟ୍ରର ପାଲଗଡ଼ ଆସନରେ ଶିବସେନା ଓ ବିଜେପି ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଅପରପକ୍ଷରେ ନେଇଫିଉ ରିଓ ସାଂସଦ ପଦରୁ ଇସ୍ତଫା ଦେଇ ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ହେବା ପରେ ରାଜ୍ୟର ଏକମାତ୍ର ଲୋକସଭା ଆସନରେ ଉପନିର୍ବାଚନ ହେଉଛି। ଏହାଛଡ଼ା କେରଳର ଚେନଗାନୁର, ବିହାରର ଜୋକିହାଟ, ମେଘାଳୟର ଆମ୍ପାତି, କର୍ଣ୍ଣାଟକର ଆରଆର ନଗର, ଝାଡ଼ଖଣ୍ଡର ଗୋମିଆ ଓ ସିଲ୍ଲି, ଉତ୍ତରପ୍ରଦେଶର ନୁରପୁର, ପଞ୍ଜାବର ଶାହାକୋଟ, ମହାରାଷ୍ଟ୍ରର ପାଲୁସ କାଡେଗାଓଁ, ଉତ୍ତରାଖଣ୍ଡର ଥାରାଲି ଓ ପଶ୍ଚିମବଙ୍ଗର ମହେସ୍ଥାଲା ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଛି। ନୀତୀଶ କୁମାର ବିଜେପିକୁ ସମର୍ଥନ କରିବା ପ୍ରତବାଦରେ ସର୍ଫରାଜ ଆଲାମ ନିଜ ଆସନରୁ ଇସ୍ତଫା ଦେଇଥିଲେ। ପରେ ସେ ଆରାରିଆ ଲୋକସଭା ଆସନରୁ ଆରଜେଡି ଟିକଟରେ ବିଜୟ ଲାଭ କରିଥିଲେ। ଏବେ ତାଙ୍କ ସାନ ଭାଇ ଆରଜେଡି ଟିକଟରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏହା ନୀତୀଶଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି।

Leave A Reply