ନିଖୋଜ ମତ୍ସ୍ୟଜିବୀଙ୍କ ମୃତଦେହ ଉଦ୍ଧାର

ବୁର୍ଲା: ବୁର୍ଲା ଏମସିଏଲ ନିକଟ ଘାଟ ପାୱାର ଚ୍ୟାନେଲକୁ ମାଛ ମାରିବାକୁ ଯାଇ ନିଖୋଜ ହୋଇ ଯାଇଥିବା ମତ୍ସ୍ୟଜୀବୀ ବୁର୍ଲା ଗୋଲଗୁଣ୍ଡା ଗ୍ରାମର ସୁରଥ ସେଠ୍‍(୪୬)ଙ୍କ ମୃତ ଦେହ ଉଦ୍ଧାର ହୋଇଛି। ପାୱାର ଚ୍ୟାନେଲର ଅଠର ହଜାର ନିକଟରେ ସଂନ୍ଧ୍ୟାରେ ସୁରଥଙ୍କ ଶବ ଭସମାନ ଅବସ୍ଥାରେ ରହିଥିବା କିଛି ଲୋକ ଦେଖିବାକୁ ପାଇବା ପରେ ତୁରନ୍ତ ବୁର୍ଲା ଅଗ୍ନିଶମ ବିଭାଗକୁ ସୂଚିତ କରିଥିଲେ। ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ପାୱାର ବୋଟ ସହାୟତାରେ ପାଣିକୁ ଯାଇ ସୁରଥଙ୍କ ଶବ ଉଦ୍ଧାର କରିଥିବା ସୁଚନା ହସ୍ତଗତ ହୋଇଛି। ବୁର୍ଲା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ଶବଗୃହ ଫ୍ରିଜରରେ ରଖିଛି। ଆଜି ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।

ସୁରଥ ଗତ ୧୫ ତାରିଖ ଦିନ ମଧ୍ୟାହ୍ନ ସମୟରେ ପାୱାର ଚୋନାଲକୁ ଡଙ୍ଗାରେ ମାଛ ମରିବାକୁ ଯାଇଥିଲେ। ମାତ୍ର ସେ ଆଉ ଘରକୁ ଫେରି ନ ଥିଲେ। ପରିବାର ଲୋକେ ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ପତ୍ତା ନ ମିଳିବାରୁ ଶେଷରେ ମାଛ ମାରିବାକୁ ଯାଇଥିବା ଘାଟକୁ ଯାଇଥିଲେ। ସେଠାରେ ତାଙ୍କର ହଳେ ଚପଲ ଏବଂ ଏକ ପ୍ଲାଷ୍ଟକ ବେଗ ପଡ଼ିରହିଥିବା ଦେଖିବାକୁ ମିଳିଥିଲା। ଏହା ସହିତ ସେ ଯାଇଥିବା ଡ଼ଙ୍ଗାଟି ପିସିବ୍ରୀଜ ତଳକୁ ବହି ବହି ଯାଉଥିବା ସମୟରେ ଅନ୍ୟ ମତ୍ସ୍ୟଜିବୀ ମାନେ ଦେଖିପାରି ଡ଼ଙ୍ଗାକୁ କୁଳକୁ ଆଣିଥିବା ବେଳେ ସୁରଥ ନିଖୋଜ ରହିଥିଲେ। ଏହାପରେ ତାଙ୍କ ପରିବାର ବର୍ଗ ତୁରନ୍ତ ବୁର୍ଲା ଥାନାରେ ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ।

Comments are closed.