ହୀରାକୁଦରେ ବହୁ ପ୍ରତୀକ୍ଷିତ ସ୍ପିଲ ୱେ ନିର୍ମାଣ ଆଶା ଉଜ୍ଜ୍ୱଳ

୯ ଜଣିଆ ବିଶ୍ୱବ୍ୟାଙ୍କ ଏବଂ କେନ୍ଦ୍ରୀୟ ଜଳ ଆୟୋଗ ବିଶେଷଜ୍ଞଙ୍କ ସରଜମିନ ସର୍ଭେ

ବୁର୍ଲା: ହୀରାକୁଦ ନଦୀବନ୍ଧରେ ଅତିରିକ୍ତ ବନ୍ୟାଜଳ ନିଷ୍କାସନ ପାଇଁ ପ୍ରସ୍ତାବିତ ସ୍ପିଲ ୱେ ନିର୍ମାଣ ସମ୍ପର୍କରେ ବିଶ୍ୱବ୍ୟାଙ୍କ ଏବଂ କେନ୍ଦ୍ରୀୟ ଜଳ ଆୟୋଗର ୯ ଜଣିଆ ବିଶେଷଜ୍ଞ ଟିମ୍ ସରଜମିନ ଅନୁଧ୍ୟାନ କରିଛନ୍ତି। ଏଥିରେ ବିଶ୍ୱବ୍ୟାଙ୍କର ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ଜଳସମ୍ପଦ ବିଶେଷଜ୍ଞ ଓ କେନ୍ଦ୍ରୀୟ ଜଳ ଆୟୋଗର ନିର୍ଦ୍ଦେଶକ ଶିବକୁମାର ଶର୍ମା, ମୁଖ୍ୟଯନ୍ତ୍ରୀ ଡିଜାଇନ ଏସ ଡି ଶର୍ମା, ଉପନିର୍ଦ୍ଦେଶକମାନେ ଅଂଶଗ୍ରହଣ କରିଥିଲେ। ଏହି ୯ ଜଣିଆ ଦଳରେ କେନ୍ଦ୍ରୀୟ ଜଳ ଆୟୋଗର ୫ ଜଣ, ବିଶ୍ୱବ୍ୟାଙ୍କର ୪ ଜଣ ଅଧିକାରୀ ସାମିଲ ରହିଥିଲେ। ବୁର୍ଲା ଅଶୋକ ନିବାସ ପ୍ରେକ୍ଷାଳୟରେ ଏହି ବହୁ ପ୍ରତୀକ୍ଷିତ ସ୍ପିଲ ୱେ ନିର୍ମାଣ ସଂକ୍ରାନ୍ତୀୟ ଯୋଜନା ଏବଂ ବିଭିନ୍ନ ଦିଗ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ଏହି ବିଶେଷଜ୍ଞ ଦଳ ନଦୀବନ୍ଧର ଅଧିକାରୀମାନଙ୍କ ସହିତ ଅତିରିକ୍ତ ସ୍ପିଲ ୱେ ପାଇଁ ନଦୀବନ୍ଧର ବାମପାର୍ଶ୍ବ ଡାଇକ ପରିଦର୍ଶନ କରିଥିଲେ। ଏଥିସହିତ ହୀରାକୁଦ ନଦୀବନ୍ଧର ବଳକା ଜଳ ନିଷ୍କାସନ ପାଇଁ ଡାହାଣ ପାର୍ଶ୍ବ ଡାଇକ ତଥା ସ୍ଲୁଇସ ଫାଟକ ପରିଚାଳନା ବ୍ୟବସ୍ଥାକୁ ମଧ୍ୟ ତଦାରଖ କରିଥିଲେ। ଏପରିକି ଏହି ଅତିରିକ୍ତ ସ୍ପିଲ ୱେ ପ୍ରଥମେ ବାମପାଖ ପରେ ଅନ୍ୟାନ୍ୟ କେତେକ ସ୍ଥାନରେ ଏହା ନିର୍ମାଣ ପାଇଁ ପ୍ରଥମେ ଟେଣ୍ଡର ବ୍ୟବସ୍ଥା ପରେ ପ୍ରାୟ ୩ ବର୍ଷ ମଧ୍ୟରେ ଆଖିଦୃଶିଆ ଅଗ୍ରଗତି ସମ୍ଭବପର ହୋଇପାରିବ ବୋଲି ମୁଖ୍ୟଯନ୍ତ୍ରୀ ଡିଜାଇନ ଏସ ଡି ଶର୍ମା କହିଥିଲେ। ଏହି ଅତିରିକ୍ତ ସ୍ପିଲ ୱେ ବୁର୍ଲାର ପାୱାର ଚେନାଲ ସାଇଫୋନ ମଧ୍ୟ ପରିଦର୍ଶନ କରିଥିଲେ ଏବଂ ଏପରିକି ଏହି ସାଇଫୋନରେ ରହିଥିବା ଫାଟକ ଏବଂ ସ୍ୱୟଂଚାଳିତ ଫାଟକ ତଥା ଏହାର ଆନୁସଙ୍ଗିକ ସ୍ଥିତି ଉପରେ ମଧ୍ୟ ଆଲୋଚନା କରିଥିଲେ। କାରଣ ବର୍ଷାଋତୁରେ ଏହି ସାଇଫୋନର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ମଧ୍ୟ ଆଲୋଚନା କରିଥିଲେ।

ଏହି ବିଶେଷଜ୍ଞ ଦଳ ପ୍ରସ୍ତାବିତ ଅତିରିକ୍ତ ସ୍ପିଲ ୱେର ନଥିପତ୍ର ଓ ଏହା ସମ୍ପର୍କିତ ଅନ୍ୟାନ୍ୟ ପୁରାତନ ଫାଇଲ ମଧ୍ୟ ସମୀକ୍ଷା କରିଥିଲେ ବୋଲି ନଦୀବନ୍ଧର ମୁଖ୍ୟଯନ୍ତ୍ରୀ ତଥା ଉପର ମହାନଦୀ ବେସିନ ମେନେଜର ଇଂ ସୁଶୀଲ କୁମାର ବେହେରା ସୂଚନା ଦେଇଛନ୍ତି। ଏହି ବିଶେଷଜ୍ଞ ଦଳ ଅତିରିକ୍ତ ସ୍ପିଲ ୱେ ଯୋଜନା ନେଇ ସନ୍ତୋଷ ପ୍ରକାଶ କରିଥିଲେ। ସ୍ପିଲ ୱେ ପ୍ରକଳ୍ପ ପାଇଁ କେବିନେଟ ଦ୍ୱାରା ୮୮୪ କୋଟି ଟଙ୍କା ମଞ୍ଜୁର କରାଯାଇଛି ଏହାକୁ ପ୍ରଶାସନିକ ଅନୁମୋଦନ ପରେ ଟେଣ୍ଡର ଓ ଅନ୍ୟାନ୍ୟ ଆନୁଷାଙ୍ଗିକ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଇଂ ବେହେରା କହିଛନ୍ତି। ଜଳବାୟୁ ପରିବର୍ତ୍ତନ ଦୃଷ୍ଟିରୁ ଆକସ୍ମିକ ମାତ୍ରାଧିକ ବର୍ଷା ଓ ତତଜନିତ ବନ୍ୟାଜଳ ପରିଚାଳନା ପାଇଁ ଅତିରିକ୍ତ ସ୍ପିଲ ଓ୍ବେ ସହାୟକ ହେବ। ୨୫ ଲକ୍ଷ କ୍ୟୁସେକ ଜଳ ନଦୀବନ୍ଧକୁ ପ୍ରବେଶ ଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ସ୍ପିଲ ୱେର ପରିକଳ୍ପନା କରାଯାଇଛି। ଏହି ବିଶ୍ୱବ୍ୟାଙ୍କ ଏବଂ କେନ୍ଦ୍ରୀୟ ଜଳ ଆୟୋଗର ଏହି ବିଶେଷଜ୍ଞ ଦଳ ନଦୀବନ୍ଧର ବାମପାର୍ଶ୍ବ ଡାଇକରେ ପ୍ରସ୍ତାବିତ ସ୍ପିଲ ଓ୍ବେର ପୁନର୍ବାସ ଓ ଥଇଥାନ କଲୋନୀ ମଧ୍ୟ ବୁଲି ଦେଖିଥିଲେ।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରେ ଜଖ ନିଷ୍କାସନ ପାଇଁ ୯୮ଟି ଫାଟକ ରହିଛି। ତନ୍ମମଧ୍ୟରୁ ୬୪ ଟି ସ୍ଲୁଇସ ଏବଂ ୨୪ ଟି କ୍ରେଷ୍ଟ ଫାଟକ ରହିଛି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରେ ୧୫ ଲକ୍ଷ କ୍ୟୁସେକ ଜଳ ନିଷ୍କାସନ ବ୍ୟବସ୍ଥା ରହିଛି ତେବେ ଏହାକୁ ବୃଦ୍ଧି କରାଯାଇ ୨୫ ଲକ୍ଷ କ୍ୟୁସେକ ଜଳ ନିଷ୍କାସନ କ୍ଷମତା କରାଯିବା ବ୍ୟବସ୍ଥା ରହିଛି। ପ୍ରତି ଫାଟକ ଦେଇ ୧୬ ହଜାର କ୍ୟୁସେକ ବନ୍ୟାଜଳ ନିଷ୍କାସନର ବ୍ୟବସ୍ଥା ରହିଛି। ସୂଚନା ଥାଉକି, ଗତ୨୦୧୬ ମସିହାରେ ଏହି ଅତିରିକ୍ତ ସ୍ପିଲ ୱେ ନିର୍ମାଣ ପାଇଁ ପ୍ରକ୍ରିୟା ଚାଲିଥିବାବେଳେ ସେହି ଟାଟା ପ୍ରୋଜେକ୍ଟ କମ୍ପାନୀ ଗତ ୨୦୧୯ ମସିହାରେ ଟେଣ୍ଡର ହାସଲ କରିଥିଲା ସେ ସମୟରେ ଏହି ଅତିରିକ୍ତ ସ୍ପିଲ ୱେ ନିର୍ମାଣ ପ୍ରକଳ୍ପ ପାଇଁ ୩୬୯ କୋଟି ୫୩ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ଧାର୍ଯ୍ୟ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ କୌଣସି କାରଣରୁ ଟାଟା ପ୍ରୋଜେକ୍ଟ କମ୍ପାନୀ ବିଭିନ୍ନ ଆଭ୍ୟନ୍ତରୀଣ କାରଣ ଯୋଗୁଁଁ ଏହି ପ୍ରକଳ୍ପରୁ ଓହରି ଯାଇଥିଲା। ପ୍ରାସ୍ତାବିତ ସ୍ପିଲ ୱେରେ ଚାରୋଟି ସ୍ଲୁଇସ ଫାଟକ ନିର୍ମାଣ କରାଯିବା ବ୍ୟବସ୍ଥା ରହିବ। ଆବଶ୍ୟକ ସ୍ଥଳେ ଏହି ସ୍ପିଲ ୱେ ଦେଇ ସ୍ୱତନ୍ତ୍ର କେନାଲ ଯୋଗେ ମହାନଦୀକୁ ଜଳ ନିଷ୍କାସନର ପ୍ରସ୍ତାବ ରହିଛି।

Comments are closed.