ଭୁବନେଶ୍ବର :ବିଧାନସଭାର ବଜେଟ ଅଧିବେଶନ ଗୁରୁବାରଠାରୁ ଆରମ୍ଭ ହୋଇଛି। ଆସନ୍ତା ୧୭ରେ ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ଗୃହରେ ବଜେଟ ଉପସ୍ଥାପନ କରିବେ। ଆସନ୍ତା ଆର୍ଥିକ ବର୍ଷ ପାଇଁ ବଜେଟ ଆକାର ୩ଲକ୍ଷ କୋଟି ଟଙ୍କା ଛୁଇଁବ ବୋଲି ଆଶା କରାଯାଉଛି। ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ ୨.୬୫ଲକ୍ଷ କୋଟି ଟଙ୍କା ଛୁଇଁଥିବାବେଳେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ୩ଲକ୍ଷ କୋଟି ଟଙ୍କା ହେବ ବୋଲି ଅର୍ଥନୈତିକ ବିଶେଷଜ୍ଞ ମତ ଦେଇଛନ୍ତି। ନୂଆ ସରକାର ନିଯୁକ୍ତି ସୁଯୋଗ ସୃଷ୍ଟି ସହିତ ଉନ୍ନୟନ କାର୍ଯ୍ୟ ଓ ନିବେଶ ଉପରେ ବିଶେଷ ଗୁରୁତ୍ବ ଦେଉଥିବାରୁ ବଜେଟର ଆକାର ପୂର୍ବ ଅପେକ୍ଷା ଅଧିକ ହୋଇପାରେ। ଲୋକଙ୍କ ସରକାର ବଜେଟକୁ ଲୋକାଭିମୁଖୀ କରିବାକୁ ନିଶ୍ଚିତ ଚେଷ୍ଟା କରିବେ। ଲୋକମତ, ଅର୍ଥନୀତି ବିଶେଷଜ୍ଞ, ପୂର୍ବତନ ଅର୍ଥମନ୍ତ୍ରୀ ଓ ଅର୍ଥ ସଚିବଙ୍କ ପରାମର୍ଶରେ ବଜେଟ ପ୍ରସ୍ତୁତ ହୋଇଛି। ରାଜସ୍ୱ ବୃଦ୍ଧି କରିବା ଉପରେ ସରକାର ଗୁରୁତ୍ୱ ଦେଇ ବଜେଟରେ ବ୍ୟବସ୍ଥା କରୁଛନ୍ତି । ନିର୍ବାଚନ ସଂକଳ୍ପ ପତ୍ରରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ଗୁରୁତ୍ୱ ଦେଇ ବଜେଟରେ ଅର୍ଥ ବ୍ୟୟ ବରାଦ ହେବାର ଆଶା କରାଯାଉଛି । ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରକୁ ଗୁରୁତ୍ୱ ଦିଆଯିବା ଆଶା ବଢ଼ିଛି। ଆଇଟି, ଇସ୍ପାତ, ଅକ୍ଷୟ ଶକ୍ତି, ଏଗ୍ରୋ ଇଣ୍ଡଷ୍ଟ୍ରିଜ, ପେଟ୍ରୋକେମିକାଲ ଓ ଟେକ୍ସଟାଇଲ ଶିଳ୍ପ ସହିତ କୃଷକଙ୍କ ଆୟ ବୃଦ୍ଧି ଉପରେ ବି ସରକାର ବଜେଟରେ ଗୁରୁତ୍ବ ଦେବେ। କେନ୍ଦ୍ରରୁ ବିଭିନ୍ନ କ୍ଷେତ୍ରରୁ ଓଡିଶା ୨୦୨୪-୨୫ରେ ୫୫ ହଜାର କୋଟି ଅର୍ଥ ପାଇଥିଲା। ଏଥର ଆଉ ୧୦ହଜାର କୋଟି ଅଧିକ ଅର୍ଥ ପାଇବ । ମହିଳାଙ୍କ ଉପରେ ଫୋକସ୍ କରି ରାଜ୍ୟ ସରକାର ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିବାର ସମ୍ଭାବନାକୁ ଏଡାଇ ଦେଇହେବନି। ୨୦୩୬ସୁଦ୍ଧା ବିକଶିତ ଓଡ଼ିଶା ଗଠନ ନେଇ ସଙ୍କଳ୍ପବଦ୍ଧ ଥିବା ସରକାର ଚଳିତ ବଜେଟରେ ଶିଳ୍ପ, ସ୍ୱାସ୍ଥ୍ୟ, ଶିକ୍ଷା ଭିତ୍ତିିଭୂମି ଦୃଢ଼ ଉପରେ ଗୁରୁତ୍ୱ ଦେବା ଆଶା କରାଯାଉଛି। ପୂର୍ବତନ ଅର୍ଥ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ‘ଅର୍ଥନୈତିକ ଦୃଷ୍ଟିରୁ ରାଜ୍ୟ ସରକାର ଭାଗ୍ୟବାନ ଅଟନ୍ତି। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପରିଚାଳିତ ପୂର୍ବ ସରକାର ରାଜ୍ୟର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିଥିଲେ। ନବୀନ ପଟ୍ଟନାୟକ ରାଜ୍ୟରେ ନେତୃତ୍ୱ ନେବା ସମୟରେ କର୍ମଚାରୀଙ୍କୁ ଦରମା ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଓଭର ଡ୍ରାଫ୍ଟ ନିୟମିତ କରିବାକୁ ପଡୁଥିଲା । ନବୀନ ସରକାରର ଅର୍ଥନୈତିକ ଶୃଙ୍ଖଳାରୁ ରାଜ୍ୟର ଅର୍ଥନୀତି ସୁସ୍ଥ ହୋଇଛି । ଓଡିଶା ଏକ ବଳକା ରାଜ୍ୟରେ ପରିଣତ ହୋଇଛି। ବର୍ତ୍ତମାନର ସରକାର ରାଜ୍ୟର ଦାୟିତ୍ବ ହେଲା ସୁସ୍ଥ ଅର୍ଥନୈତିକ ବ୍ୟବସ୍ଥା ଆହୁରି ଆଗକୁ ନେବା। ବଳକା ରାଜସ୍ୱକୁ ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ବ୍ୟବହାର କଲେ ଓଡିଶାର ଅର୍ଥ ବ୍ୟବସ୍ଥା ଦୁର୍ବଳ ହୋଇପଡିବ। ଓଡିଶାର ଅର୍ଥନୈତିକ ଗତି ବଜାୟ ରଖିବାକୁ ବଜେଟରେ ସରକାର ଉଦ୍ୟମ କରିବେ ଆଶା କରାଯାଉଛି। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, “ବିଜେପି ସରକାର ଆସିବାର ପ୍ରାୟ ୮ ମାସ ହେଲାଣି । ମୋହନ ସରକାର ଦ୍ବିତୀୟ ବାର୍ଷିକ ବଜେଟ ଆଣିବାକୁ ଯାଉଛନ୍ତି । ଗତ ବଜେଟରେ ହୋଇଥିବା ବ୍ୟୟ ବରାଦ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୫୦ପ୍ରତିଶତ ଖର୍ଚ୍ଚ କରିଛନ୍ତି। ବଜେଟରେ ଅର୍ଥ ବ୍ୟବସ୍ଥା କରିବା ବଡ କଥା ନୁହେଁ, ନିର୍ଦିଷ୍ଟ ସମୟସୀମା ମଧ୍ୟରେ ବରାଦ ଅର୍ଥର କେତେ ଅର୍ଥ ଖର୍ଚ୍ଚ ହେଉଛି ଓ ରାଜ୍ୟର କେତେ ବିକାଶ ହେଉଛି, ତାହା ମୁଖ୍ୟ ପ୍ରସଙ୍ଗ।
ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଚଳିତ ବଜେଟ ବିକାଶମୁଖୀ ହେବ। ରାଜ୍ୟର ବିକାଶର ଯାତ୍ରାକୁ ଆଗକୁ ନେବା ପାଇଁ ପଦକ୍ଷେପ ନିଆଯିବ। ବଜେଟ ସମ୍ପୂର୍ଣ୍ଣ ରୂପେ ଓଡ଼ିଶାର ବିକାଶକୁ ଏକ ନୂଆ ଚିତ୍ର ଓ ନୂଆ ମାନଚିତ୍ର ଦେବ ବୋଲି ସେ କହିଛନ୍ତି।
୧୭ରେ ବଜେଟ୍ : ବ୍ୟୟବରାଦ ୩ ଲକ୍ଷ କୋଟି ଛୁଇଁବା ଆଶା
Popular Categories



