ସୁଧାଂଶୁମୋହନପୁରରେ ସ୍ତନ୍ୟକର୍କଟ ସଚେତନତା

ଆଠଗଡ : ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟର ଅନ୍ତର୍ଗତ ରାଧାଗୋବିନ୍ଦପୁର ପଞ୍ଚାୟତର ସୁଧାଂଶୁମୋହନପୁର ଗ୍ରାମରେ ମଙ୍ଗଳବାର ସ୍ତନ୍ୟ କର୍କଟ ସଚେତନତା ମାସ ଅବସରରେ ଜନସଚେତନତା ସୃଷ୍ଟି କରାଯାଇଥିଲା । ବ୍ରହ୍ମପୁର ସିଏଚସିର ଅଧିକ୍ଷକ ଡାକ୍ତର ଦିଲ୍ଲୀପ କୁମାର ଦାସ ଏହି ଏକ ମାସ ବ୍ୟାପୀ ସ୍ତନ୍ୟକର୍କଟ ସଚେତନତା କାର୍ଯ୍ୟକ୍ରମକୁ ଉଦ୍‌‌ଘାଟନ କରିଥିଲେ । ସୁଧାଂଶୁମୋହନପୁରରେ ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମ ଏହି କାର୍ଯ୍ୟକ୍ରମରେ ସଂଯୋଜନା କରି ସ୍ତନ୍ୟ କର୍କଟ ରୋଗର କାରଣ, ଲକ୍ଷଣ ଓ ନିରାକରଣ ସଂପର୍କରେ ଆଲୋକପାତ କରିଥିଲେ । ସ୍ତନ୍ୟ କର୍କଟ ରୋଗର ସଠିକ୍‌‌ କାରଣ ଏ ପର୍ଯ୍ୟନ୍ତ ଜଣା ପଡିନଥିଲେ ମଧ୍ୟ କେତେକାଂଶରେ ଏହି ରୋଗ ବଂଶାନୁଗତ କାରଣ, ଶିଶୁଙ୍କୁ ସ୍ତନ୍ୟପାନ କରାଉନ ଥିବା ମହିଳା ଏବଂ ଅଧିକ ବର୍ଷ ଧରି ଋତୁସ୍ରାବ ହେଉଥିବା ମହିଳାଙ୍କ କ୍ଷେତ୍ରରେ ଏହି ରୋଗ ଦେଖାଯାଇଥାଏ । ଏଥି ସହିତ ଅଧିକ ଚର୍ବି ଜାତୀୟ ଖାଦ୍ୟ ଖାଉଥିବା ଏବଂ ମଦ୍ୟପାନ କରୁଥିବା ମହିଳାଙ୍କ ଠାରେ ମଧ୍ୟ ସ୍ତନ୍ୟକର୍କଟ ରୋଗ ଦେଖାଯାଇଥାଏ। ସ୍ତନ୍ୟରେ ପ୍ରଥମେ ଏକ ଛୋଟ ଆବୁ ପରି ଫୁଲା ସୃଷ୍ଟି ହୁଏ ଏବଂ ଏହା ଧିରେ ଧିରେ ବଢିବା ସହ ସ୍ତନକୁ ଜାବୁଡି ଧରିବା ପରି ଅନୁଭବ ହେଲେ ହେଳା ନକରି ତୁରନ୍ତ ଡାକ୍ତଙ୍କ ପରାମର୍ଶ କରିବା ସହ ଆବଶ୍ୟକୀୟ ଚିକିତ୍ସା କରାଇବା ଉପରେ ଶ୍ରୀ ଅସଲମ ଗୁରୁତ୍ୱାରୋପ କରି ଥିଲେ । ସାଧାରଣତଃ ପ୍ରାରମ୍ଭିକ ଅବସ୍ଥାରେ ରୋଗ ଚିହ୍ନଟ ହୋଇପାରିଲେ ଏବଂ ଚିକିତ୍ସା ଦ୍ୱାରା ତାହା ଆରୋଗ୍ୟ ସମ୍ଭବ ବୋଲି ସେ କହିଥିଲେ । ପ୍ରତ୍ୟେକ ଗ୍ରାମରେ ନିର୍ଦ୍ଧାରିତ ମଙ୍ଗଳବାର ଓ ଶୁକ୍ରବାର ମମତା ଦିବସରେ ସ୍ୱାସ୍ଥ୍ୟକର୍ମୀଙ୍କ ସହାୟତା ନେବା ପାଇଁ ପରାମର୍ଶ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ ପୁଷ୍ପାଞ୍ଜଳି ପ୍ରଧାନ ଅଙ୍ଗନୱାଡି  କର୍ମୀ କାଳି ଦେଇ, ଆଶାକର୍ମୀ ବନିତା ରାଉତ ଓ ସଞ୍ଜୁଲତା ରଥଙ୍କ ସମେତ ବହୁ ମହିଳା ଯୋଗଦାନ କରିଥିଲେ।

kalyan agarbati

Comments are closed.