www.samajalive.in
Friday, December 12, 2025
15.1 C
Bhubaneswar

ସୁନ୍ଦରଗଡ଼ରେ କୋଭିଡ୍ ନିୟନ୍ତ୍ରଣ ପାଇଁ ପ୍ରଶାସନର ଡାକରା ‘ବ୍ରେକ୍ ଦ ଚେନ୍’

ଲକଡାଉନ ନିୟମ ମାନି ଘରେ ରହିଲେ ହିଁ ଆମେ କରୋନା ଚେନକୁ ଭାଙ୍ଗି ପାରିବା: ଜିଲ୍ଲାପାଳ

ରାଉରକେଲା ମହାନଗରରେ ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ଟେଷ୍ଟିଂ କରାଯାଉଛି: କମିଶନର

- Advertisement -

ସୁନ୍ଦରଗଡ଼/ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣ ଲାଗି ପ୍ରଶାସନ ପକ୍ଷରୁ ‘ବ୍ରେକ୍ ଦ ଚେନ୍’ ଡାକରା ଦିଆଯାଇଛି। କରୋନା ଚେନ୍ ଭାଙ୍ଗିବାକୁ ଏହି ଲକଡାଉନ୍ ସମୟକୁ ସଠିକ୍ ଭାବେ ବ୍ୟବହାର କରିବାକୁ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ସେହିପରି ରାଉରକେଲା ସହରରେ ଲକଡାଉନ ନିୟମ ପାଳନ କରି ଏହି ମହାମାରୀକୁ ଜିତିବାକୁ କମିଶନର ଦିବ୍ୟଜ୍ୟୋତି ପରିଡ଼ା ମହାନଗରବାସୀଙ୍କୁ ଅନୁରୋଧ କରିଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ କହିଛନ୍ତି, କୋଭିଡ୍ ସଂକ୍ରମଣ ଚେନ୍ ଭାଙ୍ଗିବାକୁ ସମସ୍ତଙ୍କର ସହଯୋଗ ଆବଶ୍ୟକ। ସରକାର ଯେଉଁ ଲକଡାଉନ୍ ଘୋଷଣା କରିଛନ୍ତି ଏହାକୁ ସମସ୍ତେ ମାନି ଘରେ ରହିବା ଦରକାର। ଅତି ଆବଶ୍ୟକ ନହେଲେ କେହି ବାହାରକୁ ଆସନ୍ତୁ ନାହିଁ। ଘରେ ରହିଲେ ହିଁ ‘ବ୍ରେକ୍ ଦ ଚେନ୍’କୁ ଆମେ ସଫଳ କରିପାରିବା। ଜିଲ୍ଲାପାଳ କହିଛନ୍ତି ଯେ, ସୁନ୍ଦରଗଡ଼ ଜିଲ୍ଲାରେ ବର୍ତ୍ତମାନ ସଂକ୍ରମଣ ହାର ଅଧିକ ରହିଛି। ହେଲେ ଏଥିରେ ଜନସାଧାରଣ ଭୟଭୀତ ହୁଅନ୍ତୁ ନାହିଁ। ଟେଷ୍ଟିଂ ସଂଖ୍ୟା ବୃଦ୍ଧି ପାଇଥିବାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହା ଦ୍ୱାରା ଆକ୍ରାନ୍ତମାନଙ୍କୁ ଚିକିତ୍ସା ଯୋଗାଇ ଦେବା ସହ କରୋନା ଉପରେ ରୋକ୍ ଲଗାଇବା ସମ୍ଭବପର ହେବ। ଆଗକୁ ମଧ୍ୟ ଜିଲ୍ଲାରେ କୋଭିଡ୍ ଟେଷ୍ଟିଂ ସଂଖ୍ୟା ବଢ଼ାଇବାକୁ ଲକ୍ଷ୍ୟ ରହିଛି।

ସେ କହିଛନ୍ତି ଯେ ଜିଲ୍ଲାରେ କୋଭିଡ୍ ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ବର୍ତ୍ତମାନସୁଦ୍ଧା ଡାକ୍ତରଖାନାରେ ରୋଗୀଙ୍କ ପାଇଁ ବେଡ୍ ରହିଛି। ରାଉରକେଲା ଏବଂ ସୁନ୍ଦରଗଡ଼ରେ ଥିବା ବିଭିନ୍ନ କୋଭିଡ୍ ହସ୍ପିଟାଲ ରୋଗୀଙ୍କ ଚିକିତ୍ସା କରୁଛନ୍ତି। ଜିଲ୍ଲାର ବିଭିନ୍ନ ଡାକ୍ତରଖାନା ଓ କୋଭିଡ୍ କେୟାର ସେଣ୍ଟରରେ ଆବଶ୍ୟକ ସଂଖ୍ୟକ ଅକ୍ସିଜେନ୍ ସିଲିଣ୍ଡର ରହିଛି। ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସୀମାରେ ୬ଟି ଚେକ୍ ପୋଷ୍ଟ କରାଯାଇ ଚେକିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି। ଆରଟିପିସିଆର୍ ନେଗେଟିଭ୍ ରିପୋର୍ଟ ଏବଂ ଡବଲ ଡୋଜ୍ ଟିକା ପ୍ରମାଣପତ୍ର ଯାଞ୍ଚ କରାଯାଉଛି। ଏହା କରୋନା ଚେନକୁ ଭାଙ୍ଗିବା ଲାଗି ସହାୟକ ହେଉଛି ବୋଲି ଜିଲ୍ଲାପାଳ କହିଛନ୍ତି।

ରାଉରକେଲା ସହରରେ ‘ବ୍ରେକ୍ ଦ ଚେନ୍’ ଅଭିଯାନକୁ ସଫଳ କରିବା ପାଇଁ ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଲକଡାଉନ୍ ନିୟମ ପାଳନ କରି ଘରେ ରହିବାକୁ ସେ କହିଛନ୍ତି। କୋଭିଡ୍ ଟେଷ୍ଟିଂ, ଚିକିତ୍ସା, ଟିକାକରଣ ସହିତ ଆଇସିୟୁ, ଅକ୍ସିଜେନ୍ ଆଦି ବାବଦରେ ଜାଣିବା ପାଇଁ ଲୋକେ ରାଉରକେଲା ମହାନଗର ନିଗମ ୧୮୦୦ ୩୪୫ ୭୪୬୮ ଏବଂ ଜିଲ୍ଲା ହେଲ୍ପଲାଇନ୍ ନମ୍ବର ୧୮୦୦ ୩୪୫ ୭୪୬୧/ ୦୧୧ ୪୧୧ ୮୨୧୩୮ରେ ମାଗଣାରେ କଲ୍ କରିପାରିବେ। ସେ କହିଛନ୍ତି, ସଂକ୍ରମଣ ଚେନ୍ ଭାଙ୍ଗିବା ଲାଗି ପ୍ରଶାସନ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି। ଲକଡାଉନ୍ ସମୟରେ ଲୋକଙ୍କ ଘର ପାଖରେ ଏସଏଚଜି ମା’ମାନଙ୍କ ସାହାଯ୍ୟ ନେଇ ଆଳୁ, ପିଆଜ ଭଳି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପହଞ୍ଚାଇବାକୁ ବ୍ୟବସ୍ଥା କରାଯାଉଛି। ତେଣୁ ଲୋକମାନେ ଭିଡ଼ ସ୍ଥାନକୁ ନଯାଇ ଘର ପାଖରୁ ଜିନିଷ କିଣନ୍ତୁ। ଜନସାଧାରଣଙ୍କ ସହଯୋଗରେ ଆମେ କୋଭିଡ୍ ମୁକାବିଲା କରିପାରିବା।

ଲକ୍ଷଣ ଥିବା କିମ୍ବା କୋଭିଡ୍ ପଜିଟିଭ୍ ବାହାରୁଥିବା ବ୍ୟକ୍ତିମାନଙ୍କୁ ହୋମ୍ ଆଇସୋଲେସନରେ ରହି ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କରିବାକୁ ପ୍ରଶାସନ ଅନୁରୋଧ କରିଛି। ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ କରିବା ପାଇଁ ଜିଲ୍ଲାରେ ୮୪ଟି ରାପିଡ୍ ରେସପନ୍ସ ଟିମ୍ ଗଠନ କରାଯାଇଛି। ସେଥିମଧ୍ୟରୁ ରାଉରକେଲା ସହରରେ ୨୦ଟି ଟିମ୍ କାମ କରୁଛନ୍ତି। ଏହି ଟିମ୍ ଘର ଘର ବୁଲି ଲୋକଙ୍କ ଶରୀରର ତାପମାତ୍ରା ଓ ଅମ୍ଲଜାନ ସ୍ତର ମାପିବା ସହ ରୋଗୀଙ୍କୁ ଔଷଧପତ୍ର ଦେଉଛନ୍ତି। ଲକଡାଉନ୍ ଭିତରେ ରାଉରକେଲା ସହରରେ କୋଭିଡ୍ ଟେଷ୍ଟିଂକୁ ଆହୁରି ଜୋରଦାର କରାଯାଇଛି। ଏଥିପାଇଁ ସହରରେ ୯ଟି କେନ୍ଦ୍ର ଚାଲିଛି। ସେହିପରି ମହାନଗର ନିଗମବାସୀଙ୍କ ପାଇଁ ୮ଟି ଟିକାକରଣ କେନ୍ଦ୍ର କାମ କରୁଛି। ତେବେ କୌଣସି ସ୍ଥାନରେ ଭିଡ଼ ନକରି କୋଭିଡ୍ ନିୟମ ପାଳନ କରି ଏସବୁ କାର୍ଯ୍ୟ କରିବା ପାଇଁ କମିଶନର ଅନୁରୋଧ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories