ବିକାଶ ନାମରେ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମାରକୀ ଭଙ୍ଗାନେଇ ବିଜେପି ପକ୍ଷରୁ ପ୍ରତିକ୍ରିୟା

ବୌଦ୍ଧ: ସହରର ବିକାଶ ଓ ସୌନ୍ଦର୍ଯ୍ୟକରଣ ନାମରେ ବିଭିନ୍ନ ସ୍ଥାନରୁ ଜବରଦଖଲ ଉଚ୍ଛେଦ ସହ ରାସ୍ତା ସଂପ୍ରସାରଣ ଓ ପ୍ରତିମୂର୍ତ୍ତି ସ୍ଥାପନ କରାଯାଉଅଛି । ଏହି ପରିପ୍ରେକ୍ଷୀରେ ବୌଦ୍ଧ ପୁରୁଣାବ୍ଲକ ଛକଠାରେ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ଏହି ପ୍ରତିମୂର୍ତ୍ତି ସ୍ଥାପନ ସମୟରେ ସେହି ସ୍ଥାନରେ ୧୯୭୮ ମସିହାରୁ ଥିବା ବୌଦ୍ଧର ଦୁଇ ସ୍ୱାଧୀନତା ସଂଗ୍ରାମୀ ପ୍ରେମଶଙ୍କର ପଟ୍ଟନାୟକ ଓ ପ୍ରହଲ୍ଲାଦ ବିଶିଙ୍କ ନାମରେ ଥିବା ଏକ ସ୍ମାରକୀକୁ ହଟାଇ ଦିଆଯାଇଥିଲା । ଏହି ସ୍ମାରକୀ ଫଳକକୁ ତତ୍କାଳୀନ ରାଜ୍ୟସରକାରଙ୍କ ପକ୍ଷରୁ ସ୍ଥାପନ କରାଯାଇଥିଲା । ରାଜ୍ୟର ପ୍ରତ୍ୟେକ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସେହି ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀମାନଙ୍କ ନାମ ଫଳକ ଲାଗାଇବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ବୌଦ୍ଧ ବ୍ଲକ ସମ୍ମୁଖରେ ମଧ୍ୟ ଏହି ସ୍ମାରକୀ ଫଳକ ଲଗାଯାଇଥିଲା ।

prayash

ଏହି ସ୍ଥାନରୁ ବ୍ଳକ କାର୍ଯ୍ୟାଳୟ ମୃଷୁଣ୍ଢି ଗ୍ରାମକୁ ଉଠିଯାଇଥିଲେ ମଧ୍ୟ ନାମ ଫଳକକୁ ନିଆଯାଇନଥିଲା । ବିବେକାନନ୍ଦ ପ୍ରତିମୂର୍ତ୍ତି ସ୍ଥାପନ ସମୟରେ ବ୍ଲକ କର୍ତ୍ତୃପକ୍ଷ ଏହି ନାମ ଫଳକକୁ ଉଠାଇ ନୂତନ ବ୍ଳକ କାର୍ଯ୍ୟାଳୟକୁ ନେବାକୁ ଉଦ୍ୟମ କରୁଥିବା ସମୟରେ ସ୍ମାରକୀ ଫଳକଟି ମଝିରୁ ଭାଙ୍ଗି ଯାଇଥିଲା । ଏହାକୁ ନେଇ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ପ୍ରକାଶ କରାଯାଇଛି  । ଜିଲା ପ୍ରଶାସନ ବିକାଶ ନାମରେ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତି ଚିହ୍ନକୁ ନଷ୍ଟ କରିଦେଇଥିବା ଅଭିଯୋଗ କରାଯାଇଛି । ସେହିପରି ମହାନଦୀ ବ୍ରିଜଛକ ନିକଟରେ ମଶାଣୀ ପାଇଁ ନିର୍ମାଣ କରାଯାଇଥିବା ଏକ ଘର ଉପରେ ପ୍ଲାଷ୍ଟିକରେ ନିର୍ମିତ ବୁଦ୍ଧ ପ୍ରତିମୂର୍ତ୍ତି ସ୍ଥାପନକୁ ମଧ୍ୟ ବିଜେପି ପକ୍ଷରୁ ବିରୋଧ କରାଯାଇଛି । ଯଦି ପ୍ରଶାସନ କୌଣସି ସ୍ଥାନରେ ପ୍ରତିମୂର୍ତ୍ତି ସ୍ଥାପନ କରୁଛି ତ ପ୍ରସ୍ତରରେ ନିର୍ମିତ ପ୍ରତିମୂର୍ତ୍ତି ନବସାଇ ପ୍ଲାଷ୍ଟିକ୍‌ରେ ନିର୍ମିତ ମୂର୍ତ୍ତି ବସାଇ ଲକ୍ଷ ଲକ୍ଷ ଟଙ୍କା ଦୁର୍ନୀତି କରାଯାଇଥିବା ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି ।

ଜିଲାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇପଡିଥିବାବେଳେ ଶିକ୍ଷକ ବଦଳି ନାମରେ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି କରାଯାଇଛି । ସେହିପରି ଜିଲାରେ ନିମ୍ନମାନର ସ୍ୱାସ୍ଥ୍ୟ ସେବା ନେଇ ମଧ୍ୟ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ଗ୍ରାମାଞ୍ଚଳରେ ନୂତନ ପାଠାଗାର ସ୍ଥାପନ ନାମରେ ପୂରୁଣା ଘରକୁ ରଙ୍ଗ ମରାଯାଇ ଦୁର୍ନୀତି କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ବିଜେପି ଅଭିଯୋଗ କରିବା ସହିତ ଆଗାମୀ ଦିନରେ ଦଳ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତି,ଉପସଭାପତି ସୁଶାନ୍ତ କୁମାର ବାଘ,ସାଧାରଣ ସମ୍ପାଦକ ତାପସ କୁମାର ପଟ୍ଟନାୟକ ଓ ପ୍ରେମାନନ୍ଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

kalyan agarbati

Comments are closed.