ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଅଧ୍ୟକ୍ଷ ଡ. ପ୍ରବିଣ ତୋଗାଡିଆଙ୍କ ବୌଦ୍ଧ ଜିଲ୍ଲା ଗସ୍ତ

ବୌଦ୍ଧ: ସମୃଦ୍ଧ, ସୁରକ୍ଷିତ ଓ ସମ୍ମାନଯୁକ୍ତ ହିନ୍ଦୁ ଆମର ଲକ୍ଷ୍ୟର ବାର୍ତ୍ତା ନେଇ ସମଗ୍ର ଭାରତ ବର୍ଷର ବିଭିନ୍ନ ସ୍ଥାନକୁ ସଚେତନତାର ବାର୍ତ୍ତା ନେଇ ଯାଉଥିବା ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଅଧ୍ୟକ୍ଷ ଡା. ପ୍ରବୀଣ ତଗୋଡିଆ ଆଜି ବୌଦ୍ଧ ଜିଲ୍ଲା ଗସ୍ତରେ ଆସିଥିଲେ । ବୌଦ୍ଧ ସହରର ବ୍ରିଜଛକ ସୁବିଧା କେନ୍ଦ୍ର ଠାରେ ବୌଦ୍ଧ ଜିଲ୍ଳା ବୁଦ୍ଧିଜୀବୀ ଫୋରମ ତରଫରୁ ସମ୍ବର୍ଦ୍ଧନା ସଭାରେ ଉପଢୌକନ, ଫୁଲତୋଡା ଓ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହି ଅବସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡ. ତୋଗାଡିଆ ପ୍ରତିକ୍ରିୟା ରଖି କହିଥିଲେ ରାମ ମନ୍ଦିର ନିର୍ମାଣ ଆରମ୍ଭ ହେବାପରେ ହିନ୍ଦୁ ଆନ୍ଦୋଳନର  ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ ହୋଇଛି । ବର୍ତ୍ତମାନ ସୁରକ୍ଷା ସହିତ ସମୃଦ୍ଧି ହିନ୍ଦୁ ଆନ୍ଦୋଳନର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ଆରମ୍ଭ ହୋଇଛି ।

ଦେଶରୁ ବେରୋଜଗାରୀ ଦୂର କରିବା ଓ ନୂତନ ନିଯୁକ୍ତି ସୃଷ୍ଟି କରିବା ଆମର ମୂଳ ଲକ୍ଷ ରହିଛି । ଏହାର ସମାଧାନ ପାଇଁ ଆସନ୍ତା ମେ’ ୨୬ ତାରିଖରେ ଜାତୀୟ ସ୍ତରରେ ଏକ ରୋଜଗାର ଯୋଜନାର ଶୁଭାରମ୍ଭ କରିବା ପାଇଁ ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି । ଏହି ପ୍ରକଳ୍ପ ମାଧ୍ୟମରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଲକ୍ଷ ଲକ୍ଷ ଲୋକଙ୍କୁ ରୋଜଗାର କରିବାର ବ୍ୟବସ୍ଥା ରହିବ । ପଶ୍ଚିମ ଓଡିଶାରେ ସମ୍ବଲପୁରୀ ବସ୍ତ୍ରର ଚାହିଦା ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରରେ ରହିଥିବାରୁ ଏଥିପ୍ରତି ଗୁରୁତ୍ୱ ଦେବାପାଇଁ ଡା. ତୋଗାଡିଆ ପ୍ରକାଶ କରିଥିଲେ । ଦେଶର ଏକ ହଜାର ସ୍ଥାନରେ ଏହାର ବଜାର ପାଇଁ ଦୋକାନ ମାଧ୍ୟମରେ ଏବଂ ଅନ୍‌ ଲାଇନ ମାଧ୍ୟମରେ ବିକ୍ରି କରାଯିବ ବୋଲି କହିଥିଲେ । ସେହିପରି ଅନ୍ୟ ରାଜ୍ୟରୁ ଉତ୍ପାଦିତ ଉକୃଷ୍ଟ ସାମଗ୍ରୀ ପାଇଁ ମଧ୍ୟ ବଜାର ସୃଷ୍ଟି କରିବା ସହିତ ସାଧାରଣଲୋକଙ୍କୁ ଉଚିତ ମୂଲ୍ୟରେ ତାହା ଯୋଗାଇଦିଆଯିବ ।

ଏହାଦ୍ୱାରା ସାମଗ୍ରୀର ଉତ୍ପାଦକ ପରିଶ୍ରମର ପ୍ରକୃତ ମୂଲ୍ୟ ପାଇବା ସହିତ ବିକ୍ରେତା ମଧ୍ୟ ଉପଯୁକ୍ତ ଲାଭାଂଶ ପାଇବାର ବ୍ୟବସ୍ଥା କରାଯାଉଥିବା ଡା. ତାଗୋଡିଆ ପ୍ରକାଶ କରିଥିଲେ । ଏହାବ୍ୟତୀତ  ରାଜ୍ୟରେ ଗୋ ଚାଲାଣ ଏବଂ ଧର୍ମାନ୍ତୀକରଣକୁ ସଂପୂର୍ଣ୍ଣ ଭାବେ ନିଷେଧ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ଡା. ତାଗୋଡିଆ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ପରିଷଦର କେନ୍ଦ୍ରମନ୍ତ୍ରୀ ମନୋଜ ସାହୁ, ବୁଦ୍ଧିଜୀବୀ ଫୋରମ ତରଫରୁ ଆବାହକ ଗୁରୁପ୍ରସାଦ ଦାଶ, ଦେବାଶିଷ ପୁରୋହିତ, ପ୍ରତାପ କୁମାର ସାହୁ, ସୂର୍ଯ୍ୟେନ୍ଦ୍ର କୁମାର ଶତପଥୀ, କେତନ କୁମାର ଅଗ୍ରଓ୍ୱାଲା ଏବଂ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦାନ କରିଥିଲେ ।

Comments are closed.