ଭିତ୍ତିଭୂମି ଥାଇ ବି ପର୍ଯ୍ୟଟନର ଦୃଷ୍ଟି ଆଢୁଆଳରେ ବୌଦ୍ଧ ଜିଲାର ପର୍ଯ୍ୟଟନ ଶିଳ୍ପ

ବୌଦ୍ଧ: ଭଗବାନ ବୁଦ୍ଧଙ୍କ ନାମରେ ନାମିତ ବୌଦ୍ଧ ଜିଲା ଏବଂ ଜଗନ୍ନାଥ ସଂସ୍କୃତିର ଆଦିପୀଠ ହେଉଛି ବୌଦ୍ଧ ଭୂମି। ଐତିହାସିକ ବୌଦ୍ଧ ଜିଲା ପର୍ଯ୍ୟଟନର ଗନ୍ତାଘର। ଐତିହାସିକ କଳାକୃତି ହେଉ ଅବା ପ୍ରାକୃତିକ ସୌନ୍ଦର୍ଯ୍ୟ ସବୁ ଭରି ରହିଛି ଜିଲା ଭିତରେ। ତା’ ସାଙ୍ଗକୁ ରହିଛି ଇକୋ ଟୁରିଜିମର ପର୍ଯ୍ୟାପ୍ତ ସୁଯୋଗ। ପର୍ଯ୍ୟଟନର ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଥିବା ବେଳେ ରାଜ୍ୟର ପର୍ଯ୍ୟଟନ ମାନଚିତ୍ରରେ ଉପଯୁକ୍ତ ସ୍ଥାନ ଦିଆ ନ ଯିବା ଏବଂ ପ୍ରଶାସନିକ ପ୍ରୟାସ ଅଭାବରୁ ଜିଲାକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ହୋଇପାରୁନାହିଁ। ପ୍ରଚାର ପ୍ରସାର ପାଇଁ ପ୍ରୟାସ କରାଗଲେ ଜିଲାକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଆନ୍ତା ଏବଂ ଜିଲାରେ ବୃଦ୍ଧି ପାଉଥିବା ଶିକ୍ଷିତ ବେକାରମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି।

ଜିଲାରେ ଅନେକ ପ୍ରାଚୀନ କିର୍ତିରାଜୀ ଭରି ରହିଥିଲେ ମଧ୍ୟ ତାହାର ବିକାଶ ହୋଇପାରୁନାହିଁ। ପଶ୍ଚିମ ଓଡ଼ିଶାରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଦ୍ୱାରା ୫ଟି ସଂରକ୍ଷିତ କିର୍ତ୍ତିରାଜୀ ମଧ୍ୟରେ ବୌଦ୍ଧର ଅଷ୍ଟମ ଶତାବ୍ଦୀରେ ଭଞ୍ଜ ରାଜାମାନଙ୍କ ଦ୍ୱାରା ନିର୍ମିତ କାରୁକାର୍ଯ୍ୟରେ ଭରପୁର ଗନ୍ଧରାଢି ମନ୍ଦିର ଓ ନବମ ଶତାବ୍ଦୀରେ ସୋମବଂଶୀମାନଙ୍କ ଦ୍ୱାରା ବୌଦ୍ଧ ସହରରେ ନିର୍ମିତ ରାମେଶ୍ୱର ମନ୍ଦିରରେ ପର୍ଯ୍ୟଟକମାନଙ୍କ ଦର୍ଶନ ଓ ଗବେଷଣା ପାଇଁ ଅନେକ ସୁଯୋଗ ରହିଛି। ରାଜ୍ୟରେ ରହିଥିବା ବୁଦ୍ଧ କିର୍ତିରାଜି ମଧ୍ୟରେ ବୌଦ୍ଧ ଜିଲାର ବୁଦ୍ଧ କିର୍ତିରାଜି ଅନ୍ୟତମ। ବୌଦ୍ଧ ରାଜପ୍ରାସାଦ ନିକଟରେ ଭୂମିସ୍ପର୍ଶ ମୁଦ୍ରାରେ ରହିଥିବା ବୁଦ୍ଧମୂର୍ତ୍ତି, ପରଗଳପୁର ଓ ଶ୍ୟାମସୁନ୍ଦରପୁର ସାଙ୍ଗକୁ ଜିଲାର ବିଭିନ୍ନ ସ୍ଥାନରେ ବୌଦ୍ଧପୀଠ ମାନ ରହିଅଛି। ଭଗବାନ ବୁଦ୍ଧଙ୍କ ନାମରେ ନାମିତ ବୌଦ୍ଧ ଜିଲାରେ ବୁଦ୍ଧକିର୍ତି ସବୁର ଉନ୍ନତି କରାଗଲେ ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ପାଇ ପାରନ୍ତା ଏବଂ ଜିଲାର ଅର୍ଥନୀତି ମଧ୍ୟ ସୁଦୃଢ଼ ହୋଇପାରନ୍ତା। ସେହିପରି ହରଭଙ୍ଗା ବ୍ଲକର ବାମଣ୍ଡା ପଂଚାୟତର ପାତାଳୀ ଶ୍ରୀକ୍ଷେତ୍ର ନାୟକପଡ଼ା ଗୁମ୍ପା ଓ କଂଟାମାଳ ରେଘାମୁଣ୍ଡା ଦେଢଶୂର ଭାଇବୋହୂ ପାହାଡର ବିକାଶ ପାଇଁ ରାଜ୍ୟ ସରକାର ଅନୁଦାନ ଯୋଗାଇ ଦେଇଥିଲେ ମଧ୍ୟ ଏହାର ପ୍ରଚାର ପ୍ରସାର ଅଭାବରୁ ପର୍ଯ୍ୟଟକମାନଙ୍କ ଦୃଷ୍ଟି ଆଢୁଆଳରେ ରହିଯାଉଛି। ହରଭଙ୍ଗା ବ୍ଲକର ପ୍ରସିଦ୍ଧ ଶକ୍ତପୀଠ ମା ଭୈରବୀଙ୍କ ମନ୍ଦିର ପରିସରର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ଅନୁଦାନ ଯୋଗାଇ ଦେଇଛନ୍ତି। ହରଭଙ୍ଗା ବ୍ଲକର ରାମଗଡ଼ ଓ କରଡି ଠାରେ ଥିବା ଶିବ ମନ୍ଦିର, ପଦ୍ମତୋଳା ଅଭୟାରଣ୍ୟ, ନୂଆପଡ଼ା ଡେମ ଓ ତଳଗାଁ ର ଡମକୁଚ ଡ୍ୟାମ ଆଦି ପର୍ଯ୍ୟଟନ ପାଇଁ ଅନେକ ସମ୍ଭାବନା ସୃଷ୍ଟି କରିପାରନ୍ତା। ନିକଟରେ ବନ ବିଭାଗ ପକ୍ଷରୁ ଡମ୍ବରୁଗଡ଼ଠାରେ ପ୍ରଥମ ଇକୋ ରିଟ୍ରିଟ ସୁଯୋଗ ସୃଷ୍ଟି କରାଯାଇଛି। ଡମ୍ବରୁଗଡ଼ର ପ୍ରାକୃତିକ ଶୋଭାରାଜି ଓ ସୂର୍ଯ୍ୟାସ୍ତର ମନଲୋଭା ଦୃଶ୍ୟ ଜିଲା ଓ ଜିଲା ବାହାରର ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ପାଲଟିଛି। ସେହିପରି ବୌଦ୍ଧ ବ୍ଲକର ଖଣ୍ଡିକନପା ର ମନଲୋଭା ପ୍ରାକୃତିକ ଦୃଶ୍ୟ, ବାଉଁଶୁଣୀର ପ୍ରସିଦ୍ଧ ଶିବ ମନ୍ଦିର, ବଘିଆପଡ଼ାର ପଞ୍ଚୁପାଣ୍ଡବ ମନ୍ଦିର, ବୌଦ୍ଧ ସହରରେ ମହାନଦୀ ଗର୍ଭରେ ରହିଥିବା ହନୁମାନ ମନ୍ଦିର, ଜଗନ୍ନାଥ ମନ୍ଦିର, ଭୈରବୀ ମନ୍ଦିର, ମଦନମୋହନ ମନ୍ଦିର, ଚନ୍ଦ୍ରଚୂଡ ମନ୍ଦିର ଆଦି ଅନେକ କିର୍ତ୍ତିରାଜୀ ଜିଲାରେ ପର୍ଯ୍ୟଟନର ଭିତିଭୂମି ବିକାଶରେ ସହାୟକ ହୋଇପାରିବ।

ସେହିପରି ମହାନଦୀ ଭିତରେ ରହିଥିବା ମର୍ଜାକୁଦକୁ ସେତୁ ନିର୍ମାଣ ହୋଇସାରିଥିବାବେଳେ ଏଠାରେ ଇକୋ ଟୁରିଜିମ ର ବିକାଶ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି। ମର୍ଜାକୁଦ ଶେଷ ମୁଣ୍ଡରେ ଥିବା କୁଲାରିକୁଦ ଟାପୁରେ ବନ ବିଭାଗ ପକ୍ଷରୁ ଇକୋ ରିଟ୍ରିଟ ସୁଯୋଗ ସୃଷ୍ଟି କାର୍ଯ୍ୟ ଆରମ୍ଭ ହୋଇଛି। ଜିଲାରେ ପର୍ଯ୍ୟଟନର ବିକାଶ ପାଇଁ ଭରପୁର ସୁଯୋଗ ରହିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏଥିପ୍ରତି ଆବଶ୍ୟକୀୟ ଦୃଷ୍ଟି ଦିଆଯାଇନାହିଁ। ଜିଲାର ପର୍ଯ୍ୟଟନକୁ ଦୃଷ୍ଟିରେ ରଖି ସମସ୍ତ ବିଭାଗ ଯୋଜନା ପ୍ରସ୍ତୁତ କରିବାସହ ସମସ୍ତ ପ୍ରାଚୀନ କିର୍ତ୍ତିରାଜୀ ଏବଂ ପର୍ଯ୍ୟଟନ ସ୍ଥଳୀଗୁଡିକର ନାମଫଳକ ଜାତୀୟ ରାଜପଥ କଡରେ ଲଗାଗଲେ ତାହା ଯାତ୍ରୀମାନଙ୍କ ଦୃଷ୍ଟିରେ ଆସିବାସହ ଆକର୍ଷିତ କରିପାରନ୍ତା ବୋଲି ସ୍ଥାନୀୟ ଲୋକଙ୍କ ସମେତ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

Comments are closed.