‘ମା’ ଓ ଶିଶୁର ମାନସିକ ଅଭିବୃଦ୍ଧି ପାଇଁ ସମସ୍ତେ ଯତ୍ନବାନ ହେବା ଜରୁରୀ’
ବୌଦ୍ଧ: ଜିଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ଗୃହଠାରେ ଜିଲାସ୍ତରୀୟ ଶିଶୁଙ୍କ ଓଜନ ଓ ଉଚ୍ଚତା ନିରୀକ୍ଷଣ ତାଲିମ କାର୍ଯ୍ୟକ୍ରମ ଜିଲାପାଳ ଜେ.ସୋନାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ଯୋଗଦେଇଥିଲେ। ବାଲ୍ୟ ବିବାହ ରୋକିବା, ଶିଶୁ ଏବଂ ମା’ର ପୁଷ୍ଟିହୀନତା, ଶିକ୍ଷା, ନିୟମିତ ଔଷଧ, ଖାଦ୍ୟ, ସୁସ୍ଥ ପରିବେଶ ଉପରେ ଯତ୍ନବାନ ହେବା ପାଇଁ ପରାମର୍ଶ ଦେବା ସହିତ ଆଶା ଓ ଅଙ୍ଗନବାଡି ମଧ୍ୟରେ ସମନ୍ୱୟ ରଖିବା ପାଇଁ ବୈଠକ ଡକାଯିବା, ଜିଲା ପ୍ରଶାସନ ପକ୍ଷରୁ ଅଚାନକ ପରିଦର୍ଶନ କରାଯିବା, ଶିଶୁ ଓ ମା’ର ଓଜନ ଓ ଉଚ୍ଚତା ନିରୀକ୍ଷଣ ସହ ମାନସିକ ଅଭିବୃଦ୍ଧି ନିମନ୍ତେ ଯତ୍ନବାନ ହେବାକୁ ମୁଖ୍ୟଅତିଥି ପରାମର୍ଶ ଦେଇଥିଲେ ।
ବୈଠକରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଯୁଗ୍ମ ସଚିବ ମଧୁସୁଦନ ବେହେରା ଯୋଗଦେଇ ବହୁ ମୂଲ୍ୟବାନ ପରାମର୍ଶ ଦେଇଥିଲେ । ଜିଲାପାଳ ଜେ. ସୋନାଲ ଜିଲାର ସମସ୍ତ ଅଞ୍ଚଳ ବିଶେଷ କରି ଦୁର୍ଗମ ଅଞ୍ଚଳରେ ରହୁଥିବା ଅଧିବାସୀମାନଙ୍କ ନିକଟରେ ସେବା ପହଞ୍ଚାଇବା ଉପରେ ଗୁରୁତ୍ୱ ଦେବା ସହିତ ସେମାନଙ୍କ ଶାରିରୀକ ଏବଂ ମାନସିକ ଅଭିବୃଦ୍ଧି ନିମନ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ଜିଲା ସମାଜ ମଙ୍ଗଳ ଅଧିକାରୀ ଲୋଚନା ପୃଷ୍ଟି ସମସ୍ତଙ୍କୁ ସ୍ୱାଗତ କରିବା ସହ ଏହି ତାଲିମ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ ଅବଗତ କରିଥିଲେ । ଭାରପ୍ରାପ୍ତ କଣ୍ଟାମାଳ ଗୋଷ୍ଠୀ ସମନ୍ୱିତ ଶିଶୁ ଓ ମହିଳା ବିକାଶ ଅଧିକାରୀ ସୌଦାମିନୀ ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ । ତାଲିମ କାର୍ଯ୍ୟକ୍ରମରେ ୟୁନିସେଫର ତାଲିମଦାତା ଗୋପାଳ ପ୍ରଧାନ, ଡିପିସି ପୋଷଣ ମୃତ୍ୟୁଞ୍ଜୟ ଛତ୍ର, ଡିପିସି ମମତା ଆଶିଷ ମହାନ୍ତି, ଡିପିସି ମିଶନ ଶକ୍ତି ରଶ୍ମିରଂଜନ ସେଠୀ, ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ, ଅତିରିକ୍ତ ଜିଲା ମଙ୍ଗଳ ଅଧିକାରୀ ଗୋପାଳ ଚରଣ ମଲ୍ଲିକ, ପ୍ରୋଗାମ ଅଧିକାରୀ ଗୀତା ଦଲାଲ ପ୍ରମୁଖ ଯୋଗଦେଇଥିଲେ ।
Comments are closed.