BJD Bijuli 480×75 Mob

ବୌଦ୍ଧର ଗଣପର୍ବ ପ୍ରସିଦ୍ଧ ରାମଲୀଳା ଯାତ୍ରା ଉଦଯାପିତ, ଶେଷ ହେଲା ରାବଣରାଜ

BJD Bijuli 480×75 Mob

ବୌଦ୍ଧ : ବୌଦ୍ଧଜିଲ୍ଲାର ସର୍ବପୁରାତନ ସାଂସ୍କୃତିକ ଅନୁଷ୍ଠାନ ରାମଲୀଳା ନାଟ୍ୟସଂସଦ ପକ୍ଷରୁ ସ୍ଥାନୀୟ ମାରୁତୀମଣ୍ଡପ ଠାରେ ଦୀର୍ଘ ୧୮ ଦିନ ଧରି ଚାଲି ଆସୁଥିବା ବୌଦ୍ଧଗଡଜାତର ଗଣପର୍ବ ପ୍ରସିଦ୍ଧ ରାମଲୀଳା ଯାତ୍ରା ଉଦଯାପିତ ହୋଇଯାଇଛି। ଅନ୍ତିମ ଦିନରେ ରାବଣ ବଧ ନାଟକ ପରିବେଷିତ ହୋଇଥିଲା। ଏହି ଯାତ୍ରାରେ ମର୍ଯ୍ୟାଦା ପୁରୁଷତ୍ତୋମ ଶ୍ରୀରାମଚନ୍ଦ୍ରଙ୍କ ଲୀଳାକୁ ପର୍ଯ୍ୟାୟକ୍ରମେ ରାମଜନ୍ମ ଠାରୁ ରାବଣ ବଧ ପର୍ୟ୍ୟନ୍ତ ନାଟକ ପରିବେଷଣ କରାଯାଇଥିଲା। ଯାହାକୁ ଦେଖିପାଇଁ ପ୍ରତ୍ୟେହ ହଜାର ହଜାର ଦର୍ଶକ ସହରର ମାରୁତୀ ମଣ୍ଡପକୁ ଆସିୁଥିଲେ। ଦୀର୍ଘ ୧୮ ଦିନ ଧରି ଅନୁଷ୍ଠାନର ବିଭିନ୍ନ କଳାକାରମାନଙ୍କ ନିଖୁଣ ଅଭିନୟ ବେଶ ହୃଦୟସ୍ପର୍ଶୀ ହୋଇପାରିଥିଲା। ଅନ୍ତିମ ଦିନ ରାବଣ ବଧ ଯାତ୍ରାକୁ ଖୁବ ଜାକ ଜମକରେ ପାଳନ କରାଯାଇଥିଲା। ରାମ ରାବଣଙ୍କ ଅନ୍ତିମ ସମର ଶୋଭାଯାତ୍ରାକୁ ନେଇ ରାତି ତମାମ ସହର ଉତ୍ସବ ମୁଖର ହୋଇ ଉଠିଥିଲା।

ଜିଲାର ବିଭିନ୍ନ ପଞ୍ଚାୟତରୁ କମ୍ପରା, କାଶଲପୁର, ଧୁଡୁରବାହାଲ, ପୋଲାମ, ଆନନ୍ଦପୁର,ସରସରା, ବାମଣ୍ଡା, ବିରିଗଡ,କେଳାକଟା ଅଞ୍ଚଳରୁ ୯ଟି ସୁସଜ୍ଜିତ ରାବଣରଥ ବିରାଟ ପଟୁଆରରେ ଆସି ବୁଟୁପାଲି ଠାରେ ଥିବା ହାଇସ୍କୁଲ ପଡିଆରେ ଏକତ୍ରୀତ ହୋଇଥିଲେ। ସେଠାରୁ ବୈାଦ୍ଧର ମୁଖ୍ୟ ରାବଣ ରଥ ସହ ଏକତ୍ରିତ ହୋଇ ସମସ୍ତ ରାବଣ ରଥ ସମର ଶୋଭାଯାତ୍ରାରେ ବାହାରିଥିଲେ। ସେଠାରୁ ସମସ୍ତ ରାବଣ ରଥ ଯୁଦ୍ଧ ବାଦ୍ୟ ଓ ବିଭିନ୍ନ ସୁଆଙ୍ଗ ନୃତ୍ୟ ସହ ଯୁଦ୍ଧ ଯାତ୍ରା ଆରମ୍ଭ କରିଥିଲେ। ସମସ୍ତ ରାବଣରଥ ଗୁଡିକ ହାତୀଶାଳ ଛକଦେଇ ଜିଲା ଷ୍ଟାଡିୟମଠାରେ ପହଞ୍ଚି ଥିଲା। ସେହିପରି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ରଥ ବାନର ସେନା ସହିତ ଐତିହାସିକ ରାମେଶ୍ୱର ମନ୍ଦିରଠାରୁ ବାହାରି ପୁରୁଣାବ୍ଲକ ଛକ, ଡେଲିମାର୍କେଟ, ପୋଡାପୋଡା, ମୁଖ୍ୟ ଡାକଘର ଛକ ଦେଇ ଜିଲା ଷ୍ଟାଡିୟମ ଠାରେ ପହଞ୍ଚିଥିଲା। ସେଠାରେ ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ ସହିତ ବାନର ସେନା ଓ ଦଶଗୋଟି ରାବଣ ମଧ୍ୟରେ ପ୍ରଥମ ସମର ଅନୁଷ୍ଠିତ ହୋଇଥିଲା। ଏହା ସାଙ୍ଗକୁ ସେଠାରେ ଆକର୍ଷଣୀୟ ଆତସବାଜୀ ପ୍ରଦର୍ଶନ ସାଙ୍ଗକୁ ବରଗଡର ମେଲୋଡି ଓ ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେଠାରୁ ଉଭୟ ରଥ ସହରର ଅଲଗା ଅଲଗା ରାସ୍ତାଦେଇ ବାଘଗୁଡା ଛକ ଠାରେ ପହଞ୍ଚି ଥିଲା।

ସେଠାରେ ଉଭୟ ସେନା ମଧ୍ୟରେ ଦ୍ୱିତୀୟ ମହାସମର ସହିତ ଆତସବାଜି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେଠାରୁ ରାମଚନ୍ଦ୍ରଙ୍କ ରଥ ମେଡିକାଲ ରାସ୍ତା ଦେଇ ଓ ରାବଣ ରଥ ଗାନ୍ଧୀଛକ,ଭେରବୀଛକ ଓ ଡେଲିମାର୍କେଟ ଦେଇ ଯାତ୍ରା ପଡିଆରେ ପହଂଚିଥିଲେ। ସେଠାରେ ସମସ୍ତ ରାବଣ ସହିତ ପ୍ରଭୁ ଶ୍ରୀରାମଙ୍କ ଘମାଘୋଟ ଯୁଦ୍ଧ ହୋଇଥିଲା। ଯାତ୍ରାପଡିଆରେ ରାମ ରାବଣଙ୍କ ମଧ୍ୟରେ ମହାସମର ସହ ବିଭିନ୍ନ ଭକ୍ତଙ୍କ ଦ୍ୱାରା ଦିଆଯାଇଥିବା ମାନସିକ ବାଣ ଫୁଟିଥିଲା । ପରେ ଯାତ୍ରାର ମୁଖ୍ୟ ମଞ୍ଚରେ ରାବଣ ବଧ ନାଟକ ପରିବେଷଣ ହୋଇଥିଲା। ଏହି ଅବସରରେ ପ୍ରଭୁ ଶ୍ରୀରାମଙ୍କ ଦ୍ୱାରା ବ୍ରହ୍ମାସ୍ତ୍ର ସଂଯୋଗ ପରେ ୩୦ ଫୁଟ ଉଚ୍ଚତା ବିଶିଷ୍ଟ ଦଶ ମୁଣ୍ଡିଆ ରାବଣର ପ୍ରତିକୃତୀ ବିରାଟ ଶବ୍ଦ କରି ଜଳି ଯାଇଥିଲା।

ଯାତ୍ରା ପଡିଆ ଠାରେ ରାମଲୀଳା ନାଟ୍ୟ ସଂସଦର ସଭାପତି ତଥା ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବରେ ବୌଦ୍ଧର ପୂର୍ବତନ ଜିଲାପାଳ ଲଲାଟେନ୍ଦୁ ମିଶ୍ର ଓ ସମ୍ମାନିତ ଅତିଥି ଭାବରେ ନାଟ୍ୟକାର ଗଦାଧର ବାରିକ୍ ଯୋଗଦେଇଥିଲେ। ଅନୁଷ୍ଠାନର ସଂପାଦକ ମନୋଜ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ। ସମର ଶୋଭାଯାତ୍ରାରେ ବଲାଙ୍ଗିର ଓ ବରଗଡର ଘଣ୍ଟବାଦ୍ୟ ଦୁଲଦୁଲି, ଗଂଜାମର ପଶୁମୁଖା ନୃତ୍ୟ,ଦଶାବତାର, ବରଗଡ ଓ ବିନିକାର ଘଣ୍ଟବାଦ୍ୟ, ବୌଦ୍ଧଜିଲାର ଦୁଲଦୁଲି, କଟପା, ଦଣ୍ଡନୃତ୍ୟ, ପରଭା, ଝାଲିଆ ଶବର ନୃତ୍ୟ ଦଳ ସହିତ ବିଭିନ୍ନ ଅଂଚଳର ନାମସଂକିର୍ତନ ମଣ୍ଡଳି ଯୋଗଦେଇଥିଲେ। ଜନଗହଳିକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ଫୋର୍ସ ମୃତୟନ ହୋଇଥିଲା। ଏହି ଯୁଦ୍ଧକୁ ଦେଖିବାକୁ ଜିଲା ଓ ଜିଲା ବାହାରୁ ହଜାର ହଜାର ସଂଖ୍ୟାରେ ଦର୍ଶକ ସମ୍ବିଳିତ ହୋଇଥିଲେ।

Comments are closed.