ପୁନରୁଦ୍ଧାର ହେବ ବୌଦ୍ଧର ପୁରାତନ ଧୂନକେଲୀ ବାଦ୍ୟ
ଜିଲା ସଂଗ୍ରହାଳୟରେ ଦୀକ୍ଷାନ୍ତ ଉତ୍ସବ
ବୌଦ୍ଧ : ଐତିହ୍ୟ ସଂସ୍କୃତି ଓ ପରମ୍ପରାର ଗନ୍ତାଘର ହେଉଛି ବୌଦ୍ଧଜିଲା। ଏହି ପ୍ରବିତ୍ର ବୌଦ୍ଧ ମାଟି କେବଳଯେ ଭଗବାନ ବୁଦ୍ଧଙ୍କ ନାମରେ ସମୃଦ୍ଧ ନୁହେଁ, ଏହି ମାଟି ଅଲେଖ ଧର୍ମର ମହିମା ଗୋସାଇଁ ଓ ଶ୍ରୀଜଗନ୍ନାଥଙ୍କ ଆଦ୍ୟପୀଠ ଭାବରେ ପରିଚିତି ଲାଭ କରିଛି। ଅଷ୍ଟମ ଶତାବ୍ଦୀରେ ଶୈବ ଓ ବୈଷ୍ଣବ ଧର୍ମର ମହାନ ମିଳନସ୍ଥଳ ଗନ୍ଧରାଢୀ ଠାରେ ଗୋଟିଏ ବେଦୀ ଉପରେ ନିର୍ମିତ ସିଦ୍ଧେଶ୍ୱର ଓ ନିଳମାଧବଙ୍କ ମନ୍ଦୀର ବିଶ୍ୱରେ ବିରଳ। ସେହିପରି ନବମ ଶତାବ୍ଦୀରେ ସୋମବଂଶୀମାନଙ୍କ ଦ୍ୱାରା ନିର୍ମିତ (ଅଧୁନା ବୌଦ୍ଧ ସହରର କେନ୍ଦ୍ରସ୍ଥଳରେ ଅବସ୍ଥିତ) ରାମେଶ୍ୱର ମନ୍ଦିର ଏହି ମାଟିର ପୂରାତନ ଗୌରବମୟ ଇତିହାସକୁ ପ୍ରମାଣିତ କରେ। ଗଡଜାତ ଶାସନ କାଳରୁ ବୌଦ୍ଧର ଶାସକ ରାଜାମାନେ କଳା ଓ ସଂସ୍କୃତି ପ୍ରିୟ ଥିଲେ। କଳା ଓ କଳାକାରମାନଙ୍କୁ ଶାସକ ରାଜାମାନେ ସବୁବେଳେ ପ୍ରୋତ୍ସାହନ ଯୋଗାଇଦେବା ସହିତ ବିଭିନ୍ନ ଉତ୍ସବ କରି ପୁରସ୍କୃତ କରୁଥିଲେ।
ସେତେବେଳେ ବାଦ୍ୟଯନ୍ତ୍ର କହିଲେ ସାଧାରଣ ଗ୍ରାମାଞ୍ଚଳରେ ନିର୍ମିତ ଢୋଲ ନିଶାନ ମହୁରୀ ଆଦି ପ୍ରଚଳିତ ଥିଲା। ଏହାରି ମଧ୍ୟରେ ବୌଦ୍ଧ ଗଡଜାତରେ ଜନ୍ମ ନେଇଥିଲା ଧୂନକେଲୀ ବାଦ୍ୟ। ନାମକରଣରୁ ହିଁ ଏହାର ବୈଷିଷ୍ଟ୍ୟ ସ୍ପଷ୍ଟ ଭାବରେ ବାରି ହୋଇପଡେ। ସାଧାରଣରେ ପ୍ରତ୍ୟେକ ଘରେ ଉପଲବ୍ଧ ମାଟିହାଣ୍ଡି,ବାଉଁଶରେ ନିର୍ମିତ କୁଲେଇ ଓ ଧନୂ ଏବଂ ଖଣ୍ଡିଏ ବାଡି ସାହାଯ୍ୟରେ ଏହି ବାଦ୍ୟଯନ୍ତ୍ର ନିର୍ମିତ ହୋଇଥାଏ। ମାଟିହାଣ୍ଡି ମୁହଁରେ କୁଲେଇ ଢଙ୍କାଯାଇ ତାହାରି ଉପରେ ଧନୂକୁ ଚାପି ଧରିବା ପରେ ବାଡି ସାହାଯ୍ୟରେ ଧନୁର ଗୁଣ ଓ ବାଡି ଘର୍ଷଣ ଦ୍ୱାରା ଧୂନକେଲୀ ବାଦ୍ୟରୁ ଶ୍ରୁତିମଧୁର ଶବ୍ଦ ବାହାରିଥାଏ।
ବୌଦ୍ଧଜିଲାର ପ୍ରାୟ ପ୍ରତ୍ୟେକ ଗ୍ରାମରେ କୈଳାଶୀ ଯାତ୍ରା ସମୟରେ ଦେବୀଙ୍କ ଆବାହନ ପାଇଁ ଧୂନକେଲୀ ବାଦ୍ୟ ବାଜିଥାଏ। ଅନ୍ୟ ସମୟରେ ଏହି ବାଦ୍ୟ ଦେବୀଙ୍କ ମନ୍ଦିରରେ ରଖାଯାଇ ପୂବଜାର୍ଚ୍ଚନା କରାଯାଏ। ବିଲୁପ୍ତ ପ୍ରାୟ ଏହି ଧୁନକେଲୀ ବାଦ୍ୟର ପୁନରୁଦ୍ଧାର ପାଇଁ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ବୌଦ୍ଧଠାରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ , ଓଡ଼ିଶା ସଙ୍ଗିତ ନାଟକ ଏକାଡେମୀ ,ବୌଦ୍ଧଜିଲା ପ୍ରଶାସନ ଓ ଜିଲା ସଂକୃତି ପରିଷଦ ଆନୁକୂଲ୍ୟରେ ଚାଲିଥିବା ଲୋକ ସଙ୍ଗିତ ଓ ନୃତ୍ୟ ଉତ୍ସବ ଦେଶଜ ଅବସରରେ ପ୍ରଦର୍ଶିତ ଧୂନକେଲୀ ବାଦ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି।
ଧୂନକେଲୀ ବାଦ୍ୟ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ମୋହିତ କରିଦେଇଥିବାବେଳେ ବିଲୁପ୍ତ ପ୍ରାୟ ଏହି ବାଦ୍ୟର ପୁନରୁଦ୍ଧାର ପାଇଁ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଇ ଜିଲା ସଂଗ୍ରହାଳୟ ପରିସରରେ ଦୀକ୍ଷାନ୍ତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧଜିଲାର ଏହି ପ୍ରାଚୀନ ବାଦ୍ୟ କଳାର ପୁନରୁଦ୍ଧାର ସହିତ ତାଲିମ ପ୍ରଦାନ କରି ଏହାକୁ ମଞ୍ଚ ଉପଯୋଗୀ କରିବା ଦୀକ୍ଷାନ୍ତ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଏହି ଅବସରରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲ୍ଲୀପ କୁମାର ରାଉତରାଏ ପ୍ରକାଶ କରିଛନ୍ତି। ଏହି ଅବସରରେ ଅନ୍ୟତମ ଅତିଥି ଭାବରେ ଜିଲାପାଳ ନୃସିଂହ ଚରଣ ସ୍ୱାଇଁ,ଅତିରିକ୍ତ ଜିଲାପାଳ ଦାରିଦ୍ର୍ୟଭଞ୍ଜନ ମଦନ ମୋହନ ପାତ୍ର,ସଙ୍ଗିତ ନାଟକ ଏକାଡେମୀ ସଚିବ ପ୍ରବୋଧ କୁମାର ରଥ ଏବଂ ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ପ୍ରମୁଖ ଉପସ୍ଥିତ ରହି କଳାକାରମାନଙ୍କୁ ଉତ୍ସାହିତ କରିଥିଲେ।
Comments are closed.