ବୌଦ୍ଧ: ବୁଧବାର ଦିନ ବୌଦ୍ଧ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ସଭାପତି ନିର୍ବାଚନ ଶେଷ ହୋଇଛି। ବିରୋଧୀ ଦଳ ନିର୍ବାଚନ ମଇଦାନରେ ନଥିବାରୁ ଦଳ ଜିତିଥିଲେ ମଧ୍ୟ ଦଳୀୟ ପ୍ରାର୍ଥୀ ପରାଜିତ ହେବା ଦଳୀୟ ସଂଗଠନକୁ ଏକ ଶକ୍ତ ଧକ୍କା ଦେଇଛି। ଅନ୍ୟପଟେ ବୌଦ୍ଧ ଓ କନ୍ଧମାଳ ଜିଲାରୁ ଜଣେ ପ୍ରଭାବଶାଳୀ ମନ୍ତ୍ରୀ, ଜଣେ ପୂର୍ବତନ ମନ୍ତ୍ରୀଙ୍କ ସମେତ ଅନ୍ୟ ୪ ଜଣ ବିଧାୟକ ଥିଲେ ମଧ୍ୟ ଦଳୀୟ ପ୍ରାର୍ଥୀ ସମବାୟ ନିର୍ବାଚନରେ ପରାଜିତ ହୋଇଛନ୍ତି।
ସୂଚନା ମୁତାବକ ଦଳୀୟ ନିଷ୍ପତି ବିରୋଧରେ ଯାଇ ସରସରାର ପୂର୍ବତନ ସରପଞ୍ଚ ଅରୁଣ କୁମାର ପ୍ରଧାନ ସମବାୟ ବ୍ୟାଙ୍କ ସଭାପତି ନିର୍ବାଚନରେ ବିଜୟୀ ହୋଇଛନ୍ତି। ବୌଦ୍ଧ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ଭାବରେ ବୌଦ୍ଧ ଓ କନ୍ଧମାଳ ଜିଲାର ୧୫ ଗୋଟି ଜୋନରୁ ଶାସକ ଦଳର ସମର୍ଥନରେ ୧୫ ଜଣ ନିର୍ଦ୍ଦେଶକ ନିର୍ବାଚିତ ହୋଇଥିଲେ। ସମସ୍ତ ନିର୍ଦ୍ଦେଶକ ଗୋଟିଏ ଦଳର ହୋଇଥିବା ବେଳେ ସଭାପତି ପଦ ପାଇଁ ଏକାଧିକ ଆଶାୟୀ ଥିଲେ। ସେଥିପାଇଁ ଦଳୀୟ ନେତାଙ୍କ ଚିନ୍ତା ବଢ଼ିଯାଇଥିଲା। ଦୁଇ ଦୁଇଜଣ ପର୍ଯ୍ୟବେକ୍ଷକ, ଜଣେ ପ୍ରଭାବଶାଳୀ ମନ୍ତ୍ରୀ ଏବଂ ଉଭୟ ଜିଲାର ବିଧାୟକମାନେ ଥିଲେ ମଧ୍ୟ ଜିଲାସ୍ତରରେ ସଭାପତି ପଦବୀ ପାଇଁ ସମାଧାନ ହୋଇନପାରିବାରୁ ଭୁବନେଶ୍ୱରରେ ରଣନିତି ପ୍ରସ୍ତୁତି ହୋଇଥିଲା। ପୂର୍ବତନ ବୟନିକା ସଭାପତି ଶେଷ କୁମାର ମେହେରଙ୍କ ପୁତୁରା ତଥା ରକ୍ସା ପଞ୍ଚାୟତର ପୂର୍ବତନ ସରପଞ୍ଚ କିଶୋର କୁମାର ମେହେରଙ୍କୁ ଦଳ ପକ୍ଷରୁ ସମବାୟ ବ୍ୟାଙ୍କ ସଭାପତି ଭାବରେ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ଏହାକୁ ନେଇ କିଛି ନିର୍ଦ୍ଦେଶକ ଅସନ୍ତୋଷ ବ୍ୟକ୍ତ କରିଥିଲେ ମଧ୍ୟ ଦଳୀୟ ନିଷ୍ପତି କହି ଏହାକୁ ଅଣଦେଖା କରାଯାଇଥିଲା। ଫଳରେ ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ସରସରା ପଞ୍ଚାୟତର ପୂର୍ବତନ ସରପଞ୍ଚ ଅରୁଣ କୁମାର ପ୍ରଧାନଙ୍କୁ ପ୍ରାର୍ଥୀ କରାଯାଇଥିଲା। ନିର୍ବାଚନରେ ଜଣେ ନିର୍ଦ୍ଦେଶକ ଅନୁପସ୍ଥିତ ଥିବାବେଳେ ଉଭୟ ପ୍ରାର୍ଥୀ ୭ ଜଣ ନିର୍ଦ୍ଦେଶକଙ୍କ ଭୋଟ ପାଇଥିଲେ। ଶେଷରେ ଧର୍ମଗୁଳା ଅରୁଣଙ୍କ ସପକ୍ଷରେ ଯାଇଥିଲା। ଦଳର ବିଦ୍ରୋହୀ ପ୍ରାର୍ଥୀ ବିଜୟୀ ହୋଇଥିଲେ ମଧ୍ୟ ଦଳୀୟ ପ୍ରାର୍ଥୀ ସମବାୟ ନିର୍ବାଚନରେ ପରାଜିତ ହେବା ନିର୍ବାଚିତ ସଦସ୍ୟଙ୍କ ସହମତି ବିନା ପ୍ରାର୍ଥୀ ଲଦିଦେବା ଦଳ ପାଇଁ ମହଙ୍ଗା ପଡ଼ିଥିବା ରାଜନୈତିକ ମହଲରେ ଆଲୋଚନା ହେଉଅଛି।



