ବୌଦ୍ଧ: ବୌଦ୍ଧ ଅବକାରୀ ବିଭାଗ ପକ୍ଷରୁ ଦୁଇଟି ବାଇକ ସହ ୧୦ କିଲୋ ଗଂଜେଇ ଜବତ କରାଯାଇଥିବା ସହ ୩ ଜଣଙ୍କୁ ଗିରଫ କରିଛି। ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଗଂଜେଇ ଚାଲାଣ ହେଉଥିବା ଖବର ପାଇ ବୌଦ୍ଧ ସହର ନିକଟସ୍ଥ ରଇଠାଣି ବାଇପାସ ଠାରେ ସୋମବାର ଦିନ ସକାଳେ ଛକି ରହିଥିଲେ। ଏହି ସମୟରେ ଦୁଇଗୋଟି ମଟର ସାଇକେଲରେ ୩ ଜଣ ଯୁବକ ଆସିଥିଲେ ଓ ସେମାନଙ୍କୁ ଅବକାରୀ ବିଭାଗ ପକ୍ଷରୁ ତନଖି କରାଯାଇଥିଲା। ୩ ଜଣ ଯୁବକ ମଟରସାଇଲେର ତେଲ ଟାଙ୍କିକୁ ସ୍ୱତନ୍ତ୍ର ଭାବେ ନିର୍ମିତ କରି ଟାଙ୍କି ତଳେ ଗଂଜେଇ ଚାଲାଣ କରୁଥିଲେ। ଅବକାରି ବିଭାଗ କର୍ମଚାରୀ ମାନେ ଦୁଇଗୋଟି ମଟର ସାଇକେଲରୁ ୧୦ କେଜି ଗଂଜେଇ ଜବତ କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ୩ ଅଭିଯୁକ୍ତ ହେଲେ ଛତିଶଗଡ଼ ରାଜ୍ୟ ମହାସମୁଦ ଜିଲା ସଙ୍କରା ଓ ସିଙ୍ଗଗୋଡା ଥାନାର ପୁକ୍ତା ଓ କଟଙ୍ଗାତରାଇ ଗ୍ରାମର କୁନ୍ଦନ କୁଲଦୀପ (୨୩), ଦୟାନିଧି ସାହୁ( ୩୪) ଓ ସୁମନ୍ତ ସାହୁ (୩୪)। ଏନେଇ ଅବକାରୀ ବିଭାଗ ପକ୍ଷରୁ ଦୁଇଟି ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି। ଚଢାଉରେ ଅବକାରୀ ଇନିସପେକଟର ସାଗରିକା ପ୍ରଧାନ, ଏଏସଆଇ ରୁପେଶ ମୁଖୀ, କନେଷ୍ଟବଳ ଜୟନ୍ତ ପ୍ରଧାନ, ଲୋକନାଥ ଭୋଇ, କୈଳାଶ ଚନ୍ଦ୍ର ସାହୁ ପ୍ରମୁଖ ସାମିଲ ଥିଲେ।
Popular Categories



