ୱାନଷ୍ଟପ ସେଣ୍ଟର ଓ ସଖୀ କେନ୍ଦ୍ରରେ କର୍ମଶାଳା

ବୌଦ୍ଧ : ବୌଦ୍ଧଜିଲା ପ୍ରଶାସନର ସହଯୋଗକ୍ରମେ ଜିଲାରେ କାର୍ଯ୍ୟକାରୀ ହେଉଥିବା ମହିଳା ଏବଂ ଶିଶୁଙ୍କୁ ସମସ୍ତ ପ୍ରକାର ସହାୟତା ଏବଂ ସୁରକ୍ଷା ପ୍ରଦାନକାରୀ ୱାନଷ୍ଟପ ସେଣ୍ଟର ତଥା ସଖି କେନ୍ଦ୍ର ତରଫରୁ ଜିଲାରେ ପିଡିତା ମହିଳା ଏବଂ ଶିଶୁଙ୍କୁ ସୁରକ୍ଷା ଏନଂ ନ୍ୟାୟ ପ୍ରଦାନ କରାଇବାରେ ପୁଲିସ ବିଭାଗ ଏବଂ ସ୍ୱାସ୍ଥ୍ୟ ବିଭାଗର କଣ ସବୁ ଭୂମିକା ଓ ଦାୟିତ୍ୱ ରହିଛି ତାହା ଉପରେ ବୌଦ୍ଧ ଟାଉନହଲଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶ ଏବଂ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରବିନ୍ଦ୍ର କୁମାର ରାଉତ,ଏଡିଏମଓ ମେଡିକାଲ ଡା. ସଂଘମିତ୍ରା ପଣ୍ଡା ଏବଂ ଜିଲା ବାଲ୍ୟ ବିବାହ ନିଷେଧ ସଂଯୋଜିକା ପ୍ରବିଜ୍ଞା ଦାଶ ପ୍ରମୁଖ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସଖୀ କେନ୍ଦ୍ରର ଆଇନ ପରାମର୍ଶଦାତା ଅମ୍ରିତ କୁମାର ପ୍ରଧାନ ଯୋଗଦେଇ ସଖୀ କେନ୍ଦ୍ର ସ୍ଥାପନାର ଉଦ୍ଦେଶ୍ୟ ଏବଂ କାର୍ଯ୍ୟକାରୀତା ସଂପର୍କରେ ଆଲୋକପାତ କରିଥିଲେ। ଏଡିଏମଓ ମେଡିକାଲ ଡା. ଶ୍ରୀମତୀ ପଣ୍ଡା ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ପୋକ୍ସୋ ଆଇନ ବିଷୟରେ ଆଲୋକପାତ କରାଇବା ସହିତ ଶିଶୁମାନଙ୍କ ପ୍ରତି ବିଭିନ୍ନ ପ୍ରକାର ହିଂସାକୁ ପୃଥକ ପୃଥକ ଭାବରେ ବୁଝାଇ ଉକ୍ତ ହିଂସା ବା ନିର୍ଯ୍ୟାତନା କାର୍ଯ୍ୟକୁ ପୁଲିସ ବିଭାଗ ତରଫରୁ କିଭଳି ଭାବରେ ତାଙ୍କର ଶିଶୁସୁଲଭ ଜୀବନଶୈଳୀକୁ ପ୍ରଭାବିତ ନକରି ସୁରକ୍ଷିତ ପରିବେଶ ଯୋଗାଇଦିଆଯାଇପାରିବ ବୁଝାଇଥିଲେ।

ଜିଲା ବାଲ୍ୟ ବିବାହ ନିଷେଧ ପରାମର୍ଶଦାତ୍ରୀ ଶ୍ରମତୀ ଦାଶ ସ୍ୱତନ୍ତ୍ର ଭାବରେ ଲିଙ୍ଗଗତ ହିଂସା,ମହିଳାମାନଙ୍କ ପ୍ରତି ହେଉଥିବା ହିଂସାକୁ ବିଶ୍ଲେଷଣ କରାଇବା ସହ ଏହି ପରିପ୍ରେକ୍ଷୀରେ କିଭଳି ଭାବରେ ଉଭୟ ସ୍ୱାସ୍ଥ୍ୟ ଏବଂ ପୁଲିସ ବିଭାଗ ସମନ୍ୱୟ ରକ୍ଷା କରିବାର ସଖୀ କେନ୍ଦ୍ରର ଭୂମିକା ରହିଛି ବୁଝାଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଡା. ଦାଶ ସଖୀ କେନ୍ଦ୍ରର ଉଜ୍ଜଳ ଭବିଷ୍ୟତ କାମନା କରି ଉଭୟ ପୁଲିସ ବିଭାଗ ଏବଂ ସ୍ୱାସ୍ଥ୍ୟ ବିଭାଗକୁ ସଖୀ କେନ୍ଦ୍ରକୁ ଆସୁଥିବା ପିଡିତାଙ୍କୁ କିଭଳି ଭାବରେ ଅଧିକରୁ ଅଧିକ ସହାୟତା ଯୋଗାଇ ଦିଆଯାଇପାରିବ ସେ ସଂପର୍କରେ ଆହ୍ୱାନ ଜଣାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲା ପ୍ରଶାସନ ତରଫରୁ ଜିଲା ବାଲ୍ୟ ବିବାହ ପରାମର୍ଶଦାତ୍ରୀ ଶ୍ରୀମତୀ ଦାଶ ସ୍ୱାଗତ କରିଥିବାବେଳେ ସଖୀ କେନ୍ଦ୍ର ପରିଚାଳିକା ତଦଶା ମାଝୀ କାର୍ଯ୍ୟକ୍ରମର ପ୍ରସଙ୍ଗ ଉପସ୍ଥାପନା କରିବା ସହ ଧନ୍ୟବାଦ ପ୍ରଦାନ କରିଥିଲେ।

Comments are closed.