ଶିକ୍ଷକ ପଦବୀ ପୂରଣ ଦାବୀରେ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ବୌଦ୍ଧ: ବୌଦ୍ଧ ଜିଲାରେ ଶିକ୍ଷା ବିଭାଗରେ ଶିକ୍ଷକ ବଦଳିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଆସୁଥିବାବେଳେ ଜିଲାରେ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ନକଲି ସାର୍ଟିଫିକେଟ ଦେଇ ମଧ୍ୟ ଚାକିରି କରୁଥିବା ଜଣାପଡିଛି। ଜିଲାରେ ଶିକ୍ଷା ବ୍ୟବସ୍ଥା ଏକ ପ୍ରକାର ଭୁଶୁଡିପଡିଥିବା ବେଳେ ଶିକ୍ଷକ ସମସ୍ୟା ଲାଗି ରହିଥିବା ନେଇ ବହୁ ସମୟରେ ଅଭିଭାବକ ଓ ବିଦ୍ୟାଳୟ କମିଟି ଗୁଡିକ ପକ୍ଷରୁ ବିଦ୍ୟାଳୟରେ ଆଗରେ ଧାରଣା ଦିଆଯାଉଅଛି। ଜିଲାରେ ହରଭଙ୍ଗା ବ୍ଳକରେ ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକ ସମସ୍ୟା ନେଇ ଗୁରୁବାର ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ସୂଚନା ମୁତାବକ ବୀରନରସିଂହପୁର ପଞ୍ଚାୟତର କରଡି ୟୁଜିଏମଇ ବିଦ୍ୟାଳୟ, ମଥୁରା ପଞ୍ଚାୟତର ମଥୁରା ବିଦ୍ୟାଳୟ ଓ ସାମ୍ପୋଚ ପଞ୍ଚାୟତର ଫକୀରପୁର ବିଦ୍ୟାଳୟରେ ଶିକ୍ଷକ ପଦବୀ ଖାଲି ପଡିଥିବା ନେଇ ଉକ୍ତ ବଦ୍ୟାଳୟ ଗୁଡିକର ପରିଚାଳାନା କମିଟି, ଅଭିଭାବକମାନେ ଓ ୭ ନଂ ଜୋନ ଜିଲା ପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ର ବୌଦ୍ଧ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ପୁର୍ବରୁ ଶିକ୍ଷକ ଯୋଗାଇଦେବା ପାଇଁ ଜିଲା ପରିଷଦ ସଭ୍ୟ ଶ୍ରୀ ମିଶ୍ର ଜିଲା ଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନପାଇବାରୁ ଶେଷରେ ବିଦ୍ୟାଳୟଗୁଡିକର ପରିଚାଳନା କମିଟି ସଦସ୍ୟଙ୍କ ସହିତ ଧାରଣା ଦେଇଥିଲେ। ଜିଲା ଶିକ୍ଷା ଅଧିକାରୀ ଆସନ୍ତା ୨୫ ତାରିଖ ସୁଧା ଖାଲିଥିବା ଶିକ୍ଷକ ପଦବୀ ପୂରଣ କରିବାକୁ ଲିଖିତ ଭାବେ ପ୍ରତିଶ୍ରୁତି ଦେବାପରେ ଧାରଣାରୁ ଆନ୍ଦୋଳନକାରୀ ହଟିଯାଇଥିଲେ। ଏହି ଧାରଣାରେ ଜିଲା ପରିଷଦ ସଭ୍ୟ ଶ୍ରୀ ମିଶ୍ରଙ୍କ ସମେତ ଅଷ୍ଟମ ଚକ୍ର ଦେହୁରୀ, ନିରୋଦ ସାହୁ, ରଞ୍ଜନ ପ୍ରଧାନ, ବିଜୟ ରଣା, ଅମର ଦନ୍ତା, ଦୁଲିଆ ସେଠୀ, ଏକାଦଶୀ ସେଠୀ, ମଞ୍ଜୁ ସେଠୀ, ବାସନ୍ତୀ ଦେହୁରୀ, ସ୍ୱସ୍ତିକା ସାହୁ, ମମତା ମେହେର, ଶର୍ମିଷ୍ଠା ପ୍ରଧାନ, ଭାର୍ଗବୀ ପାତ୍ର ପ୍ରମୁଖ ସାମିଲ ଥିଲେ।

Comments are closed.