ବୌଦ୍ଧ: ବୌଦ୍ଧ ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ କଚେରୀ ପଡିଆଠାରେ ଜିଲ୍ଲାସ୍ତରୀୟ ୭୬ ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି। ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ମୁଖ୍ୟଅତିଥି ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇ ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଗମନାଗମନ, ରେଳ ଚଳାଚଳ, ପରିବେଶ, ଗ୍ରାମ୍ୟ ପାଠାଗାର, ସ୍କୁଲର ଜମିପଟ୍ଟା, ଇକୋପାର୍କ ଆଦି କାର୍ଯ୍ୟର ଅଗ୍ରଗତି ସମ୍ପର୍କିତ ତଥ୍ୟ ପ୍ରଦାନ କରିବା ସହ ଜନସାଧାରଣଙ୍କ ସହଯୋଗ ଆହ୍ଵାନ କରିଥିଲେ।
ଉତ୍ସବରେ ପଞ୍ଚମ ଆଇଆରବି ବାଟାଲିଆନ ଓ ଜିଲ୍ଲା ପୋଲିସର ଦୁଇଟି ପ୍ଲାଟୁନ ପ୍ୟାରେଡରେ ଭାଗ ନେଇଥିଲେ। ମୁଖ୍ୟଅତିଥିଙ୍କ ସହ ନୂତନ ଅରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନା ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ। ପ୍ୟାରେଡ କମାଣ୍ଡର ମଧୁସୂଦନ ମହାପାତ୍ରଙ୍କ ନେତୃତ୍ୱରେ ପୋଲିସ ଓ ଆଇ.ଆର.ଆବି ଯବାନମାନେ ଜାତୀୟ ପତାକାକୁ ସମ୍ମାନ ପ୍ରଦର୍ଶନ କରିଥିଲେ। ପ୍ୟାରେଡ କମାଣ୍ଡର ଶ୍ରୀ ମହାପାତ୍ର ପ୍ୟାରେଡ ପରିଚାଳନା କରିଥିବା ବେଳେ ସେକେଣ୍ଡ ଇନ କମାଣ୍ଡର ଭାବରେ ଦୁଷ୍ମନ୍ତ କୁମାର ସାହୁ ସହଯୋଗ କରିଥିଲେ। ଜିତେନ୍ଦ୍ର ପାଣ୍ଡେ ଓ ତାଙ୍କର ସାଥି ପୁଲିସ ବ୍ୟାଣ୍ଡ ବାଦନ ସହ ଜାତୀୟ ସଙ୍ଗୀତର ଧୁନ ପରିବେଷଣ କରିଥିଲେ। କୃତୀ ପ୍ରତିଭାମାନଙ୍କ ମଧ୍ୟରେ ୨୦୨୨ ମାଟ୍ରିକ ଟପ୍ପର ଅନୁସ୍କା ଅଗ୍ରୱାଲାଙ୍କୁ ସମାଜସେବୀ ମାତାଦିନ ଅଗ୍ରୱାଲାଙ୍କ ପକ୍ଷରୁ ସ୍ୱର୍ଗତ ରାମେଶ୍ୱର ଲାଲ ମେଧାବୀ ଛାତ୍ରବୃତ୍ତି ୧୦ ହଜାର ଟଙ୍କା ସହ ମାନପତ୍ର ଓ ଟ୍ରଫି ମୁଖ୍ୟଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ଏଥି ସହିତ ଗୃହରକ୍ଷୀ ବାବୁଲି ହାତୀ ଓ ଉମେଶ ନାଏକଙ୍କୁ ଉତ୍ତମ ସେବା ନିମିତ୍ତ ଡି.ଜି ପଦକ ଓ ପ୍ରଶଂସାପତ୍ର ଜିଲ୍ଲା ପ୍ରଶାସନ ପକ୍ଷରୁ ମୁଖ୍ୟଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା।



