ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପରେ କ୍ଷତିଗ୍ରସ୍ତ ପୁରୁଣାପାଣି ଖଇରମାଳ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବି

ବୌଦ୍ଧ: ବୌଦ୍ଧଜିଲାରେ ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିବାବେଳେ ସାଧାରଣଲୋକ ଏହାକୁ ସ୍ୱାଗତ କରିଛନ୍ତି। ଗ୍ରାମାଞ୍ଚଳରେ ଲୋକମାନେ ରେଳ ପ୍ରକଳ୍ପ ନିର୍ମାଣ କରୁଥିବା ସଂସ୍ଥାଗୁଡିକୁ ସହଯୋଗ କରୁଥିବା ମଧ୍ୟ ଦେଖାଯାଇଛି। କିନ୍ତୁ ଜିଲାର ପୁରୁଣାପାଣି ଗ୍ରାମବାସୀମାନେ ରେଳପ୍ରକଳ୍ପ ନିର୍ମାଣକୁ ସ୍ୱାଗତ କରୁଥିଲେ ମଧ୍ୟ ଏହି ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ରାସ୍ତା ତୁରନ୍ତ ନିର୍ମାଣ ପାଇଁ ଦାବି କରିଛନ୍ତି। ସୂଚନା ମୁତାବକ ପୁରୁଣାପାଣି ଓ ଖଇରମାଳା ରାସ୍ତା ଉପରେ ରେଳଲାଇନ ନିର୍ମାଣ କରାଯାଉଥିବାବେଳେ ଏହି ରାସ୍ତା ଦେଇ ପ୍ରତିଦିନ ଯାତାୟତ କରୁଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।

prayash

ପ୍ରକାଶଥାଉକି ପୁରୁଣାପାଣି ଗ୍ରାମ ନିକଟଦେଇ ରେଳଲାଇନ ନିର୍ମାଣ କରାଯାଉଥିବାବେଳେ ଗ୍ରାମବାସୀଙ୍କ ଜମିବାଡି ମଧ୍ୟ ଏହି ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି। ତେବେ ଅନେକ ଗ୍ରାମବାସୀଙ୍କ ଜମିବାଡି ଗ୍ରାମଠାରୁ କିଛି ଦୂରରେ ରହିଥିବାବେଳେ ଜମି ଓ ଗ୍ରାମ ମଧ୍ୟରେ ରେଳ ଲାଇନ ନିର୍ମାଣ ଯୋଗୁଁ ଜମିକୁ ଯିବାକୁ ଆଉ ଅନ୍ୟ କୌଣସି ରାସ୍ତା ନାହିଁ। ତେଣୁ ଗ୍ରାମବାସୀମାନେ ରେଳ ଲାଇନ ନିର୍ମାଣ କରୁଥିବା ଠିକା ସଂସ୍ଥାକୁ ଜମିକୁ ଯିବା ପାଇଁ ରାସ୍ତା ପ୍ରଦାନ କରିବାକୁ ନିବେଦନ କରିଥିଲେ। ଏନେଇ ଠିକା ସଂସ୍ଥା ଓ ଗ୍ରାମବାସୀଙ୍କ ମଧ୍ୟରେ ସହମତି ହେବା ସହିତ ଏକ ଚୁକ୍ତି ମଧ୍ୟ ହୋଇଥିଲା। କିନ୍ତୁ ରେଳ ଲାଇନ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ରାସ୍ତା ନିର୍ମାଣ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ଗ୍ରାମବାସୀମାନେ ଏନେଇ ଜିଲାପାଳଙ୍କୁ ଅଭିଯୋଗ କରିଥିଲେ। ଜିଲାପାଳ ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହୋଇପାରିନାହିଁ। ଗ୍ରାମବାସୀମାନେ ରାସ୍ତା ନିର୍ମାଣ ନକରିବା ପୂର୍ବରୁ ରେଳଲାଇନ ନିର୍ମାଣକୁ ବିରୋଧ କରିବାରୁ ପୋଲିସ ସହାୟତାରେ ଠିକାସଂସ୍ଥା ନିର୍ମାଣ କାର୍ଯ୍ୟ ଜାରି ରଖିଥିବା ଅଭିଯୋଗ କରିଛନ୍ତି। ତେଣୁ ଆସନ୍ତା ୧୦ ଦିନ ମଧ୍ୟରେ ଏହାର ସ୍ଥାୟି ସମାଧାନ କରାନଗଲେ ଗ୍ରାମବାସୀମାନେ ଅନଶନରେ ବସିବା ସହିତ ଆଇନ ହାତକୁ ନେବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି। ଗୁରୁବାର ଗ୍ରାମବାସୀଙ୍କ ପକ୍ଷରୁ ଏନେଇ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଥିବା ଜଣାଯାଇଛି।

kalyan agarbati

Comments are closed.