ଟ୍ରକ୍ ରୁ ମାର୍ବଲ ଓହ୍ଲାଇବାବେଳେ ଚାପି ହୋଇ ଦୁଇ ଶ୍ରମିକ ମୃତ
କ୍ଷତିପୂରଣ ଦାବିରେ ଶବ ରଖି ଜାତୀୟ ରାଜପଥ ଅବରୋଧ
ବୌଦ୍ଧ : ବୌଦ୍ଧରେ ଟ୍ରକରୁ ମାର୍ବଲ ଓହ୍ଳାଇବାବେଳେ ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ ଶୁକ୍ରବାର ସକାଳ ପ୍ରାୟ ୯ ଘଣ୍ଟା ସମୟରେ ଶମ୍ବୁ ପ୍ରସାଦ ଅଗ୍ରୱାଲାଙ୍କ ଘର ନିର୍ମାଣ ପାଇଁ ଆସିଥିବା ମାର୍ବଲକୁ ଟ୍ରକରୁ ଓହ୍ଳାଉଥିବାବେଳେ ବୌଦ୍ଧ ବାପୁଜିନଗରର ପଂଚାନନ ନାଏକ ଓ ଅନଗୁଳ ଜିଲା ଆଠମଲ୍ଲିକ ମହେନ୍ଦ୍ରପୁର ଗ୍ରାମର ବିଶ୍ୱାମିତ୍ର ଦେହୁରୀ ମାର୍ବଲରେ ଚାପି ହୋଇ ଘଟଣାସ୍ଥଳରେହିଁ ଉଭୟଙ୍କ ମୃତ୍ୟୁ ହୋଇଯାଇଥିଲା। ବୌଦ୍ଧ ପୁଲିସ ,ଅଗ୍ନିଶମ କର୍ମଚାରୀ ଓ ସ୍ୱେଛାସେବୀମାନେ ଦୀର୍ଘ ୩ ଘଣ୍ଟା କାଳ ଉଦ୍ୟମ କରିଥିଲେ ମଧ୍ୟ ଟ୍ରକ ଭିତରେ ମାର୍ବଲ ମଝିରେ ଚାପି ହୋଇଥିବା ଦୁଇ ଶ୍ରମିକଙ୍କ ଶବକୁ ଉଦ୍ଧାର କରିପାରିନଥିଲେ। ଶେଷରେ ଜେସିପି ସାହାଯ୍ୟରେ ଟ୍ରକର ଡାଲା ଭାଙ୍ଗି ମାର୍ବଲ କଢାଯିବା ପରେ ଶବକୁ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ବାପୁଜୀନଗର ବାସୀନ୍ଦାମାନେ ଉତ୍ୟକ୍ତ ହୋଇ ମୃତ ଶ୍ରମିକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ କରିଥିଲେ। ପୁଲିସ ପକ୍ଷରୁ ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରାଯାଇ ଗାଡିମାଲିକ ଓ ଘର ମାଲିକଙ୍କୁ ଡାକି ଥାନାରେ ଆଲୋଚନା କରାଯାଇ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବାକୁ ପ୍ରତିଶ୍ରୁତି ଦିଆଯିବା ପରେ ରାସ୍ତା ଅବରୋଧ ହଟିଥିଲା ଓ ମୃତ ଶ୍ରମିକଙ୍କ ଶବକୁ ବ୍ୟବଛେଦ ପାଇଁ ପୁଲିସ ପଠାଇଥିଲା।
Comments are closed.