ସିସିଟିଭିରେ କଏଦ୍‌, ପୁଲିସର ମିଶନ ଉଦ୍ଧାରକୁ ଉପହାସ-ଦାଦନ ସର୍ଦ୍ଦାରଙ୍କଠୁ ଏସ୍ଆଇ ନେଇଛନ୍ତି ଟଙ୍କା!

-ସର୍ବସାଧାରଣ ହେଲା ସିସି ଟିଭି ଫୁଟେଜ୍  ବଲାଙ୍ଗିର ପୁଲିସ ଛବିରେ କାଳିମା

ବଲାଙ୍ଗିର:ବଲାଙ୍ଗିର ଜିଲା ପୁଲିସ ଗୋଟିଏ ପରେ ଗୋଟିଏ ଘଟଣାରେ ଅପନିନ୍ଦିତ ହେବାରେ ଲାଗିଛି। ଜିଲା ମୁଖିଆ ବିଭାଗକୁ ସ୍ବଚ୍ଛ କରିବାକୁ ଯେତେ​‌ଉଦ୍ୟମ କଲେ ବି ତଳିଆ ବାବୁମାନଙ୍କ କାରନାମା ପୁଲିସ ପାଇଁ ବଦନାମ ଆଣି ଦେଉଛି। ବେଆଇନ ଦାଦନ ଶ୍ରମିକ ଚାଲାଣ ରୋକିବା ପାଇଁ ଜିଲାର ଦାଦନ ପ୍ରବଣ ଅଞ୍ଚଳରେ ‘ମିଶନ ଦାଦନ ଉଦ୍ଧାର’ କାର‌୍ୟ୍ୟକ୍ରମ ହେଉଛି। ତେବେ ଜଣେ ଦାଦନ ସର୍ଦ୍ଦାରଠାରୁ ପୁଲିସ ଏସ୍ଆଇ ବାବୁ ଲାଞ୍ଚ ନେବା ସିସି ଟିଭି ଫୁଟେଜ୍ ସର୍ବସାଧାରଣରେ ପ୍ରସାରିତ ହେବାରେ ଲାଗିଛି। ଯାହାକୁ ନେଇ ପୁଲିସ ଲୋକହସା ଓ ସମାଲୋଚନାର ଶରବ୍ୟ ହୋଇଚାଲିଛି।
ବଲାଙ୍ଗିର ଏସପି ନୀତିନ କୁଶଲକର ଏଥର ବେଆଇନ ଦାଦନ ଶ୍ରମିକ ଚାଲାଣ ରୋକିବା ପାଇଁ ମିଶନ ଦାଦନ ଉଦ୍ଧାର କାର‌୍ୟ୍ୟକ୍ରମ ଆରମ୍ଭ କରିଥିଲେ। ଲୋକଙ୍କୁ ସଚେତନ କରାଯିବା ସହ ବେଆଇନ ଚାଲାଣ ହେଉଥିବା ଶ୍ରମିକଙ୍କୁ ଉଦ୍ଧାର କରି ଘରକୁ ପଠାଉଥିଲେ। ଜିଲାର ପାଟଣାଗଡ, ଖପ୍ରାଖୋଲ, କଣ୍ଟାବାଞ୍ଜି, ତୁରେକେଲା, ମୁରିବାହାଲ, ବେଲପଡ଼ା, ଟିଟିଲାଗଡ ଥାନାରେ ଶତାଧିକ ଶ୍ରମିକଙ୍କୁ ଉଦ୍ଧାର ହୋଇ ସାରିଛନ୍ତି ଓ ଚାଲାଣକାରୀ ସର୍ଦ୍ଦାରଙ୍କୁ ଗିରଫ କରାଯାଇଛି। ତେବେ ଦାଦନ ପ୍ରସଙ୍ଗକୁ ନେଇ ନୂଆ କଥା ସାମ୍ନାକୁ ଆସିଛି। ସୂଚନା ଅନୁସାରେ, ତୁରେକେଲା ଥାନା ଝରନି ଗାଁର ନରେନ୍ଦ୍ର ବଛା। ସେ ଦୀର୍ଘ ବର୍ଷରୁ ବେଆଇନ ଭାବେ ରାଜ୍ୟ ବାହାରକୁ ଶ୍ରମିକ ଚାଲାଣ କରିଥାନ୍ତି। ସୋମବାର ରାତିରେ ଶ୍ରୀ ବଛା ବେଆଇନ ଭାବେ ଶ୍ରମିକ ଚାଲାଣ କରୁଥିଲେ। ତୁରେକେଲା ପୁଲିସ ଚାଲାଣ ହେଉଥିବା ଶ୍ରମିକଙ୍କୁ ଉଦ୍ଧାର କରି ଘରକୁ ଫେରାଇ ଦେଇଥିଲା। ଏହାପରେ ତଥ୍ୟ ପ୍ରମାଣ ସହ ଅନେକ କଥା ସାମ୍ନାକୁ ଆସିଛି।
ସୋମବାର ଦିନ ସାଢେ ୩ଟା ବେଳେ ସର୍ଦ୍ଦାର ଶ୍ରୀ ବଛା ତୁରେକେଲା ଥାନା ଏସ୍ଆଇ ଦୀପକ ଡୁଙ୍ଗଡୁଙ୍ଗ(ସାଧା ପୋଷାକରେ ଥିବା)ଙ୍କୁ ତୁରେକେଲାର ଏକ ଦୋକାନ ସମ୍ମୁଖରେ ୧୨ହଜାର ଟଙ୍କା ଦେଇଥିଲେ। ଶ୍ରମିକଙ୍କୁ ରାଜ୍ୟ ବାହାରକୁ ଚାଲାଣ କରିପାରିବେ ଓ ଏସ୍ଆଇ ଶ୍ରୀ ଡୁଙ୍ଗଡୁଙ୍ଗ ସୁରକ୍ଷା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସୋମବାର ରାତିରେ ସର୍ଦ୍ଦାର ଶ୍ରୀ ବଛା ଚାଲାଣ କରୁଥିବା ଶ୍ରମିକଙ୍କୁ ତୁରେକେଲା ପୁଲିସ ଧରିଥିଲା। ଏହାପରେ ଶ୍ରୀ ବଛା ଏସ୍ଆଇ ଶ୍ରୀ ଡୁଙ୍ଗଡୁଙ୍ଗଙ୍କୁ ଫୋନ୍ କରିଥିଲେ। କିନ୍ତୁ ସେପଟୁ ଶ୍ରୀ ଡୁଙ୍ଗଡୁଙ୍ଗ ଫୋନ୍ ଉଠାଇ ନଥିଲେ। ମଙ୍ଗଳବାର ଏସ୍ଆଇ ଶ୍ରୀ ଡୁଙ୍ଗଡୁଙ୍ଗ ଟଙ୍କା ନେଉଥିବାର ସିସି ଟିଭି ଫୁଟେଜ୍ ସର୍ବସାଧାରଣ ହୋଇଥିଲା। ଶ୍ରୀ ବଛା ଦାଦନ ଶ୍ରମିକ ଚାଲାଣ ପାଇଁ ଟଙ୍କା ଦେଇଥିବା ସ୍ବୀକାର କରିଛନ୍ତି। ଏସଂପର୍କରେ ତୁରେକେଲା ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତିଙ୍କୁ ଯୋଗାଯୋଗ କରାଯାଇଥିଲା। ଶ୍ରୀ ଶାନ୍ତି ଶ୍ରମିକ ଉଦ୍ଧାର କରାଯାଇ ନଥିବା କହିଥିଲେ। ପ୍ରସାରିତ ହେଉଥିବା ସିସି ଟିଭି ଫୁଟେଜ୍ ସଂପର୍କରେ ତାଙ୍କ ପାଖରେ କିଛି ଖବର ନାହିଁ। ଅଭିଯୋଗ ଆସିଲେ ଏସପିଙ୍କୁ ଜଣାଇବୁ ବୋଲି କହିଥିଲେ।
ସୂଚନାଯୋଗ୍ୟ ଯେ, କିଛି ମାସ ମଧ୍ୟରେ ବଲାଙ୍ଗିର ପୁଲିସ ଗୋଟିଏ ପରେ ଗୋଟିଏ ଘଟଣାରେ ନିନ୍ଦିତ ହେଇ ଚାଲିଛି। କଣ୍ଟାବାଞ୍ଜି ଥାନାରେ ସର୍ଦ୍ଦାରଙ୍କୁ ଜୁଆଡି ସଜାଇବା। ଜବତ ଟଙ୍କାରେ ହେରଫେର ସହ ଏସଡିପିଓ ଡ.ହୃଷିକେଶ ମେହେର ନିଲମ୍ବିତ ହୋଇଥିଲେ। ସେହିପରି ମଦ ଜବତ କରି ବିକ୍ରି କରୁଥିବା ଘଟଣାରେ ୩ କନେଷ୍ଟବଳ ନିଲମ୍ବିତ। ଦେଓଗାଁ ଥାନା ବନ୍ଧପଡ଼ା ଫାଣ୍ଡିରେ ସିଂହାମୁଣ୍ଡା ଗାଁ ସୁରେଶ ସାହୁଙ୍କୁ ଫାଣ୍ଡି ଅଧିକାରୀ ସରୋଜ ରଥ ମାଡ ମାରିଥିଲେ। ଶ୍ରୀ ରଥଙ୍କୁ ଦାୟିତ୍ବରୁ ଅପସାରିତ କରି ମୁଖ୍ୟାଳୟକୁ ଅଣାଯାଇଥିଲା। ଲୋଇସିଂହା ଥାନା ସାଲେଭଟା ଫାଣ୍ଡିରେ ବୃଦ୍ଧ ଅନିରୁଦ୍ଧ ସାହୁଙ୍କୁ ଧାନ କଟାକୁ ନେଇ ଫାଣ୍ଡି ଅଧିକାରୀ ସୁଶାନ୍ତ ଭୋଇ ଚଟକଣି ମାରିଥିବା ଘଟଣା ମନରୁ ଲିଭି ନାହିଁ। ଆଉ ବେଆଇନ ଦାଦନ ଶ୍ରମିକ ଚାଲାଣକୁ ସୁରକ୍ଷା ଦେବା ପାଇଁ ଏସ୍ଆଇ ବାବୁ ଟଙ୍କା ନେବା ଭିଡିଓ ବଲାଙ୍ଗିର ପୁଲିସ ପାଇଁ ଆଉ ଏକ କଳାଫର୍ଦ୍ଦ।

Comments are closed.