ବଲାଙ୍ଗିର: ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ବିଡ଼ଘାଟ ଛକ ନିକଟରେ ଶୁକ୍ରବାର ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ରାସ୍ତାକଡ଼ରେ ସାଙ୍ଗମାନଙ୍କ ସହ କଥା ହେଉଥିବା ବେଳେ ୨ ଜଣ ସାଙ୍ଗଙ୍କ ଉପରେ ମାଡ଼ି ଚାଲିଗଲା ଟ୍ରକ। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣକ ହେଲେ ବଲାଙ୍ଗିର ସାଗରପଡାର ହିମାଂଶୁ ସେଠ। ହିମାଂଶୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ସିକ୍ୟୁରିଟି ଗାର୍ଡ ଭାବରେ କାମ କରୁଥିଲେ। ଆହତ ଜଣଙ୍କ ହେଲେ ପ୍ରଶାନ୍ତ ନାଗ। ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲରେ ବର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ହିମାଂଶୁ ସାଙ୍ଗ ବାହାଘରରେ ଯୋଗ ଦେବାକୁ ବିଡ଼ିଘାଟ ଗାଁକୁ ଯାଇଥିଲେ। ଭୋଜି ଭାତ ଖାଇବା ପରେ ଅନ୍ୟ ସାଙ୍ଗମାନଙ୍କ ସହ ହିମାଂଶୁ ବିଡ଼ିଘାଟ ଛକ ନିକଟରେ ଠିଆ ହୋଇ କଥାବାର୍ତ୍ତା ହେଉଥିଲେ। ଏହି ସମୟରେ ବିପରୀତ ଦିଗରୁ ଏକ ଟ୍ରକ ଦ୍ରୁତ ଗତିରେ ଆସି ହିମାଂଶୁ ଓ ପ୍ରଶାନ୍ତଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଭୀମ ଭୋଇ ମେଡ଼ିକାଲକୁ ପାଠାଇଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ମୃତ ହିମାଂଶୁ ବାପ ମାଆଙ୍କର ଏକ ମାତ୍ର ସନ୍ତାନ ଥିଲେ। ରୋଜଗାରିଆ ପୁଅକୁ ହରାଇ ବାପା ମାଆ ଭାଙ୍ଗି ପଡିଛନ୍ତି।



