ଆଉ ପାରୁନି ମହାମହିମ! ନ୍ୟାୟ ମିଳୁନି…ଇଚ୍ଛାମୃତ୍ୟୁ ଚାହୁଁଛି

ବଲାଙ୍ଗିର: ବହୁତ ହେଇଗଲା ମରି ମରି ବଞ୍ଚିବା। ବହୁତ ହେଇଗଲା କଷ୍ଟ ଯନ୍ତ୍ରଣାରେ ଜୀବନ ଜିଇଁବା। ଆଉ ଇଚ୍ଛା ନାହିଁ, ଗୋଟିଏ ମୁହୂର୍ତ୍ତ ବି ବଞ୍ଚିବାକୁ। ଯେଉଁଠି ହକ୍‍ ପାଇଁ ଲଢି ଲଢି ମଣିଷଟିଏ ହାରି ଯାଉଛି। ନ୍ୟାୟ ମାଗି ମାଗି ଥକିପଡୁଛି। ସରକାରୀ ଦପ୍ତରକୁ ଦୌଡି ଦୌଡି, ପ୍ରଶାସନ ପାଖକୁ ଧାଇଁ ଧାଇଁ ପ୍ରାଣ ବାହାରି ଯାଉଛି। ଏତେ ସବୁ ପରେ ବି ପ୍ରଶାସନ ଶୁଣୁନି କି ହକ୍‍ ଫେରାଇ ଦେଉନି। କ୍ଷମତାଶାଳୀ ଲୋକଙ୍କ ସହ ଆଉ କେତେ ଲଢିବି? ଆଉ ପାରୁନି ମହାମହିମ। ଆଉ ବଞ୍ଚିବାକୁ ଇଚ୍ଛା ନାହିଁ। ନ୍ୟାୟ ତ ମିଳୁନି, ଏ ନିଶ୍ୱାସ ରହି ଲାଭ କ’ଣ? ମୁଁ ଇଚ୍ଛାମୃତ୍ୟୁ ଚାହୁଁଛି…ମୁଁ ଜୀବନ ହାରିବାକୁ ଚାହୁଁଛି….। ୟେ କୌଣସି ଚଳଚ୍ଚିତ୍ରର ସଂଳାପ ନୁହେଁ। ଜଣେ ଦିବ୍ୟାଙ୍ଗଙ୍କ ଦୁଃଖ କାହାଣୀ। ସବୁଆଡୁ ନିରାଶ ହେବା ପରେ ଚିଠିରେ ବୟାନ କରିଛନ୍ତି ନିଜ ଯନ୍ତ୍ରଣା। ମହାମହିମ ରାଷ୍ଟ୍ରପତିଙ୍କୁ ପତ୍ର ଲେଖି ଇଚ୍ଛାମୃତ୍ୟୁ ଭିକ୍ଷା କରିଛନ୍ତି।

ଭାରତର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉଦ୍ଦେଶ୍ୟରେ କଣ୍ଟାବାଞ୍ଜି ସହରର ଦିବ୍ୟାଙ୍ଗ ଯୁବକ ଅମିତ ଜୈନ ଏଭଳି ଚିଠି ଲେଖି ବେଶ ଭାବବିହ୍ୱଳ କରିଛନ୍ତି। ତଥ୍ୟ ଅନୁସାରେ, ୩୫ ବର୍ଷୀୟ ଅମିତ ଭଲ ପାଠ ପଢୁଥିଲେ। ବାପା, ମା’, ବଡ ଭାଇଙ୍କୁ ନେଇ ତାଙ୍କ ହସଖୁସିର ପରିବାର ଥିଲା। କଣ୍ଟାବାଞ୍ଜି ସହରର ମୁଖ୍ୟ ରାସ୍ତାରେ ଏକ ଦୋକାନ କରି ବାପା ଘର ଚଳାଉଥିଲେ। କିନ୍ତୁ ଜୈନ ପରିବାରରେ ଦୁଃଖର କଳା ବାଦଲ ଯେମିତି ଖସିପଡିଥିଲା। ୨୦୦୯ ମସିହାରେ ଏକ ସଡକ ଦୁର୍ଘଟଣାରେ ଗୋଟିଏ ଗୋଡ ହରାଇଲେ ଅମିତ। ଡାହାଣ ହାତ ବି ଆଉ କାମ କଲାନି। ହ୍ୱିଲ୍‍ ଚେୟାର୍‍ରେ ବିତୁଛି ତାଙ୍କ ଜୀବନ।

ବଡ ଭାଇଙ୍କୁ ରକ୍ତ କର୍କଟ ହେବା ପରେ ଦୁଃଖର ବୋଝ ବଢିଗଲା। ୨ ପିଲାଙ୍କ ଦାୟିତ୍ୱ ବାପା ବୁଝୁଥିଲେ। ସେ ବି ୨୦୧୧ରେ ଆଖି ବୁଜି ଦେଲେ। ସବୁଦିନ ପାଇଁ ଆରପାରିକୁ ଚାଲିଗଲେ। ଏବେ ଅମିତଙ୍କ ପରିବାର ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। ଅମିତଙ୍କ କହିବା ଅନୁସାରେ, ସେମାନଙ୍କୁ ସରକାରୀ ସ୍ତରରେ କୌଣସି ସହାୟତା ମିଳି ପାରୁନି। ଆମର ଯେଉଁ ସମ୍ପତ୍ତ ଅଛି, ତାକୁ ବି ଆମେ ଦଖଲକୁ ନେଇ ପାରୁନୁ। ଘରର ଆର୍ଥିକ ସ୍ଥିତି ଠିକ୍‍ ହେଉ ନାହିଁ। ବିକଳାଙ୍ଗ ଅବସ୍ଥାରେ ପଡି ରହିଛି। ତେଣୁ ଦୁଃଖ ସହିପାରୁନି କହିଛନ୍ତି ଅମିତ। ସେହିପରି ବାପାଙ୍କ ମୃତ୍ୟୁ ପରେ ମାଫିଆ ମାଡି ବସିଥିଲେ ତାଙ୍କ ଦୋକାନ। ସେଠି ଦୋକାନ ଖୋଲିବା କଷ୍ଟକର ହୋଇପଡିଲା ଅମିତଙ୍କ ଘର ଲୋକଙ୍କୁ। ତାଙ୍କର ନିଜସ୍ୱ ଜାଗା ଥିଲେ ବି ସେଠାରେ ଘର କରିବାକୁ ଦେଉ ନାହାନ୍ତି ମୁଷ୍ଠିମେୟ ଲୋକେ। ତେଣୁ ବାଧ୍ୟ ହୋଇ ଅନ୍ୟତ୍ର ଦୋକାନ କରିବାକୁ ପଡିଛି। ଭଡା ଘରେ ଆଶ୍ରୟ ନେଉଛନ୍ତି ଅମିତଙ୍କ ଘର ଲୋକେ। ଜାଗା ଓ ଦୋକାନ ଘର ସମସ୍ୟା ନେଇ ତହସିଲଦାରଙ୍କଠାରୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଯାଏ ପତ୍ର ଲେଖିଲେ। ତହସିଲଦାରଙ୍କୁ ଭେଟିଲେ। ଗଲା ୧୧ ବର୍ଷ ହେଲା ବିବାଦର ସମାଧାନ ହେଉନି। ପୁଲିସ ପାଖକୁ ଗଲେ କେହି ଶୁଣୁ ନାହାନ୍ତି। ପ୍ରଶାସନ ବି ଗୁରୁତ୍ୱ ଦେଉନି। ସରକାର, ପୁଲିସ ଓ ପ୍ରଶାସନଠାରୁ ନିରାଶ ହେବା ପରେ ଆଶା ହରାଇ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଇଚ୍ଛାମୃତ୍ୟୁର ପତ୍ର ପଠାଇଛନ୍ତି ଅମିତ।

ସାଧାରଣ ଭାବେ ମନକୁ ପ୍ରଶ୍ନ ଆସୁଛି, କାହା ପାଇଁ ଏ ସରକାର? କାହା ସୁରକ୍ଷା ପାଇଁ ଏ ପୁଲିସ? କହା ପାଇଁ ପ୍ରଶାସନ? ସେମାନଙ୍କ ଜୀବନ ଦୁର୍ବିସହ ହୋଇପଡିଛି। ନିଜ ଜାଗା ଥାଇ ସେମାନେ ଭଡ଼ାରେ ରହୁଛନ୍ତି। ଦୋକାନ ଘର କବ୍‍ଜା କରିନେଇଛନ୍ତି ଅନ୍ୟମାନେ। ତା’ହେଲେ ଏ ଜୀବନ ରହି ଲାଭ କ’ଣ ବୋଲି ଅମିତ କହିଛନ୍ତି। ସବୁଆଡୁ ନିରାଶ ହେବା ପରେ ଅନ୍ୟ ଉପାୟ କିଛି ନପାଇ ସେ ଇଚ୍ଛାମୃତ୍ୟୁ ପାଇଁ ମହାମହିମ ରାଷ୍ଟ୍ରପତିଙ୍କୁ ପତ୍ର ଲେଖିଥିବା ଦର୍ଶାଇଛନ୍ତି।

Comments are closed.